ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା : ୨୨ ବର୍ଷ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ

Published By : Prameya-News7 Bureau | February 22, 2021 IST

କଟକ ୨୨।୨: ବାରଙ୍ଗରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଦୀର୍ଘ ୨୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ । ଏହି ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ବିବନ । ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିଲା ସିବିଆଇ ।

ପୂର୍ବରୁ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦଣ୍ଡିତ କରିଥିଲେ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଘଟଣା ପରଠାରୁ ଫେରାର ଥିଲା । କମିଶନରେଟ୍ ପୋଲିସ ୩ ମାସ ତଳୁ ଅଭିଯୁକ୍ତ ବିବନକୁ ଖୋଜିବା ଆରମ୍ଭ କରିଥିଲା । ତେବେ ମୁମ୍ବାଇ-ପୁନେ ରାସ୍ତାରେ ଛଦ୍ମ ନାମରେ ବିବନ ରହୁଥିବା ନେଇ ପୋଲିସ ଖବର ପାଇଥିଲା । ଜଳନ୍ଧର ସ୍ବାଇଁ ନାଁରେ ନଭି ମୁମ୍ବାଇରେ ରହୁଥିଲା ବିବନ । ନିଜର ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିବାରେ ଲାଗିଥିଲା ବିବନ । ମାତ୍ର ସେଥିରେ ସେ ସଫଳ ହୋଇପାରିନାହିଁ । ଶେଷରେ ପୋଲିସ ହାତରେ ଧରାପଡିଗଲା ।

ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ଦିନ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣା ସମଗ୍ର ଓଡିଶାର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣା ଦିନ ଗଣଦୁଷ୍କର୍ମ ପୀଡିତା ଜଣଙ୍କ ତାଙ୍କ ବନ୍ଧୁଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ବର ଉପକଣ୍ଠ ସ୍ଥିତ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଗାଡିଟିକୁ ଅଟକାଇ ବାନ୍ଧବୀଙ୍କ ସମ୍ମୁଖରେ ପୀଡିତାଙ୍କୁ ୩ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ ।

ଘଟଣା ପରେ ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଉକ୍ତ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୧୯୯୯ ମସିହା ଜାନୁଆରୀ ମାସ ୨୬ ତାରିଖରେ ମାତ୍ର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଦ୍ବାରା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏଭଳି ଦୁଃଖଦ ଘଟଣା ତତ୍କାଳୀନ ଓଡିଶା ରାଜନୈତିକ ମଧ୍ୟ ହଇଚଇ ସୃଷ୍ଟି କରିଥିଲା । ସେହି ଗଣଦୁଷ୍କର୍ମ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାୟଙ୍କର ହାତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ଓଡିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଆସନ ହରାଇବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.