ସଂକଟରେ ଚୀନ୍‌ରେ ମେଡିକାଲ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ,ଲୋଡିଲେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ

Published By : Prameya-News7 Bureau | July 11, 2021 IST

ନୂଆଦିଲ୍ଲୀ ୧୧।୭ : ଚୀନ୍‌ର ବିଭିନ୍ନ ମେଡିକାଲ କଲେଜରେ ପଢୁଥିବା ୨୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ସଂକଟରେ। ଗତବର୍ଷ ପ୍ରାରମ୍ଭରେ ଛୁଟି କଟାଇବାକୁ ଭାରତ ଆସିଥିବା ଏହି ଛାତ୍ରଛାତ୍ରୀ କରୋନା କଟକଣା ଲାଗି ପାଠ୍ୟକ୍ରମରେ ଯୋଗ ଦେଇପାରୁ ନାହାନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଛାତ୍ର ଛାତ୍ରୀ ଅନଲାଇନରେ ପଢୁଛନ୍ତି। ହେଲେ ସେମାନେ ଶ୍ରେଣୀରେ ପଢି ପାରୁନଥିବାରୁ ପ୍ରାକ୍ଟିକାଲ କ୍ଲାସ୍‌ରୁ ବଞ୍ଚିତ ହୋଇଛନ୍ତି। ଏଣୁ ସେମାନଙ୍କ ଶିକ୍ଷା ଏବଂ ଭବିଷ୍ୟତ ଉଭୟ ଏବେ ସଂକଟରେ ପଡିଯାଇଛି।

୨୦୧୯ ତଥ୍ୟ ଅନୁସାରେ ୨୩ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଚୀନ୍‌ର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଭିନ୍ନ ଭିନ୍ନ ପାଠ୍ୟକ୍ରମରେ ଆଡମିସନ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏମବିବିଏସ୍‌ ପଢିବା ଲାଗି ଚୀନ୍‌ ମେଡିକାଲ କଲେଜମାନଙ୍କରେ ଆଡମିସନ କରିଥିଲେ। ତେବେ ଭାରତରେ କରୋନା ଦ୍ୱିତୀୟ ଲହର ଲାଗି ଭାରତ ଆସିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଶ୍ରଣୀକୁ ଫେରିବାକୁ ଅନୁମତି ମିଳି ନାହିଁ। 

{"id":478981,"width":840,"height":473,"sizeSlug":"large","linkDestination":"none"}

ତେବେ ବିଦେଶରେ ପାଠପଢିବା ଲାଗି ପରାମର୍ଶ ଦେଉଥିବା ଓମ ମେଡିକମ୍‌ର ଶମିକ ମଜୁମଦାରଙ୍କ ଅନୁସାରେ ଚୀନ୍‌ ଏବେ ଶୀତକାଳୀନ ଅଲିମ୍ପିକ୍‌ ଲାଗି ପ୍ରସ୍ତୁତି କରୁଛି। ଏଣୁ ଆଶା କରାଯାଉଛି ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ଅଥବା ଅକ୍ଟୋବର ମାସ ବେଳକୁ ପାଠ୍ୟକ୍ରମରେ ଯୋଗଦେବା ଲାଗି ଡକାଇପାରେ ବୋଲି କହିଛନ୍ତି। ତେବେ ପୁଣି ପାଠପଢା ସ୍ୱଭାବିକ କରିବା ଲାଗି ଚୀନରେ ଅଧ୍ୟୟନ କରୁଥିବା ପ୍ରାୟ ୩ ହଜାର ଛାତ୍ରଛାତ୍ରୀଙ୍କ ଏକ ସମୂହ ଟେଲିଗ୍ରାମରେ ଇଣ୍ଡିଆନ ଷ୍ଟୁଡେଣ୍ଟସ୍‌ ଇନ ଚାଇନା ନାମରେ ଏକ ଗ୍ରୁପ ଚଳାଇଛନ୍ତି। ଏହା ମାଧ୍ୟମରେ ସେମାନେ ନିଜର ସମସ୍ୟା ପ୍ରତି ଉଭୟ ଭାରତ ଓ ଚୀନ ସରକାରଙ୍କ ଧ୍ୟାନ ଆକର୍ଷଣ ଲାଗି ଏବେ ଉଦ୍ୟମ କରୁଛନ୍ତି। 

ଏହି ଛାତ୍ରଛାତ୍ରୀମାନେ ଟ୍ୱିଟରରେ ମଧ୍ୟ ଏକ ହ୍ୟାସ ଟ୍ୟାଗ୍‌ ଟ୍ରେଣ୍ଡ କରାଇଛନ୍ତି। ଯେଉଁଥିରେ ସେମାନଙ୍କ ସମସ୍ୟା ସମାଧାନ ଲାଗି ଗତମାସରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଥିଲେ। ଚୀନ୍ ସରକାର ଆମେରିକା ଓ ଦକ୍ଷିଣ କୋରିଆ ଛାତ୍ରଛାତ୍ରୀଙ୍କୁ ଅନୁମତି ପ୍ରଦାନ କରିଥିବା ବେଳେ ଏପର୍ଯ୍ୟନ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଅନୁମତି ଦେଇ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଛାତ୍ରଛାତ୍ରୀମାନେ ଚୀନ୍‌ରେ ନଥାଇ ମଧ୍ୟ ସେମାନଙ୍କ ପାଠ୍ୟକ୍ରମ ଫିସ୍‌ ଓ ହଷ୍ଟେଲ ଦେୟ ମଧ୍ୟ ପୈଠ କରୁଛନ୍ତି। ହେଲେ ସେମାନଙ୍କ ଚୀନ୍‌ ଯିବା ଉପରେ କଟକଣା ବଳବତ୍ତର ରହିଛି।

ଏ ବାବଦେ ଛାତ୍ରଛାତ୍ରୀମାନେ ଅତୀତରେ ଚୀନ୍‌ ଓ ଭାରତୀୟ ଦୂତାବାସଙ୍କୁ ମଧ୍ୟ ସହାୟତା ନିମନ୍ତେ ନିବେଦନ କରିଥିଲେ। ହେଲେ ଏଥିରୁ ସେମାନଙ୍କୁ କୌଣସି ସୁଫଳ ମିଳିନଥିବା କହିଛନ୍ତି। ବେଜିଂସ୍ଥିତ ଭାରତୀୟ ଦୂତାବାସ ଅଧିକାରୀମାନେ ଅନେକ ଥର ପ୍ରସଙ୍ଗରେ ବିଦେଶମନ୍ତ୍ରାଳୟ ଓ ଶିକ୍ଷାମନ୍ତ୍ରାଳୟ ସ୍ତରରେ ଚୀନ ସରକାରଙ୍କ ଆଗରେ ପ୍ରସଙ୍ଗ ରଖିଥିବା କହିଛନ୍ତି। ହେଲେ ଚୀନ୍‌ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଜବାବ ଦିଆଯାଇ ନାହିଁ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.