କ୍ଷମତାର ବ୍ୟବହାର କେମିତି କରାଯାଏ ତାହା ଗଡକରୀଙ୍କଠୁ ଶିଖିବା ଉଚିତ୍, ରୋଡ୍‌ ମ୍ୟାନ୍‌ଙ୍କ ଏମିତି ପ୍ରଶଂସା କଲେ ଶରଦ ପାଓ୍ଵାର

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ ୦୨।୧୦: କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ କାମକୁ ପ୍ରଶଂସା କଲେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ପ୍ରମୁଖ ଶରଦ ପାଓ୍ଵାର। ଶନିବାର ଏନସିପି ପ୍ରମୁଖ ଶରଦ ପାଓ୍ଵାର କହିଛନ୍ତି କ୍ଷମତାର ବ୍ୟବହାର କେମିତି କରାଯାଏ ଗଡକରୀ ତାଙ୍କୁ କହିଛନ୍ତି। ମହାରାଷ୍ଟ୍ର ଅହମ୍ମନଗରରେ ଏକ କାର୍ଯ୍ୟକ୍ରମରେ ବିଜେପି ନେତା ଓ ଏନସିପି ନେତା ଉପସ୍ଥିତ ଥିଲେ। ମହାରାଷ୍ଟ୍ରରେ ବିଜେପି ବିରୋଧୀ ଆସନରେ ରରହିଥିବା ବେଳେ ଏନସିପି ମହାବିକାଶ ଅଘାଡି ସରକାରରେ ସାମିଲ୍।

ଏହି କାର୍ଯ୍ୟକ୍ରମ ସମୟରେ ଶରଦ ପାଓ୍ଵାର କହିଛନ୍ତି, ମୁଁ ଏହି କାର୍ଯ୍ୟକ୍ରମକୁ ଏଥିପାଇଁ ଆସିଛି କାରଣ ମୋତେ କୁହାଯାଇଥିଲା ଯେ, ନୀତିନ ଗଡକରୀ ଅହମ୍ମଦନଗରରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ। ଏଥିରେ ସହରର ଅନେକ ସମସ୍ୟା ଦୂର ହୋଇଯିବ। ସେ ମଧ୍ୟ ଚାହୁଁଥିଲେ ଯେ, ମୁଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହେ। ତେଣୁ ମୁଁ ଏଠାକୁ ଆସିଛି।

ଶରଦ ପାଓ୍ଵାର କହିଛନ୍ତି, ଅନେକ ଥର ଏମିତି ହୋଇଥାଏ, ପ୍ରୋଜେକ୍ଟର ଶିଳାନ୍ୟାସ୍ ହୋଇଯାଏ, ବାସ୍ ଆଉ କିଛି ହୁଏନି। କିନ୍ତୁ ଗଡକରୀଙ୍କ ପ୍ରୋଜେକ୍ଟ କଥା ଆସିଲେ, କିଛି ଦିନରେ କାମ ଆରମ୍ଭ ହୋଇଯିବା ଦେଖିବାକୁ ମିଳେ। ଜନତାଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧି କେଉଁଭଳି କାମ କରିବା ଉଚିତ୍, ନୀତିନ ଗଡକରୀ ଏହାର ସର୍ବୋତ୍କୃଷ୍ଟ ଉଦାହରଣ।

ଶରଦ ପାଓ୍ଵାର କହିଛନ୍ତି, ମୋର ମନେ ଅଛି ଗଡକରୀ ମନ୍ତ୍ରୀ ପଦ ସମ୍ଭାଳିବା ପୂର୍ବରୁ ପ୍ରାୟ ୫୦୦୦ କିଲୋମିଟରର କାମ ହୋଇଥିଲା। ମାତ୍ର ତାଙ୍କ ପଦ ସମ୍ଭାଳିବା ପରେ ଏହା ୧୨ ହଜାର କିଲୋମିଟର ଅତିକ୍ରମ କରିଛି। ନିଜ ସମ୍ବୋଧନରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାରେ ସଡକ ପରିବହନ ନିର୍ମାଣ ପ୍ରକଳ୍ପ ସମୟରେ ଜାତୀୟ ରାଜମାର୍ଗ ପ୍ରାଧୀକରଣ ସ୍ଥାନୀୟ ନଦୀ ଉପରେ ନଜର ମଧ୍ୟ ରଖିଥିଲେ, ଯେମିତି ଏହା ଉପରେ କୌଣସି ପ୍ରଭାବ ନପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.