ଚର୍ଚ୍ଚାରେ ପୁଣି ଏସ୍‌ପି ସାରା ଶର୍ମା: ଆଦିବାସୀ ବହୁଳ ଗାଁକୁ ପୋଷ୍ୟ ଗ୍ରାମ ଭାବେ କଲେ ଗ୍ରହଣ, ଦୁର୍ଗମ ଅଞ୍ଚଳରେ ପରଖିଲେ ସ୍ଥିତି

Published By : Prameya-News7 Bureau | June 13, 2020 IST

ଗଜପତି, ୧୩|୦୬:  କେତେବେଳେ ଗୀତ ତ ପୁଣି କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ସି-ଟିମ୍ ଗଠନ କରି ସବୁବେଳେ ଚର୍ଚ୍ଚାରେ ଥିବା ଗଜପତି ଏସପି ସାରା ଶର୍ମା ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏବେ ଗରୀବଙ୍କୁ ସହାୟତା କରିବାକୁ ଯାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାରା । ସବୁବେଳେ କିଛି ନିଆରା କରିବା ଦ୍ବାରା ଚର୍ଚ୍ଚାରେ ଥିବା ଗଜପତି ଏସପି ସାରା ଶର୍ମା ଏକ ଆଦିବାସୀ ବହୁଳ ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବାନେଇ ଘୋଷଣା କରିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ପାହାଡିଆ ଦୁର୍ଗମ ଅଞ୍ଚଳରେ ଥିବା ଗୁମା ବ୍ଲକର ସିଣ୍ଡିବୁରୁ ଗାଁକୁ ଯାଇ ସ୍ଥିତି ପରଖିବା ସହ ଲୋକଙ୍କ ସହ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ । ଏହାପରେ ଏଠାକାର ଲୋକଙ୍କୁ ସହାୟତା ଆବଶ୍ୟକତା ଥିବା ହୃଦବୋଧ କରି ସେ  ଏହି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବା ନେଇ ଘୋଷଣା କରିଛନ୍ତି । ସେମାନଙ୍କ ସମସ୍ୟା ଦୂର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି  ଏସପି ସାରା। ଏହି ଗସ୍ତକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏବେ ସେମାନଙ୍କ ଦୁଃଖ ଦୂର ହୋଇପାରିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି ।

{"id":285672,"width":687,"height":371,"sizeSlug":"large"}

କରୋନା ମାଡରେ ସାରା ଦେଶର ସ୍ଥିତି ବେହାଲ । ଏଭଳି ସ୍ଥିତିରେ ପ୍ରକୃତ ଗରୀବ ଲୋକଙ୍କ ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ । ତେଣୁ ସେଭଳି ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ହିଦାତୁଲ୍ଲା ନ୍ୟାସନାଲ ଲ ୟୁନିଭର୍ସିଟିର ପୁରାତନ ଛାତ୍ର ସଂଘ ଚାହୁଁଥିବା ଗଜପତି ଏସପିଙ୍କୁ ପ୍ରସ୍ତାବ ଦେଇଥିଲେ । ଫଳରେ ଏସପି ସାରା ଶର୍ମା ସେଭଳି ଏକ ଗାଁକୁ ଖୋଜିବାକୁ ଲାଗିଥିଲେ । ଆଜି ସିଣ୍ଡିବୁର ଗାଁକୁ ଦେଖିବା ପରେ ସେ ଏହି ଗାଁକୁ ହିଁ ପୋଷ୍ୟ ଭାବେ ଗ୍ରହଣ କରି ସହାୟତା ଯୋଗାଇବାକୁ ମନସ୍ଥ କରିଥିବା କହିଛନ୍ତି । ଏସପି ପୂର୍ବରୁ ହିଦାତୁଲ୍ଲା ନ୍ୟାସନାଲ ୟୁନିଭର୍ସିଟିରେ ଅଧ୍ୟାପନା କରୁଥିବାରୁ ସେଠିକାର ପୁରାତନ ଛାତ୍ର ସଂଘଙ୍କ ସହ ଭଲ ସଂପର୍କ ରହିଛି । ତେଣୁ ସେମାନେ ଏସପିଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଥିଲେ । ସେମାନେ କିଛି ଟଙ୍କା ଦେଇଥିବା ବେଳେ ଗଜପତି ପୁଲିସ୍ ମଧ୍ୟ କିଛି ସହାୟତା କରିବ । ଏହାଦ୍ଵାରା ପାହାଡି ଅଞ୍ଚଳରେ ରହୁଥିବା ନିରୀହ ଆଦିବାସୀଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରୟାସ କରାଯିବ ବୋଲି ଏସପି କହିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ଏସପି ନିଜେ ସେହି ଗାଁକୁ ଚାଲି ଚାଲି ଯିବା ସହ ଲୋକଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ । ଏହି ସମୟରେ ତାଙ୍କ ସହ ଅତିରିକ୍ତ ଏସପି, ସେରଙ୍ଗ ଥାନା ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ସାମିଲ ହୋଇଥିଲେ ।

ଗଜପତି ଜିଲା ଭୂବୁନୀ ପଞ୍ଚାୟତର ସିଣ୍ଡିବୁର ଗାଁ । ପାହାଡି ଇଲାକାରେ ଥିବା ଏହି ଗାଁରେ ୧୯ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୧୨୦ । ଆଜି ଯାଏଁ ଏହି ଗାଁକୁ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ଆଜି ବି ପାଦଚଲା ରାସ୍ତା ହିଁ ଲୋକଙ୍କ ଲାଇଫ ଲାଇନ୍ । ସେହିପରି ବିଶୁଦ୍ଧ ପୀଚୟ ଜଳ ବି ଏମାନଙ୍କ ପାଇଁ ସତସପନ । ଏହି ଗାଁର ଲୋକେ ସମସ୍ୟା ସଂପର୍କରେ ବିଭିନ୍ନ ସମୟରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ଯାଏଁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏପରିକି ଦିନଟିଏ ପାଇଁ କେହି ଜଣେ ହେଲେ ଅଧିକାରୀ ଗାଁକୁ ଯାଇନଥିଲେ । ହେଲେ ଆଜି ଜିଲ୍ଲାର  ଏସପି ତାଙ୍କ ଗାଁରେ ପହଂଚି ତାଙ୍କ ସହ ବସିବା ସହ ଘରକୁ ଘର ବୁଲି ଲୋକଙ୍କ ସୁଖ ଦୁଃଖ ବୁଝିବା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଆଜି ଏତେ ଅଧିକାରୀ ଗାଁକୁ ଆସି ତାଙ୍କ ସମସ୍ୟା ବୁଝି ଥିବାରୁ ଅତିଶୀଘ୍ର ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ନେଇ ଗ୍ରାମବାସୀ ଆଶା ପ୍ରକାଶ କରିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.