ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଦେଶରେ ବଢିଛି ତୈଳ ମୂଲ୍ୟ: ଧର୍ମେନ୍ଦ୍ର
6/12/2020 at 4:49 PM

ନୂଆଦିଲ୍ଲୀ ୬।୧୨: ଦେଶରେ ରବିବାର ପୁଣି ଥରେ ତୈଳମୂଲ୍ୟ ବୃଦ୍ଧି ହୋଇଛି। ତୈଳ କମ୍ପାନୀମାନେ ପେଟ୍ରୋଲ ପ୍ରତି ଲିଟର ୨୮ ପଇସା ମହଙ୍ଗା କରିଥିବା ବେଳେ ଡିଜେଲ ଲିଟର ପିଛା ଦରରେ ଆଉ ୩୦ ପଇସା ବୃଦ୍ଧି କରିଛନ୍ତି। ଫଳରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ଦର ୮୩ଟଙ୍କା ୪୧ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୭୩ଟଙ୍କା ୬୧ ପଇସା ଦରରେ ବିକ୍ରି ହେଉଛି।

ତେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ତୈଳ ଦର ବୃଦ୍ଧି ଲାଗି ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଦର ବୃଦ୍ଧିକୁ ଦାୟି କରିଛନ୍ତି। ନିକଟରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ କିଛି ଦେଶଙ୍କ ଆଭ୍ୟନ୍ତରିଣ ସଂଘର୍ଷ ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହୋଇଛି। ଯାହା ଭାରତକୁ ମଧ୍ୟ ପ୍ରଭାବିତ କରିଛି ବୋଲି ପ୍ରଧାନ କହିଛନ୍ତି।

ଭାରତ ସରକାର ଦେଶରେ ଏବେ ୫ ହଜାର କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଣ୍ଟ ନିର୍ମାଣ ଲାଗି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମଧ୍ୟପ୍ରଦେଶର ମାଲୱା କ୍ଷେତ୍ରରେ ଏହି ପ୍ଲାଣ୍ଟ ସ୍ଥାପନା ନେଇ କାଫି ସମ୍ଭାବନା ଥିବା ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି। ଏଠାରେ ଚାଷରୁ ବାହାରୁଥିବା ବର୍ଜ୍ୟ ଏପରି ଗ୍ୟାସ୍ ପ୍ଲାଣ୍ଟ ଲାଗି ଉପଯୋଗୀ ହେବ।