ପ୍ରଧାନମନ୍ତ୍ରୀଙ୍କୁ ଫ୍ୟୁଚ୍ର ଗ୍ରୁପରେ କାମ କରୁଥିବା ମହିଳା କର୍ମଚାରୀଙ୍କ ଆକୁଳ ନିବେଦନ, ଆମ ଜୀବିକା ରକ୍ଷା କରନ୍ତୁ…
8/03/2021 at 5:50 PM

ନୂଆଦିଲ୍ଲୀ ୦୮।୦୩: ଆମାଜନ୍ ଓ ଫ୍ୟୁଚର ଗ୍ରୁପ ମଧ୍ୟରେ ଜାରି ଆଇନଗତ ଲଢେଇ ଥମିବାର ନାଁ ନେଉନାହିଁ। ଫଳରେ ଫ୍ୟୁଚ୍ର ଗ୍ରୁପର ମାଲିକାନାରେ ଥିବା ବିଗ୍ ବଜାର ସମେତ ଅନେକ ରିଟେଲ୍ ଆନୁଷ୍ଠାନିକ ଭାବେ ରିଲାଏନ୍ସର ହୋଇ ପାରୁନି। ଫଳରେ ଦୋଛକିରେ ଏବେ ବିଗ୍ ବଜାରରେ କାମ କରୁଥିବା ମହିଳା କର୍ମଚାରୀ। ସେମାନଙ୍କର ରୋଜଗାରର ଭବିଷ୍ୟତ ଅନିଶ୍ଚିତତା ଦେଇ କରୁଛି। ଏହି କ୍ରମରେ ବିଗ୍ ବଜାରର ମହିଳା କର୍ମଚାରୀ ସମୂହ ଯେଉଁମାନେ ଫ୍ୟୁଚ୍ର ଗ୍ରୁପ ପାଇଁ କାମ କରନ୍ତି, ସେମାନେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଜୀବିକା ରକ୍ଷା ପାଇଁ ନିବେଦନ କରିଛନ୍ତି। ଆମାଜନ ଓ ଫ୍ୟୁଚର ଗ୍ରୁପ ମଧ୍ୟରେ ଜାରି ଆଇନଗତ ଲଢେଇରେ ହସ୍ତକ୍ଷେପ କରି ସେମାନଙ୍କର ଜୀବିକାକୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ବିଗ୍ ବଜାର ଏସଓଏସ ଗ୍ରୁପର ମହିଳାମାନେ କହିଛନ୍ତି ଯେ, ଫ୍ୟୁଚର ରିଟେଲ୍ ଓ ରିଲାଏନ୍ସ ଏମିତ ବ୍ୟବସ୍ଥା କରିଥିଲେ ଯାହା ମାଧ୍ୟମରେ ଫ୍ୟୁଚ୍ର ରିଟେଲ୍ ଷ୍ଟୋର ରିଲାଏନ୍ସ ଦ୍ଵାରା ସଞ୍ଚାଳିତ ହେବ। ଫ୍ୟୁଚ୍ର ରିଟେଲ୍ ନିଜର ଅଂଶ ମଧ୍ୟ ରିଲାଏନ୍ସକୁ ବିକ୍ରି କରିଛି। ରିଲାଏନ୍ସ ମଧ୍ୟ ପ୍ରତିଶ୍ରୁତି ଦେଇଛି ଯେ, ଫ୍ୟୁଚ୍ର ରିଟେଲ୍ ଦ୍ଵାରା ଯୋଗାଣକାରୀ ଏବଂ ବିକ୍ରେତାଙ୍କଠୁ କରିଥିବା ଋଣ ପରିଶୋଧ କରିବ।
କରୋନା ମହାମାରୀ ସମୟରେ ଆମେ ସଙ୍କଟଜନକ ସ୍ଥିତି ଦେଇ ଗତି କରିଛୁ। ରିଲାଏନ୍ସ ଓ ଫ୍ୟୁଚ୍ର ମଧ୍ୟରେ ହୋଇଥିବା ରାଜିନାମା ଆମର ଜୀବିକା ପାଇଁ ବହୁତ ଆଶା ଏବଂ ବିଶ୍ଵାସ ଜନ୍ମାଇଛି। କିନ୍ତୁ ଆମାଜନ ଏହି ରାଜିନାମାକୁ ରୋକିବାକୁ ଉଦ୍ୟମ କରୁଛି। ପରିଣାମସ୍ଵରୂପ ଆମର ଏବଂ ପରିବାରର ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଛି।
ଅନ୍ତର୍ଜାତୀୟ ବିଶ୍ଵ ମହିଳା ଦିବସ ଅବସରରେ ଏହି ଗ୍ରୁପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଗ୍ରୁପ ଦାବି କରିଛି ଯେ, ଫ୍ୟୁଚ୍ର ଗ୍ରୁପ ଅନ୍ତର୍ଗତରେ ଥିବା ବିଗ୍ ବଜାର, ଏଫବିବି, ସେଣ୍ଟ୍ରାଲ, ବ୍ରାଣ୍ଡ ଫ୍ୟାକ୍ଟ୍ରି, ଇଜିଡେ, ହେରିଟେଜ୍ ସିଟି, ଡବ୍ଲ୍ୟୁଏଚ୍ ସ୍ମିଥ ଓ ସେଭେନ-ଇଲେଭେନ ଆଦିରେ ମୋଟ୍ ୨.୧ ଲକ୍ଷ ମହିଳା କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଏଥିରୁ ୧୦ ହଜାର ମହିଳା ପ୍ରତ୍ୟକ୍ଷ ଭାବେ ଏବଂ ୨ଲକ୍ଷ ମହିଳା ପରୋକ୍ଷ ଭାବେ ରୋଜଗାର କରୁଛନ୍ତି।
ମହିଳାଙ୍କ ଗ୍ରୁପ୍ କହିଛନ୍ତି, ଚାକିରି ବିନା ସେମାନଙ୍କ ପରିବାର ଗମ୍ଭୀର ସ୍ଥିତିରେ ପଡି ପାରନ୍ତି। ସଙ୍କଟଜନକ ଆର୍ଥିକ ସ୍ଥିତି ଦେଇ ଗତି କରି ପାରନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଆମର ରୋଜଗାର ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଫ୍ୟୁଚ୍ର ଗ୍ରୁପ୍ ଓ ରିଲାଏନ୍ସ ରିଟେଲ୍ ମଧ୍ୟରେ ୨୪,୭୧୩ କୋଟି ଟଙ୍କାର ରାଜିନାମା ହୋଇଛି। ରିଲାଏନ୍ସ ଫ୍ୟୁଚ୍ର ଗ୍ରୁପର ଅଂଶଧନ କିଣିବା ନେଇ ଚୁକ୍ତି ହୋଇଛି। ହେଲେ ଫ୍ୟୁଚ୍ର ଗ୍ରୁପରେ ତାର ଅଂଶଧନ ଥିବା ଦର୍ଶାଇ ଆମାଜନ ଗ୍ରୁପ-ରିଲାଏନ୍ସ ଚୁକ୍ତିକୁ ବାଦ୍ କରିବାକୁ ଦ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରର ଦ୍ଵାରସ୍ଥ ହୋଇଥିଲା। ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ବିଚାରଧୀନ ରହିଛି।