ନାହିଁ ନାହିଁର ଗାଁ ନୂଆ ଗାଁ

Published By : Prameya-News7 Bureau | April 24, 2018 IST

ପାଣି ନାହିଁ, ରସ୍ତା ନାହିଁ । ଏପରିକି ସେମାନେ ରହୁଥିବା ସ୍ଥାନର ପଟ୍ଟା ମଧ୍ୟ ନାହିଁ । ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଗୋଷାଣି ବ୍ଲକ କତଲକଇଠା ପଂଚାୟତ ଅନ୍ତର୍ଗତ ନୂଆ ଗାଁ । ଏହାକୁ ନେଇ ଲୋକେ ବିଭିନ୍ନ ସ୍ତରରେ ଅଭିଯୋଗ କଲେ ମଧ୍ୟ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ । ତେବେ ପାଣିର ସମସ୍ୟା ନଥିବା ବିଡିଓ ସଫେଇ ଦେଇଥିବା ବେଳେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଗଜପତି ଜିଲ୍ଲା ଗୋଷାଣି ବ୍ଲକ କତଲ କଇଠା ପଂଚାୟତର ଏକ ଗାଁ ନୂଆ ଗାଁ । ଏହି ଗାଁରେ ପ୍ରାୟ ଦେଢଶହ ଲୋକେ ବସବାସ କରୁଥିବା ବେଳେ ସମସ୍ତେ ଆଦିବାସୀ ସଂପ୍ରଦାୟର । ୱଏମାନେ ଏକ ପାହାଡ ଉପରେ ରହୁଥିବା ବେଳେ ସେଠାରେ କୌଣସି ସରକାରୀ ସୁବିଧା ପହଂଚିପାରିନଥିଲା । ତେବେ ଏହି ଗାଁର ଲୋକେ ସରକାରୀ ସୁବିଧା ଆଶାରେ ପ୍ରାୟ 30ବର୍ଷ ତଳେ ପାହଡ ତଳକୁ ଆସି ନୂଆ ସାହିରେ ରହିଥିଲେ । ଇତି ମଧ୍ୟରେ ଅନେକ ବର୍ଷ ବିତିସାରିଥିଲେ ମଧ୍ୟ ଅନ୍ୟାନ୍ୟ ସୁବିଧା କଥା ଦୁରେ ଥାଉ ବିଶୁଦ୍ଧ ପାନୀଯ ଜଳ ଏବଂ ନିତିଦିନିଆ ରାସ୍ତା ଖଣ୍ଡେ ଭଳି ମୌଳିକ ସୁବିଧା ମଧ୍ୟ ଏମାନଙ୍କ ନିକଟରେ ପହଂଚିପାରିନାହିଁ । ଏପରିକି ସେମାନେ ରହୁଥିବା ସ୍ଥାନର ଜମି ପଟ୍ଟା ମଧ୍ୟ ସେମାନଙ୍କୁ ମିଳିପାରିନାହିଁ । ଯଦିଓ ଭୂମିହୀନଙ୍କୁ ଜମିପଟା ଯୋଗାଇବା ପାଇଁ ସରକାର ଘୋଷା କରିଛନ୍ତି, ତଥାପି ଏହି ଗ୍ରାମବାସୀଙ୍କ ପାଇଁ ତାହା କେବଳ ଘୋଷଣାରେ ରହିଛି । ଫଳରେ ପିଲାମାନେ ସ୍କୁଲରେ ନାମ ଲେଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ଲୋକେ । ଅବଶ୍ୟ ଏହି ସମସ୍ୟା ନେଇ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ସ୍ତରରେ ଅଭିଯୋଗ କରି ଏହାର ସମାଧାନ ପାଇଁ ଦାବି କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଡିଓଙ୍କ କହିବା ହେଲା ଗାଁରେ ପାଣି ସମସ୍ୟା ନେଇ କୌଣସି ଅଭିଯୋଗ ନାହିଁ । ତେଣୁ ଏଠାରେ ପାଣିର ସମସ୍ୟା ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ଗାଁକୁ ରାସ୍ତା ନିର୍ମାଣ ପାଇଁ ପ୍ରଯାସ ହୋଇଥିଲେ ମଧ୍ୟ କିଛି ଜମି ପଡୁଥିବାରୁ ତାହା ସମ୍ଭବ ହୋଇନାହିଁ । ତେବେ ଏହାକୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିବା ସହ ଜମିପଟ୍ଟା ବିଷୟରେ ସେ କିଛି କହିପାରିବେ ନାହିଁ ବୋଲି କହି ନିଜର କର୍ତ୍ତବ୍ୟ ସାରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.