ରବିବାର ଦୃଶ୍ୟମାନ ହେବ ଶତାବ୍ଦୀର ପ୍ରଥମ ଧୂମକେତୁ, ଖାଲି ଆଖିରେ ଦେଖିହେବ

Published By : Prameya-News7 Bureau | July 11, 2020 IST

ନୂଆଦିଲ୍ଲୀ, ୧୧|୦୭:  ଜୁଲାଇ ୧୨ ରୁ ୩୦ ତାରିଖ ମଧ୍ୟରେ ଦେଖାଦେବ ଶତାବ୍ଦୀର ପ୍ରଥମ ଧୂମକେତୁ । ସୂର୍ଯ୍ୟାସ୍ତ ପରେ ଅଧଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହା ଖାଲି ଆଖିରେ ଦେଖାଯିବ । ଦୀର୍ଘ ୨୩ ବର୍ଷ ପରେ ଏହି ଧୂମକେତୁ ଦେଖାଯିବ । ଯାହାକୁ ନେଇ ବୈଜ୍ଞାନିକମାନେ ବେଶ୍ ଉତ୍ସାହିତ ।

ଧୂମକେତୁ ବା ଲଞ୍ଜାତାରା । ଜୁଲାଇ ମାସ ଆରମ୍ଭରୁ ହଠାତ୍ ଆକାଶରେ ଦେଖାଯାଇଥିଲା ଧୂମକେତୁ C/2020 F3 । ପ୍ରଥମେ ବଡ ଦୂରବୀକ୍ଷଣରେ ଦେଖାଯାଉଥିବା ଏହି ଧୂମକେତୁଟି ବର୍ତ୍ତମାନ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲରରେ ଦେଖାଗଲାଣି । କିନ୍ତୁ ଆସନ୍ତା ୧୨ ରୁ ୩୦ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗବଳୟ ଆକାଶରେ ଏହା ଖାଲି ଆଖିରେ ଦେଖାଯିବ । ସୂର୍ଯ୍ୟାସ୍ତ ପରେ ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଖାଲି ଆଖିରେ ଦେଖାଯିବ ଶତାବ୍ଦୀର ପ୍ରଥମ ଧୂମକେତୁ ।

ଧୂମକେତୁ ସି-୨୦୨୦ ଏଫ୍ ୩କୁ ବୈଜ୍ଞାନିକମାନେ ପ୍ରଥମେ ନିଓୱାଇଜ୍ ନାମକ ଦୂରବୀକ୍ଷଣରେ ଆବିଷ୍କାର କରିଥିଲେ । ଆଲୋକ ଓ ବାୟୁ ପ୍ରଦୂଷଣ ନଥିବା କିଛି ସ୍ଥାନରେ ଏହା ଖାଲି ଆଖିରେ ବି ଦେଖାଗଲାଣି । ମହାକାଶରେ ଥିବା ସ୍ପେସ୍ ଷ୍ଟେସନର ବୈଜ୍ଞାନିକମାନେ ଏହା ଫଟୋ ମଧ୍ୟ ଉଠାଇଛନ୍ତି । ଧୂମକେତୁଗୁଡିକ କଠିନ ଅବସ୍ଥାରେ ସୂର୍ଯ୍ୟ ଚାରିପାଖେ ବୁଲୁଥାନ୍ତି । ସୂର୍ଯ୍ୟର ନିକଟକୁ ଆସିଲେ ଏହା ତରଳି ଯାଏ । ବାଷ୍ପ ଓ ଧୂଳିରେ ତାର ଏକ ବିରାଟ ଲାଞ୍ଜ ସୃଷ୍ଟି ହୁଏ । ସେ ସମୟରେ ଏହା ପୃଥିବୀରୁ ସ୍ପଷ୍ଟ ଦେଖାଯାଏ । 

{"id":298869,"width":692,"height":461,"sizeSlug":"large"}

ଧୂମକେତୁ ପ୍ରତି ୭୬ ବର୍ଷରେ ଥରେ ଖାଲି ଆଖିରେ ଦେଖାଯାଏ । ଏହା ପୂର୍ବରୁ ୧୯୯୭ ମସିହାରେ ଶେଷ ଥର ପାଇଁ ‘ହେଲ୍ ବଫ୍’ ନାମକ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା । ଆଉ ଗୋଟେ ଧୂମକେତୁ ଦେଖିବାକୁ ଆମକୁ ୨୦୬୧ ମସିହାକୁ ଅପେକ୍ଷା କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.