ଦ୍ଵିତୀୟ ଦିନରେ ବିଦ୍ୟାଭାରତୀଙ୍କୁ ଗଜପତି ପୋଲିସର ଜେରା, ଜବତ କଲା ବ୍ୟାଙ୍କ୍ ପାସବୁକ୍

Published By : Prameya-News7 Bureau | July 20, 2021 IST

ଉଦଳା ୨୦।୭: ଆଜି ଦ୍ଵିତୀୟ ଦିନରେ ବିଦ୍ୟାଭାରତୀଙ୍କୁ ଜେରା କରିଛି ଗଜପତି ପୋଲିସ । ଚାରି ଘଣ୍ଟା ଜେରା କରିଛି ପୋଲିସ । ଏକ ପାସବୁକ ପୋଲିସ ଜବତ କରିଛି । ଦୁଇ ଦିନରେ ମୋଟ୍ ୭ ଘଣ୍ଟା ଜେରା କରିଛି ଗଜପତି ପୋଲିସ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବଦଳରେ ନିଜ ଶରୀର ଅସୁସ୍ଥ ଥିବା କହିଲେ ବିଦ୍ୟାଭାରତୀ । ଦୁଇ ଦିନ ଜେରାରେ ପୋଲିସ ଦୁଇ ଗୋଟି ମୋବାଇଲ ଏବଂ ପାସବୁକ ଜବତ କରିଛି । ବିଦ୍ୟା ଭାରତୀଙ୍କ ସମେତ ପରିବାର ସଦସ୍ୟଙ୍କୁ ଜେରା କରିଛି ପୋଲିସ ।

ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଦିନକୁ ଦିନ ଘଟଣାରେ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ଏସିଏଫଓ ସୌମ୍ୟଙ୍କ ବିରୋଧରେ ପତ୍ନୀ ବିଦ୍ୟାଭାରତୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମା’ ଉର୍ମିଳା । ସୌମ୍ୟରଞ୍ଜନଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଘଟଣାଙ୍କୁ ସେ ଖଣ୍ଡନ କରିଛନ୍ତି ।

ସୌମ୍ୟରଞ୍ଜନଙ୍କ ମା’ କହିଛନ୍ତି ବିଦ୍ୟାଭାରତୀ ମର୍ଡର କରିଛି । ସେ ମିଛ କହୁଛି । ପୂର୍ବରୁ ବିଦ୍ୟାଭାରତୀ ମୋତେ ଫୋନ୍ କଲାବେଳେ ତମେ କେମିତି ଅଛ ପଚାରେ । ମୁଁ ପଚାରେ ତମେ କେମିତି ଅଛ । ସେ କହେ ସବୁକିଛି ଭଲ । ଆମ ବିଷୟରେ ଚିନ୍ତା କରନି । ମୋତେ ସୌମ୍ୟ ବିଷୟରେ ସେତେବେଳେ କିଛି କହୁନଥିଲା କାହିଁକି ?

ବିଦ୍ୟାଭାରତୀଙ୍କ ଅଭିଯୋଗ ଅନୁସାରେ, ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଏହି ଝଗଡାର ଏକ ଅଡିଓ ମଧ୍ୟ ସେ ଗଣମାଧ୍ୟମକୁ ଦେଇଛନ୍ତି । ତେବେ ସୌମ୍ୟଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିବା ବେଳେ ଆଗକୁ ଘଟଣାରେ କ’ଣ ଟ୍ଵିଷ୍ଟ ଆସୁଛି ତାହାକୁ ଅପେକ୍ଷା ।

ସୋମବାରଠାରୁ ଗଜପତିରୁ ୬ ଜଣିଆ ପୋଲିସ ଟିମ୍ ଖଇରା ଏବଂ କପ୍ତିପଦା ଗୌଡଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାସହ ତଦନ୍ତ ମଙ୍ଗଳବାର ବି ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି । ସୋମବାର ପୋଲିସ ତଦନ୍ତ କରି ଯିବାପରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.