ଜି-୭ ମନ୍ଥନରୁ ଦୁନିଆକୁ ମିଳିଲା ଭ୍ୟାକ୍ସିନ ରୂପି ଅମୃତ, ଚୀନକୁ ଘେରିବାକୁ ସହମତ ହେଲେ ଦେଶ

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ ୧୩।୦୬: କରୋନା ମହାମାରୀ ମଧ୍ୟରେ ପ୍ରଥମ ଥର ଦୁନିଆର ସାତ ସବୁଠୁ ଅର୍ଥନୈତିକ ସମୃଦ୍ଧ ଗଣତାନ୍ତ୍ରିକ ଦେଶ ରାଷ୍ଟ୍ର ମୁଖ୍ୟ ଗୋଟିଏ ମଞ୍ଚରେ  ଏକତ୍ର ହୋଇଛନ୍ତି। ସଭିଙ୍କ ନଜର ଥିଲା ଯେ, ଏହି ବୈଠକରୁ କଣ ନିଷ୍କର୍ସ ବାହାରିବ। ଆଶା ଅନୁରୂପ ଏହି ମନ୍ଥନରେ ଦୁନିଆକୁ ଭ୍ୟାକ୍ସିନ ରୂପି ଅମୃତର ଉପହାର ବାହାରିଥିବା ବେଳେ ଦୁନିଆକୁ ମହାମାରୀ ଭିତରକୁ ଠେଲିଥିବା ଚୀନର  ଚିନ୍ତା ବଢାଇ ଦିଆଯାଇଛି। କରୋନାର ଉତ୍ପତ୍ତି ସ୍ଥଳର ପୁନଃଯାଞ୍ଚ, ଡ୍ରାଗନର ଆର୍ଥିକ ନୀତିକୁ ଚ୍ୟାଲେଞ୍ଜ କରିବା ଏବଂ ମାନବାଧିକାରର ଉଲ୍ଲଂଘନ ଉପରେ ରୋକ୍ ଲଗାଇବା ପାଇଁ ଜି-୭ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜି-୭ ଦେଶରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା ଓ ବ୍ରିଟେନ୍ ରହିଛି। ଏହି ମଞ୍ଚରେ ଭାରତକୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା।

ଦୁନିଆର ଆର୍ଥିକ ସୁଦୃଢ ଦେଶଗୁଡିକର ନେତା ଗରିବ ଦେଶଗୁଡିକୁ ଏକ ଅରବରୁ ଅଧିକ କୋଭିଡ୍-୧୯ର ଭ୍ୟାକ୍ସିନ ଡୋଜ୍ ଯୋଗାଇ ଦେବାକୁ ସଂକଳ୍ପ ନେଇଛନ୍ତି। ଏଥିସହ ବହୁରାଷ୍ଟ୍ରୀୟ କମ୍ପାନୀ ଯେପରିକି ଗୁଗଲ, ଫେସବୁକ, ଆମାଜନ, ଆପଲ ପରି କମ୍ପାନୀ ଉପରେ ବୈଶ୍ଵିକ ସର୍ବନିମ୍ନ ଟ୍ୟାକ୍ସର ସମର୍ଥନ କରିଛନ୍ତି। ଚୀନର ବଜାର ବିରୋଧୀ ଆର୍ଥିକ ନୀତିର ମୁକାବିଲା ପାଇଁ ଏକ ସଙ୍ଗେ କାମ କରିବାକୁ ଜି-୭ ମଧ୍ୟରେ ସହମତି ପ୍ରକାଶ ପାଇଛି।

ଦକ୍ଷିଣ-ପଶ୍ଚିମ ଇଂଲଣ୍ଡରେ ରବିବାର ଜି-୭ର ଶିଖର ସମ୍ମିଳନୀର ସମାପନ ଦିବସରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ଦେଶଗୁଡିକୁ ଅନ୍ତର୍ଜାତୀୟ କୋଭାକ୍ସିନ ନୀତି ଆଧାରରେ ଗରିବ ଦେଶଗୁଡିକୁ ଟିକା ଯୋଗାଇ ଦିଆଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜି-୭ରେ ଯୋଗ ଦେଇଥିଲେ।

ଜି-୭ ପକ୍ଷରୁ ରବିବାର ଜାରି ବିଜ୍ଞପ୍ତିରେ କୁହାଯାଇଛି, ଚୀନର ବଜାର  ବିରୋଧୀ ନୀତି ଏବଂ ପ୍ରଥାର ମୁକାବିଲା ପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ଵୟ ଜାରି ରଖି କାମ କରିବା। ସିନଜିଆଙ୍ଗ ଓ ହଂକଂରେ ମାନବାଧିକାର ଓ ମୌଳିକ ଅଧିକାର ସମ୍ମାନ ଦେବା ପାଇଁ ଚୀନ ଉପରେ ଚାପ ପକାଯିବ। ଚୀନ ଉପରେ ଅଭିଯୋଗ ହୋଇ ଆସିଛି ଯେ, ସିନଜିଆଙ୍ଗରେ ସଂଖ୍ୟାଲଘୁ ଉଇଗରଙ୍କ ମାନବାଧିକାର କ୍ଷୁର୍ଣ୍ଣ କରାଯାଉଛି।

ଜି-୭ ଦେଶ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳର ସନ୍ଧାନ ପାଇଁ ବିଶେଷଜ୍ଞଙ୍କ ନେତୃତ୍ଵରେ ପୁନର୍ବାର ଯାଞ୍ଚ କରିବାକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନକୁ କହିଛନ୍ତି। ଏହି ଯାଞ୍ଚ ନିଶ୍ଚିତ ଭାବେ ପାରଦର୍ଶୀ ପ୍ରକ୍ରିୟାରେ କରିବା ଉଚିତ୍ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ହୋଇଥିବା ତଦନ୍ତରେ କୌଣସି ପ୍ରକାରର ନିଷ୍କର୍ସ ବାହାରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.