ଗାଜିଆବାଦ ବୃଦ୍ଧଙ୍କୁ ମାଡ ଘଟଣା : ଟ୍ୱିଟର ବିରୋଧରେ ମାମଲା, ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ

Published By : Prameya-News7 Bureau | June 16, 2021 IST

ଲକ୍ଷ୍ନୌ,୧୬|୦୬: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାଡ ମାରି ବଳପୂର୍ବକ ଧାର୍ମିକ ନାରା ଲଗାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ମାମଲରେ ପୋଲିସ ସାମାଜିକ ଗଣମାଧ୍ୟମ ଟ୍ୱିଟର୍ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଛି । ଟ୍ୱିଟର ବିରୋଧରେ ଧାର୍ମିକ ଭାବନାକୁ ଆଘାତ, ସାଂପ୍ରଦାୟିକତାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ ଲାଗିଛି । ୟୁପି ପୋଲିସ ସେହି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯେତେବେଳେ ଭିଡିଓ ବାଇରାଲ  ପରେ ଉତ୍ତର ପ୍ରଦେଶଠୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇ ଉଠିଛି।

ସୂଚନା ଅନୁସାରେ, ସାମାଜିକ ଗଣାମଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଜଣେ ମୁସଲିମ ବୃଦ୍ଧଙ୍କୁ ଚାରି ଜଣ ଅଜଣା ଲୋକ ଗାଜିଆବାଦର ଏକ ଶୂନଶାନ କୋଠା ଭିତରକୁ ନେଇ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ମାଡ ମାରିବା ଏବଂ ଦାଢି କାଟିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି। ପରବେଶ ଗୁଜର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଜୁନ ୫ରେ ଘଟିଥିଲା। ମାତ୍ର ପୋଲିସକୁ ଘଟଣାର ସୂଚନା ୨ ଦିନ ପରେ ମିଳିଥିଲା। ପୋଲିସ ଅନୁଯାୟୀ,  ଘଟଣା ପଛର କାରଣ ତନ୍ତ୍ର ମନ୍ତ୍ର ରହିଛି। ପୀଡିତ ବୃଦ୍ଧ ବ୍ୟକ୍ତି ଅଭିଯୁକ୍ତଙ୍କୁ କିଛି ଲକେଟ୍ ଦେଇଥିଲେ।  ହେଲେ କିଛି ପରିଣାମ ନଆସିବାରୁ ସେମାନେ ଏମିତି କାଣ୍ଡ ଭିଆଇଥିଲେ। ତେବେ ପୀଡିତ ବୃଦ୍ଧ ନିଜ ଏଫଆଇଆରରେ ଜୟ ଶ୍ରୀରାମ ନାରା ଲଗାଇବା ଏବଂ ଦାଢି କାଟିବା କଥା ଉଲ୍ଲେଖ କରି ନାହାନ୍ତି ବୋଲି ପୋଲିସ କହିଥିଲା ।

ପୋଲିସ ଆହୁରି ମଧ୍ୟ କହିଥିଲା ଯେ, ଟ୍ୱିଟର ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି ।ଭିଡିଓର ଯାଞ୍ଚ ଚାଲିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.