ନୂଆଦିଲ୍ଲୀ ୨୨।୧୨: ରିଲାଏନ୍ସ-ଫ୍ୟୁଚର ଡିଲ୍ରେ ଦିଲ୍ଲୀ ହାଇକୋର୍ଟ ଫ୍ୟୁଚର ଗ୍ରୁପକୁ ଆଶ୍ଵସ୍ତି ଦେବାକୁ ମନା କରି ଦେଇଛନ୍ତି। ଅଦାଲତ ଫ୍ୟୁଚର ଗ୍ରୁପର ସେହି ଆବେଦନକୁ ଖାରଜ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ଆମାଜନକୁ ରିଲାଏନ୍ସ ସହିତ ତାର ରାଜିନାମାରେ ଦଖଲ ଦେବାକୁ ରୋକା ଯାଉ। ଆବେଦନରେ ଏହା ମଧ୍ୟ ଉଲ୍ଲେଖ ଥିଲା ଆଇନ ଅନୁଯାୟୀ ରିଲାଏନ୍ସ, ଫ୍ୟୁଚରର ଅଂଶଧନକୁ କିଣି ପାରିବ। କୋର୍ଟ ଫ୍ୟୁଚରର ସେହି ଦଲିଲକୁ ମଧ୍ୟ ଖାରଜ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ସିଙ୍ଗାପୁର ଅନ୍ତରାଷ୍ଟ୍ରୀୟ ଅଦାଲତକୁ ଏହି ମାମଲାରେ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ।
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସେବିକୁ ଭାରତୀୟ ଆଇନ ହିସାବରେ ରିଲାଏନ୍ସ ଓ ଫ୍ୟୁଚରର ମାମଲା ସମାଧାନ କରିବାକୁ ଆଦେଶ ଦେଇଛନ୍ତି। ସିଙ୍ଗାପୁରର କୋର୍ଟ ଏହି ମାମଲାରେ ନିଷ୍ପତ୍ତି ନେବାର ଅଧିକାର ନାହିଁ ଦାବି କରି ଫ୍ୟୁଚର ଗ୍ରୁପ ଆବେଦନରେ ଦର୍ଶାଇଥିଲା। ଉଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରି ଫ୍ୟୁଚରକୁ କୌଣସି ଆଶ୍ଵସ୍ତି ଦେଇ ନାହାନ୍ତି। କିନ୍ତୁ ସେବିକୁ ଭାରତୀୟ ଆଇନ ମୁତାବକ ଫ୍ୟୁଚର ଗ୍ରୁପର ଆବେଦନ ଉପରେ ବିଚାର କରିବାକୁ ଆଦେଶ ଦିଆଯାଇଛି।
ଅକ୍ଟୋବରରେ ସିଙ୍ଗାପୁରର ଏକ ମଧ୍ୟସ୍ଥତା ଅଦାଲତ ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପର ଡିଲ୍ ଉପରେ ଅନ୍ତରୀଣ ରୋକ୍ ଲଗାଇଥିଲେ। ଦିଲ୍ଲୀ ହାଇକୋର୍ଟ ରେଗୁଲେଟର୍ସକୁ ଏହି ବିବାଦରେ ନିର୍ଣ୍ଣୟ ନେବାକୁ ଆଦେଶ ଦେଇଛନ୍ତି। ଏଥିସହ ସଙ୍କେତ ଦେଇଛନ୍ତି ଯେ, ମାମଲାକୁ ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ସମାଧାନ କରାଯିବ। ଦିଲ୍ଲୀ ହାଇକୋର୍ଟ ସ୍ଵୀକାର କରିଛନ୍ତି ଯେ, ରିଲାଏନ୍ସର ରାଜିନାମାକୁ ମଞ୍ଜୁରୀ ଦେଇଥିବା ଏଫଆରଏଲ ବୋର୍ଡର ପ୍ରସ୍ତାବ ବୈଧ୍ୟ ଅଟେ।
ସୂଚନାଯୋଗ୍ୟ, ନିଜ ବ୍ୟବସାୟର ପୁନର୍ଗଠନ ସହିତ ଫ୍ୟୁଚର ଗ୍ରୁପ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ର ଖୁଚୁରା, ପାଇକାରୀ ଓ ଲଜିଷ୍ଟିକ କାରବାରକୁ ୨୪,୭୧୩ କୋଟି ଟଙ୍କାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜକୁ ବିକ୍ରି କରିବାକୁ ଘୋଷଣା କରିଥିଲା। ଫ୍ୟୁଚର ଓ ରିଲାଏନ୍ସ ରିଟେଲ୍ ମଧ୍ୟରେ ହୋଇଥିବା ଚୁକ୍ତିରେ ବିଗବଜାର, ଏଫବିବି, ବ୍ରାଣ୍ଡ ଫ୍ୟାକ୍ଟ୍ରି, ଫୁଡହଲ, ହେରିଟେଜ୍ ଫ୍ରେଶ ଓ WHSmith ସହିତ ୧୫୫୦ରୁ ଅଧିକ ଷ୍ଟୋର ରିଲାଏନ୍ସ ଇଣ୍ଡଷ୍ଟ୍ରୀଜରେ ସାମିଲ ହେବ।