ୱାୟନାଡ଼ ସହ ଗାନ୍ଧୀ ପରିବାରର ରହିଛି ଭାବନାତ୍ମକ ସମ୍ପର୍କ : ଏଠାରେ ଵିସର୍ଜିତ ହୋଇଥିଲା ରାଜୀବ ଗାନ୍ଧୀଙ୍କ ଚିତାଭସ୍ମ
4/04/2019 at 7:42 PM
ୱାୟନାଡ଼ ୪/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳ ୱାୟନାଡ଼ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ତେବେ ରାହୁଲ ୱାୟନାଡ଼ରୁ କାହିଁକି ନିର୍ବାଚନ ଲଢ଼ୁଛନ୍ତି ସେନେଇ ଅନେକ ଆଲୋଚନା ହେଉଛି | ୱାୟନାଡ଼ ସହ ଗାନ୍ଧୀ ପରିବାରର ଭାବନାତ୍ମକ ସମ୍ପର୍କ ରହିଛି | ରାହୁଲ ଗାନ୍ଧୀଙ୍କ ପିତା ତଥା ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀଙ୍କ ପର୍ଯ୍ୟନ୍ତ ପୁରା ପରିବାରର ଏଠାରୁ ଏକ ଗଭୀର ଭାବନାତ୍ମକ ସମ୍ପର୍କ ରହିଛି |

ଅମେଠି ସହ ୱାୟନାଡ଼ ଆସନରୁ ନିର୍ବାଚନ ଲଢ଼ିବା ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ରାହୁଲ | ଧାର୍ମିକ ଏବଂ ସାଂସ୍କୃତିକ ହିସାବରେ ୱାୟନାଡ଼କୁ ଏକ ମହତ୍ଵପୁର୍ଣ ସ୍ଥାନ ଭାବେ ବିବେଚନା କରାଯାଏ | ଏଠାରୁ କଂଗ୍ରେସର କେବଳ ରାଜନୈତିକ ସମ୍ପର୍କ ନାହିଁ ବରଂ ଅନେକ ସ୍ମୃତି ମଧ୍ୟ ଯୋଡି ହୋଇ ରହିଛି |

୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ଥିକୁ ୱାୟନାଡ଼ର ପାପନାଶିନୀ ନଦୀରେ ବିସର୍ଜନ କରାଯାଇଥିଲା | ରାଜୀବ ଗାନ୍ଧୀଙ୍କ ଅସ୍ଥିରେ ବିସର୍ଜନ କରିବା ପାଇଁ ପୂର୍ବତନ ସୁରକ୍ଷାମନ୍ତ୍ରୀ ଏ.କେ.ଏଂଟନୀଙ୍କ ସହିତ ରାହୁଲ ଗାନ୍ଧୀ ନିଜେ ୱାୟନାଡ଼ ଯାଇଥିଲେ | ରାହୁଲ ପ୍ରଥମେ ନିଜ ପିତାଙ୍କ ଅସ୍ଥିକୁ ନେଇ ଥିରୁନେଲ୍ଲୀ ମନ୍ଦିରରେ ପୂଜା କରିଥିଲେ ଏବଂ ତା’ପରେ କରୁଣାକରଣଙ୍କ ସହିତ ପାପନାଶିନୀ ନଦୀରେ ଅସ୍ଥି ବିସର୍ଜନ କରିଥିଲେ |

ରାଜୀବ ଗାନ୍ଧୀଙ୍କ ଅସ୍ଥି ବିସର୍ଜନ ଜରିଆରେ ପ୍ରଦେଶରେ ରାଜନୈତିକ ମାହୋଲ କଂଗ୍ରେସ ସପକ୍ଷରେ ଥିଲା | ରାଜୀବ ଗାନ୍ଧୀଙ୍କ ସହାନୁଭୂତିର ଫାଇଦା ଉଠାଇଥିଲା କଂଗ୍ରେସ | ୧୯୯୧ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବାମପନ୍ଥୀ ଦଳ ନେତୃତ୍ୱରେ ଏଲଡ଼ିଏଫ ଦଳ ପୁରା ସଫା ହୋଇଯାଇଥିଲା ଏବଂ କଂଗ୍ରେସ ନେତୃତ୍ୱ ଯୁଡ଼ିଏଫ ରାଜ୍ୟରେ ସରକାର ଗଠନ କରିଥିଲା |

୧୯୯୧ ଲୋକସଭା ନିର୍ବାଚନରେ କେରଳରେ ମୋଟ ୨୦ ଟି ଆସନରୁ କଂଗ୍ରେସକୁ ୧୩ ଟି ଆସନ ମିଳିଥିଲା | ଫଳରେ ବାମପନ୍ଥୀ ଦଳକୁ ବଡ ଝଟକା ଲାଗିଥିଲା | କେରଳର ୧୪୦ ବିଧାନସଭା ଆସନରୁ ବାମପନ୍ଥୀ ମେଣ୍ଟ ୫୦ ଆସନ ହାସଲ କରିଥିବାବେଳେ କଂଗ୍ରେସ ୯୦ ଆସନ ଜିତିଥିଲେ |

ପାଖାପାଖି ୨୮ ବର୍ଷ ପରେ ରାହୁଲ ଗାନ୍ଧୀ ସେହି ମାଟିରୁ ନିଜର ରାଜନୈତିକ କର୍ମଭୂମି ପ୍ରତିଷ୍ଠା କରିବାକୁ ଯାଉଛନ୍ତି | ଏଠାରୁ କଂଗ୍ରେସକୁ ଫାଇଦା ମିଳିବ ବୋଲି ଆଶା କରୁଛି | ରାହୁଲ ୱାୟନାଡ଼ ନିର୍ବାଚନ ମୈଦାନରୁ କେରଳର ୨୦ ଆସନ ଛଡା ତାମିଲନାଡୁର ୩୯ ଏବଂ କର୍ଣ୍ଣାଟକର ୨୮ ଲୋକସଭା ଆସନ ହାତେଇବା ପାଇଁ ଉଦ୍ୟମ କରୁଛନ୍ତି |