ହଲିଉଡ୍ ଅଭିନେତ୍ରୀ ଗାଲ ଗାଡୋଟ୍ଙ୍କ ପସନ୍ଦ ଓ ଆଦର୍ଶ ସାହିନ ବାଗ୍ର ବିଲକିସ୍ ଦାଦୀ
31/12/2020 at 6:34 PM

ନୂଆଦିଲ୍ଲୀ ୩୧/୧୨ : ହଲିଉଡ ଅଭିନେତ୍ରୀ ଗାଲ ଗାଡୋଟ୍, ନୂଆ ଚଳଚ୍ଚିତ୍ର ‘ଓ୍ବାଣ୍ଡର ଓମ୍ୟାନ୍-୧୯୮୪’ ସଫଳତା ପରେ ବେଶ ଚର୍ଚ୍ଚାରେ ଥିଲେ । ଏବେ ପୁଣି ଥରେ ଗାଲ ଗୋଡେଟ୍ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ, ‘ସାହିନ ବାଗ୍ର ବିଲକିସ୍ ଦାଦୀ ହେଉଛନ୍ତି ତାଙ୍କ ବ୍ୟକ୍ତିଗତ ଜୀବନର ଓ୍ବାଣ୍ଡର ଓମ୍ୟାନ୍’
ଗତ ଗୁରୁବାର ଦିନ ଗାଲ୍ ତାଙ୍କ ଇନଷ୍ଟାଗ୍ରାମରେ ନିଜ ବ୍ୟକ୍ତିଗତ ଜୀବନରେ ସଂସ୍ପର୍ଶରେ ଆସିଥିବା କିଛି ଓ୍ବାଣ୍ଡର ଓମ୍ୟାନ୍ଙ୍କ କାହାଣୀଗୁଡିକୁ ସେୟାର କରିଥିଲେ । ଏଥିରେ ଯୁବତୀମାନଙ୍କ ଠାରୁ ଆରମ୍ଭ କରି ମହିଳାମାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ଥିଲା ।
ସେ ବିଲକିସ୍ ଦାଦୀଙ୍କର ଏକ ଫଟୋକୁ ନିଜ ଇଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ଯେ, ’୮୨ ବର୍ଷର ଜଣେ ବୃଦ୍ଧା ଭାରତରେ ମହିଳା ସମାନତା ପାଇଁ ଆନ୍ଦୋଳନ କରିଛନ୍ତି । ଏହା ସୂଚାଇଦେଉଛି ଯେ ଆନ୍ଦୋଳନ ପାଇଁ ବୟସ କେବଳ ନାମକୁ ମାତ୍ର, ମନରେ ବିଶ୍ବାସ ଥିଲେ ସବୁ କିଛି ସମ୍ଭବ ’ । ଅବଶ୍ୟ ଗାଲ୍ ପରେ ଏହାକୁ ଡିଲିଟ କରିଦେଇଥିଲେ କିନ୍ତୁ ଏହାକୁ ତାଙ୍କ ନ୍ୟୁଜ୍ ଫିଡ୍ରେ ରଖିଛନ୍ତି ।
ବିଲକିସ୍ ଦାଦୀ ହେଉଛନ୍ତି ସେହି ମହିଳା ଯିଏକି ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ । ଟାଇମ୍ଦ ମାଗାଜିନ୍ର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ତାଙ୍କୁ ସାମିଲ କରାଯାଇଥିଲା । ଏବେ ଦିଲ୍ଲୀ ଏବଂ ହରିୟାଣା ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନରେ ମଧ୍ୟ ବିଲକିସ୍ ଦାଦୀଙ୍କୁ ଦେଖିବାକୁ ମିଳିଥିଲା ।