ସେଞ୍ଚୁରି ମାରିବ ପେଟ୍ରୋଲ! କରୋନା ପରେ ମହଙ୍ଗା ଚିନ୍ତାରେ ଖାଉଟି
23/01/2021 at 4:59 PM

ଗଙ୍ଗାନଗର ୨୩।୧: ଦେଶରେ ପେଟ୍ରୋଲ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶନିବାର ତୈଳ କମ୍ପାନୀମାନେ ଚଳିତମାସର ଅଷ୍ଟମ ଦରବୃଦ୍ଧି ଘୋଷଣା କରିଥିବା ବେଳେ ପ୍ରତିଲିଟର ପେଟ୍ରୋଲ ମୂଲ୍ୟରେ ୨୫ ପଇସା ବୃଦ୍ଧି ହୋଇଛି। ସେହିପରି ଡିଜେଲ ଲିଟର ପିଛା ୨୬ ପଇସା ବଢିଛି। ଫଳରେ ରାଜସ୍ଥାନ ଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୯୭ଟଙ୍କା ୫୦ ପଇସାରେ ବିକ୍ରି ହେଉଛି।

ଭୋପାଲରେ ପେଟ୍ରୋଲ ୯୩ଟଙ୍କା ୫୬ ପଇସାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୯୨ଟଙ୍କା ୨୮ ପଇସା ଦରରେ ବିକ୍ରି ହେଉଛି। ଚଳିତବର୍ଷ ଆରମ୍ଭରୁ ତୈଳକମ୍ପାନୀମାନେ ଦରବୃଦ୍ଧି କରିବା ଆରମ୍ଭ କରିଥିବା ବେଳେ ୨୩ ଦିନରେ ୮ ଥର ମୂଲ୍ୟ ବୃଦ୍ଧି ହେଲାଣି। ଫଳରେ ଲିଟର ପିଛା ଦର ୧୦୦ଟଙ୍କା ହେବାକୁ ଆଉ ମାତ୍ର ଅଢେଇ ଟଙ୍କା ପଛରେ ରହିଛି।

ମୂଲ୍ୟବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଶନିବାର ପେଟ୍ରୋଲ ଲିଟର ପିଛା ୮୫ଟଙ୍କା ୭୦ ଟଙ୍କା ଦରରେ ବିକ୍ରି ହେଉଥବା ବେଳେ ଡିଜେଲ ପ୍ରତିଲିଟର ୭୫ଟଙ୍କା ୮୮ ପଇସାରେ ବିକ୍ରି ହେଉଛି। ଶନିବାର ତୈଳ ଦର ବୃଦ୍ଧି ପୂର୍ବରୁ ଶୁକ୍ରବାର ମଧ୍ୟ ଦର ବୃଦ୍ଧି ହୋଇଥିଲା। ୨୩ ଦିନରେ ୮ ଥର ମୂଲ୍ୟ ବୃଦ୍ଧିରେ ପ୍ରତି ଲିଟର ପେଟ୍ରୋଲ ୧ଟଙ୍କା ୯୯ ପଇସା ମହଙ୍ଗା ହୋଇଛି। ସେହିପରି ଡିଜେଲ ୨ଟଙ୍କା ଏକ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ତୈଳ କମ୍ପାନୀମାନେ ଜାନୁୟାରୀ ପ୍ରଥମ ସପ୍ତାହରେ ବର୍ଷର ପ୍ରଥମ ମୂଲ୍ୟ ସୁଧାର ଘୋଷଣା କରିଥିଲେ। ଦେଖୁ ଦେଖୁ ଇତି ମଧ୍ୟରେ ଆଉ ୭ ଥର ଦର ବୃଦ୍ଧି କରିଥିବା ବେଳେ ଦେଶରେ ପେଟ୍ରୋର ସର୍ବାଧିକ ମୂଲ୍ୟ ୯୭ଟଙ୍କା ୫୦ ପଇସାରେ ପହଞ୍ଚିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।