ହାଇକୋର୍ଟର ଫୁଲ୍ ବେଞ୍ଚ କଲେ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି , ୧୩୬ ପକ୍ଷଙ୍କୁ ନୋଟିସ

Published By : Prameya-News7 Bureau | October 15, 2019 IST

କଟକ ୧୫।୧୦- ହାଇକୋର୍ଟର ଫୁଲ୍ ବେଞ୍ଚ ବା ଫୁଲ କୋର୍ଟ ଆଜି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି । ମାମଲାରେ ପକ୍ଷଭୁକ୍ତ ହୋଇଥିବା ୧୩୬ ଟି ପକ୍ଷଙ୍କୁ ଆଜି ନୋଟିସ ଜାରି କରିଛନ୍ତି କୋର୍ଟ, ଆସନ୍ତା ୨୧ ତାରିଖ ସୁଦ୍ଧା ଜବାବ୍ ଦାଖଲ କରିବାଲାଗି ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି ।

{"id":170519}

ବିଚାରପତି ବନାମ ଓକିଲ। ଯାହାକୁ ନେଇ ଏବେ ମୁହାଁମୁହିଁ ସ୍ଥିତି ଦେଖାଦେଇଛି ଓଡ଼ିଶା ହାଇକୋର୍ଟରେ। ଆଉ ସ୍ଥିତି ଏମିତି ହୋଇଛି ଆଜି ହାଇକୋର୍ଟରେ ପ୍ରଥମଥର ବସିଛି ଫୁଲ୍‌ କୋର୍ଟ। ମାନେ ମୋଟ ୧୩ ବିଚାରପତି ଏବଂ ମୁଖ୍ୟ ବିଚାରପତି କେ ଏସ ଜାଭେରି। ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ହାଇକୋର୍ଟ ବାର୍ ଆସୋସିଏସନ୍ ଦାବି କରୁଛି। ଏହି ଦାବିକୁ ନେଇ ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟ କିଛି ବାର୍‌ର ସଦସ୍ୟ ମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି।

{"id":170520}

ଏପରି କାର୍ଯ୍ୟବନ୍ଦ ବିରୋଧରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ଅଦାଲତ ଅବମାନନା ମାମଲା ଦାଏର କରାଯାଇଥିଲା । ଆଜି ଉକ୍ତ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟର ଫୁଲ ବେଞ୍ଚ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ୧୪ଜଣ ବିରାଚପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୧୩୬ ପକ୍ଷଙ୍କୁ ନୋଟିସ କରିଛନ୍ତି, ଯେଉଁଥିରେ ଅଛନ୍ତି  ମୁଖ୍ୟ ଶାସନ ସଚିବ, ଗୃହ ସଚିବ , ଆଇନ ସଚିବଙ୍କ ସମେତ ବିଭିନ୍ନ ବାର୍ ଆସୋସିଏସନ।

{"id":170521}

ତେଣେ ଆଇନ ବିଶାରଦ ମାନେ କହୁଛନ୍ତି ଫୁଲ ବେଞ୍ଚ ସ୍ଥାପନ କରିବା ଏବଂ କୌଣସି ଏକ ମାମଲାର ଶୁଣାଣି କରିବା ହେଉଛି ମୁଖ୍ୟ ବିଚାରପତିଙ୍କ ଇଛାଧୀନ ବ୍ୟାପାର , ତେଣୁ ତାକୁ ଚ୍ୟାଲେଞ କରାଯାଇପାରିବ ନାହିଁ । କିନ୍ତୁ କେଉଁ ପରିସ୍ଥିତିରେ ହାଇକୋର୍ଟର ରେଜିଷ୍ଟାର ଜୁଡିସିଆଲ ଏକ ଅଦାଲତ ଅବମାନନା ମାମଲା ଦାଏର କଲେ, ଏବଂ ତାର ଆବଶ୍ୟକତା କଣ ଥିଲା ଏହା ହେଉଛି ଏକ ବିରାଟ ବଡ ପ୍ରଶ୍ନ।

{"id":170522}

କିନ୍ତୁ ହାଇକୋର୍ଟ ବାର ଆସୋସିଏସନର ଯୁକ୍ତି ହେଲା ଓଡିଶା ହାଇକୋର୍ଟ ପାଇଁ ଅନବରତ ଅବହେଳା କରାଯାଉଛି। ଏବଂ କଲେଜିୟମ୍ ପଦ୍ଧତିରେ ବିଚାରପତି ନିଯୁକ୍ତ କରାଯିବା ଭଳି ବ୍ୟବସ୍ଥା ଦ୍ବାରା ଓଡିଶାର ସ୍ବାର୍ଥ ସାଧନ ହେଇପାରୁନାହିଁ। ତେଣୁ ସେମାନେ ଏପ୍ରକାର ପନ୍ଥା ଆପଣେଇବାକୁ ବାଧ୍ୟ, ତେବେ ଆଇନଜୀବୀ ହେଉଛନ୍ତି ସ୍ବତନ୍ତ୍ର ଏବଂ ,ସେମାନଙ୍କୁ କୋର୍ଟ କାର୍ଯ୍ୟରେ ଯୋଗ ଦେବାଲାଗି କେହି ବି ବାଧ୍ୟ କରିପାରିବେ ନାହିଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

{"id":170523}

ଅବଶ୍ୟ ଅତୀତରେ ଅନେକ ପ୍ରସଙ୍ଗକୁ ନେଇ ଆଇନଜୀବୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।। ଏପରିକି ହାଇକୋର୍ଟରେ ପ୍ରାୟ ଅଢେଇ ମାସ ଯାଏଁ ଓକିଲ ମାନେ କାର୍ଯ୍ୟରେ ଯୋଗଦେଇ ନଥିଲେ, ତେବେ ସମସ୍ତ ପ୍ରସଙ୍ଗକୁ ନେଇ ହାଇକୋର୍ଟ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି , ତାହା କି ପ୍ରକାର ରୂପ ନେବ ତା ଉପରେ ସମସ୍ତଙ୍କର ନଜର ରହିଛି।  ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

{"id":170525}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.