ଓ୍ୱାଇଡ୍ ଓ ଅଧିକ ଉଚ୍ଚର ଫୁଲ୍ଟସ୍ ବଲକୁ ରିଭ୍ୟୁ କରାଯାଉ- କୋହଲି
15/10/2020 at 3:22 PM

ଦୁବାଇ, ୧୫୧୦ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲର ରିଭ୍ୟୁ ସିଷ୍ଟମକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଓ୍ୱାଇଡ୍ ଓ ଅଣ୍ଟା ଉପରେ ପଡୁଥିବା ଫୁଲଟସ୍ ବଲକୁ ରିଭ୍ୟୁ କରାଯାଉ ବୋଲି କୋହଲି କହିଛନ୍ତି । ଏହି ବିକଳ୍ପ ମଧ୍ୟ ଦଳ ପାଇଁ ଖୋଲା ରହିବା ଦରକାର ବୋଲି ସେ କହିଛନ୍ତି ।
କୋହଲି କେଏଲ ରାହୁଲଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ଅଧିନାୟକ ଭାବେ ସେ ଓ୍ୱାଇଡ୍ ଓ ଅଣ୍ଟା ଉପରେ ପଡୁଥିବା ଫୁଲଟସ୍ ବଲର ରିଭ୍ୟୁ ବିକଳ୍ପ ରହିବା ଉଚିତ ବୋଲି ଚାହାଁନ୍ତି । ଅନେକ ଥର ଅମ୍ପାୟାରଙ୍କ ନିଷ୍ପତ୍ତି ଭୁଲ ହୋଇଥାଏ । ଆଇପିଏଲ ଭଳି ଅନ୍ୟ ବଡ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଏହା ବହୁତ ଗୁରୁତ୍ୱ ବହନ କରିଥାଏ ।
ରାହୁଲ ମଧ୍ୟ କୋହଲିଙ୍କ ବୟାନକୁ ସମର୍ଥନ କରି କହିଛନ୍ତି ଯେ, ଯଦି ଏପରି ନିୟମ ଆସେ ତେବେ ବହୁତ ଭଲ ହେବ । ଗୋଟିଏ ଦଳକୁ ଦୁଇଟି ରିଭ୍ୟୁ ଦିଆଯିବା ଉଚିତ । ଏହାର ଉପଯୋଗ କୌଣସି ନିଷ୍ପତ୍ତି ବିରୋଧରେ କରାଯାଇ ପାରିବ । ଆହୁରି ମଧ୍ୟ କୌଣସି ଖେଳାଳି ୧୦୦ ମିଟରରୁ ବଡ ଛକା ଲଗାଇତେ ତାଙ୍କୁ ଅତିରିକ୍ତ ରନ୍ ଦିଆଯାଉ ବୋଲି ରାହୁଲ କହିଛନ୍ତି ।