ପିଶାଚ ପ୍ରେମିକ : ଦେଢବର୍ଷର ପ୍ରେମ ସମ୍ପର୍କ ପରେ ନାବାଳିକା ପ୍ରେମିକାକୁ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ, ପିଆଇଲା ବିଷ

Published By : Prameya-News7 Bureau | August 29, 2020 IST

ପୁରୀ ୨୯।୦୮: ବୟସ ୧୫ ବର୍ଷ ଜାଣି ମଧ୍ୟ ଆଇନ୍‌କୁ ହାତକୁ ନେଲା। ନାବାଳିକାଙ୍କୁ ପ୍ରେମ କଲା ୨୮ ବର୍ଷର ଯୁବକ। ମାସେ କି ଦୁଇ ମାସ ନୁହେଁ । ଦୀର୍ଘ ଏକ ବର୍ଷ ୫ ମାସ ଧରି ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖିଲା। ଏହାପରେ ରଚିଲା ଷଡଯନ୍ତ୍ର । ସୈତାନ୍‌ ସାଜିଲା ପ୍ରେମିକ । ରାତିର ଅନ୍ଧାରରେ ପ୍ରେମିକାକୁ ଡାକି ସହଯୋଗୀଙ୍କ ହାତରେ ଟେକିଦେଲା । ନାବାଳିକାଙ୍କୁ ଟେକିନେଇ ଦୀର୍ଘ ୩ ଦିନ ଧରି କଲେ ଗଣଦୁଷ୍କର୍ମ । ଚତୁର୍ଥ ଦିନରେ ବିଷ ଦେଇ କଲେ ହତ୍ୟା ଉଦ୍ୟମ। ଏହାପରେ ସଙ୍କଟାପନ୍ନ ଅବସ୍ଥାରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତଲା ହୋଇଥିବାବେଳେ ପୁରୀ ଏସ୍‌ପିଙ୍କୁ ଏନେଇ ପୀଡିତାଙ୍କ ବାପା ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଥିବା ଏକ ଗ୍ରାମରେ ଉଭୟ ପ୍ରେମୀ ଯୁଗଳଙ୍କ ଘର। ଏକ ବର୍ଷ ୫ ମାସ ତଳେ ଭେଟ ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ। ବିବାହର ପ୍ରଲୋଭନ ଦେଖାଇଥିଲା ପ୍ରେମିକ। ନାବାଳିକା ଜାଣି ମଧ୍ୟ କରିଥିଲା ବେଆଇନ୍‌ କାମ । ସେପଟେ ବିବାହର ପ୍ରତିଶ୍ରୁତି ପାଇ ବିଶ୍ୱାସ କରିଦେଇଥିଲା ନାବାଳିକା। ଗତ ୧୫ ତାରିଖ ରାତିରେ ନାବାଳିକାଙ୍କୁ ଫୋନ୍‌ କଲ୍‌ କରିଥିଲା ପ୍ରେମିକ । ମଧ୍ୟ ରାତିରେ ନାବାଳିକା ଫୋନ୍‌ କଲ୍‌ ପାଇ ବାରିଆଡକୁ ଚାଲି ଆସିଥିଲେ । ନାବାଳିକା କବାଟ ଖୋଲି ଆସିବାବେଳେ ତାଙ୍କ ବାପାଙ୍କ ନିଦ ଭାଙ୍ଗି ଯାଇଥିଲା ।

ସେପଟେ ଯୋଜନାବଦ୍ଧ ଭାବେ ପ୍ରେମିକ ତା’ର ୩ ଜଣ ସହଯୋଗୀଙ୍କୁ ନେଇ ନାବାଳିକାଙ୍କ ବାରିପଟେ ଛପି ରହିଥିଲା । ନାବାଳିକା ଓ ଯୁବକ ଉଭୟ ଗୁପ୍ତରେ କଥା ହେଉଥିଲେ । ନିକଟର ଲୁଚି ରହିଥିଲେ ଅନ୍ୟ ୩ ଜଣ । ଫେରିବାରେ ବିଳମ୍ବ ହେବା ଯୋଗୁଁ ନାବାଳିକାଙ୍କ ବାପା ବାରିଆଡିକୁ ଆସିଥିଲେ । ତେଣୁ ଯୁବକ ଜଣକ ଦୌଡି ପଳାଇଥିଲା । ବାପାଙ୍କୁ ଦେଖି ନାବାଳିକା ଲୁଚି ଯାଇଥିଲେ । ନାବାଳିକାଙ୍କୁ ନପାଇ ବାପା ଘର ଭିତରକୁ ଚାଲିଯିବାବେଳେ ମୌକାକୁ ହାତ ଛଡା ନକରି ପୂର୍ବରୁ ଜଗି ବସିଥିବା ୩ ଜଣ ତାଙ୍କୁ ପାଟି ବନ୍ଦ କରି ଜଣେ ଅଭିଯୁକ୍ତର ଘରକୁ ନେଇ ଯାଇଥିଲେ । ରାତି ତମାମ ସେଠାରେ ବନ୍ଦ କୋଠରୀରେ ବଳାତ୍କାର କରିବା ସହ ପ୍ରେମିକ ମଧ୍ୟ ସାମିଲ୍‌ ଥିବା ଅଭିଯୋଗ ହୋଇଛି । ନାବାଳିକା ପ୍ରତିରୋଧ କରିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।

୧୬ ତାରିଖ ବିଳମ୍ବିତ ରାତିରେ ସେଠାରୁ ଆଉ ଜଣେ ଅଭିଯୁକ୍ତର ଘରକୁ ନେଇ ସେଠାରେ ମଧ୍ୟ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ୧୭ ତାରିଖରେ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବି ଦୁଷ୍କର୍ମ କରି ଅଭିଯୁକ୍ତମାନେ ଛାଡି ପଳାଇ ଆସିଥିବା ଅଭିଯୋଗ ହୋଇଛି । ନାବାଳିକା ଘରକୁ ଫେରୁଥିବାବେଳେ ଘଟଣା ଜଣାପଡିଯିବାର ଭୟରେ ଅଭିଯୁକ୍ତମାନେ ପୁଣି ନାବାଳିକାଙ୍କୁ ବାଟରୁ ଫେରାଇ ନେଇ ଗ୍ରାମର ଜଣେ ପୁରୁଖା ଲୋକଙ୍କ ଘରେ ରଖିଥିଲେ । ସେଠାରେ ନିସ୍ତୁକ ମାଡ ମାରି ହଇରାଣ କରିଥିବା ନାବାଳିକା ତାଙ୍କ ପରିବାର ଲୋକଙ୍କୁ କହିଛନ୍ତି। ୧୮ ତାରିଖ ସକାଳେ ପାନୀୟରେ ବିଷ ଦେଇଥିବା ଅଭିଯୋଗ ହୋଇଥିବାବେଳେ ଏହାକୁ ପିଇ ସଂଜ୍ଞାହୀନ ହୋଇପଡିଥିଲେ ।

ଏହାପରେ ନାବାଳିକାଙ୍କ ସନ୍ଧାନ ପାଇଯିବାରୁ ଅଭିଯୁକ୍ତମାନେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ପୂର୍ବରୁ ନିଖୋଜ ସମ୍ପର୍କରେ ନାବାଳିକାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ନାବାଳିକା ଚିକିତ୍ସା ପରେ ଘଟଣା ସମ୍ପର୍କରେ କହିଥିଲେ । ଏହାପରେ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ହେଲେ ଏନେଇ ପୁଲିସ ଆବଶ୍ୟକ ପଦକ୍ଷେପ ନନେବାରୁ ଝିଅ ସହ ଘଟିଥିବା ଅମାନୁସିକ ଓ ବର୍ବୋରଚିତ କାଣ୍ଡ ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି ନାବାଳିକାଙ୍କ ବାପା । ୨୭ ତାରିଖରେ ଏସ୍‌ପିଙ୍କୁ ଭେଟି ସେ ନ୍ୟାୟ ଭିକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.