ଏଲ୍ଓସି ଆଡକୁ ପାକିସ୍ତାନୀ ମାଡି ଆସିବା ଘଟଣା,ସୀମାରେ ହାଇଆଲର୍ଟ- କୌଣସି ଅନୁପ୍ରବେଶକୁ ରୋକିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ

Published By : Prameya-News7 Bureau | October 07, 2019 IST

ଶ୍ରୀନଗର୭|୧୦: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ହାଇଆଲର୍ଟ ଜାରି କରାଯାଇଛି। ଜେକେଏଲ୍‌ଏଫ୍‌ର ହଜାର ହଜାର ସଦସ୍ୟ ଏଲ୍‌ଓସି ଆଡକୁ ମାଡି ଆସୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ନିୟନ୍ତ୍ରଣ ରେଖାର ଉଲ୍ଲଘଂନ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ ଅନ୍ତର୍ଜାତୀୟ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିନା ଅସ୍ତ୍ରଶସ୍ତ୍ରରେ ସୀମା ପାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ। ହେଲେ ଅସ୍ତ୍ରଶସ୍ତ୍ର ଧରି ସୀମା ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ଗୁଳି କରି ହତ୍ୟା କରାଯିବ ବୋଲି ସେନାର ବରିଷ୍ଠ ଅଧିକାରୀ ନିର୍ଦେଶ ଦେଇଛନ୍ତି।

ନିୟନ୍ତ୍ରଣ ସୀମାରେ ମୁତୟନ ହୋଇଥିବା ଯବାନମାନେ ଶତ୍ରୁ ସହ କିପରି ମୁକାବିଲା  କରିବେ ଏନେଇ   ଫିଲ୍ଡ କମାଣ୍ଡର ସେମାନଙ୍କୁ ତାଲିମ ଦେଇଛନ୍ତି। ନିୟନ୍ତ୍ରଣ ରେଖା ଅତିକ୍ରମ କରି ସୀମା ଭିତରକୁ ପ୍ରବେଶ କରିବା ପାଇଁ କିଛି ଆତଙ୍କବାଦୀ ଚେଷ୍ଟା ଜାରି ରଖିଛନ୍ତି। ସେମାନଙ୍କ ଉପରେ କଡ଼ା ନଜର ରଖିବା ଲାଗି ଫିଲ୍ଡ କମାଣ୍ଡର ଯବାନମାନଙ୍କୁ ନିର୍ଦେଶ ଦେଇଛନ୍ତି। ୟୁଏନ ରାଷ୍ଟ୍ର ମଞ୍ଚରେ ପାକ୍‌ ହତାଶ ହୋଇ ଫେରିବା ପରେ ପିଓକେରେ ଭୟ ବାତାବରଣ ସୃଷ୍ଟି କରିବା ପାଇଁ ପାକ୍‌ ଚେଷ୍ଟା କରୁଛି।

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପ​‌ରେ ପାକିସ୍ତାନ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରୁଛି। ପାକ୍‌ ଅଧିକୃତ କାଶ୍ମୀରର କିଛି ସ୍ଥାନକୁ ଢ଼ାଲକରି ଭାରତ ଉପରେ ପ୍ରହାର କରିବା ଲାଗି ପାକ୍‌ ଚେଷ୍ଟା ଜାରି ରଖିଛି। କାଶ୍ମୀରରୁ ପ୍ରାୟ ୧୦ ରୁ ୧୨ କିଲୋମିଟର ଦୂରରେ ପାକିସ୍ତାନ ମୋର୍ଟାର ଓ ଗୁଳିମାଡ କରି ପାରେ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନର ଏପରି ଗୁଳି ମାଡରେ କିଛି ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହେଲେ ସେ ଭାରତ ଉପରେ ଦୋଷ ଲଦି ପାରେ ବୋଲି ଅନେକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଏହାକୁ ଅସ୍ତ୍ର କରି ପାକିସ୍ତାନ ପୁଣି ୟୁଏନ୍‌ର ଦ୍ୱାରସ୍ଥ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.