ପ୍ୟାକେଜଡ୍ ଡ୍ରିଙ୍କିଙ୍ଗ ୱାଟରରେ କ୍ୟାଲସିୟମ ଓ ମାଗ୍ନେସିୟମ ମାତ୍ରା ପାଳନ ଲାଗି ଆଉ ୬ମାସ ଅବଧି ବଢାଇଲେ FSSAI
2/01/2021 at 5:52 PM

ନୂଆଦିଲ୍ଲୀ ୨।୧: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ନିୟମ ଲାଗୁ ନିମନ୍ତେ ସମୟ ସୀମା ସମ୍ପ୍ରସାରଣ କରିଛନ୍ତି। ଯେପରି ୧ ଜୁଲାଇ ୨୦୨୧ ସୁଧା ପ୍ୟାକେଜଡ୍ ଡ୍ରିଙ୍କିଙ୍ଗ ୱାଟରରେ କ୍ୟାଲସିୟମ ଓ ମାଗ୍ନେସିୟମ ଭଳି ଖଣିଜ ମହଜୁଦ ହୋଇପାରୁଥିବ। ପୂର୍ବରୁ ଖାଦ୍ୟ ବ୍ୟାପାର ଅପରେଟର(ଏଫବିଓ)ଙ୍କ ଲାଗି ଏଫଏସଏସଏଆଇ ୧ ଜୁଲାଇ ୨୦୨୦ରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦେଶରେ କୋଭିଡ କଟକଣା ଓ ଲକଡାଉନ୍ ଯୋଗୁ ପରେ ନିୟମ ଲାଗୁ ନିମନ୍ତେ ସମୟ ସୀମା ୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏଥିରେ ଆଉ ୬ ମାସ ସମ୍ପ୍ରସାରଣ ହୋଇଛି। ଏକ ବୟାନରେ ଏଫଏସଏସଏଆଇ କହିଛନ୍ତି ଯେ ହିତାଧିକାରୀଙ୍କ ଏକ ବର୍ଗ ଏ ନେଇ ଆପତ୍ତି କରିଥିଲେ। ଯେଉଁଥିରେ କୋଭିଡ-୧୯ ମହାମାରୀ ଲାଗି ନିୟମ ପାଳନ ନିମନ୍ତେ ଏଫବିଓମାନେ ଏପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିପାରିନଥିବା କହିଥିଲେ।

ଏଣୁ ନିୟାମକ ୧ ଜୁଲାଇ ସୁଧା ପ୍ୟାକେଜଡ ଡ୍ରିଙ୍କିଙ୍ଗ ୱାଟରରେ କ୍ୟାଲସିୟମ ଓ ମାଗ୍ନେସିୟମ ମାତ୍ରା ସମ୍ପର୍କିତ ନିୟମ ପାଳନ ବାଧ୍ୟତାମୂଳକ ହେବ ବୋଲି ସ୍ପଷ୍ଟ କରିଛନ୍ତି। ପ୍ୟାକେଜଡ ଡ୍ରିଙ୍କିଙ୍ଗ ୱାଟରରେ ଏହି ମାନ ଏଫଏସଏସଏଆଇ ୨୦୧୯ ମସିହାରୁ ନିର୍ଦ୍ଧାରିତ କରିଛନ୍ତି। ପ୍ରତି ପେୟ ଜଳ ବୋତଲ( ୧ଲିଟର)ରେ ଅନୁନ୍ୟ ୨୦ରୁ ୭୫ ମିଲିଗ୍ରାମ କ୍ୟାଲସିୟମ ଓ ମାଗ୍ନେସିୟମ ରହିପାରିବ। ତେବେ ଏପର୍ଯ୍ୟନ୍ତ ବଜାରରେ ମିଳୁଥିବା ଏପରି ପାଣି ବୋତଲରେ ଏହି ଖଣିଜ ପରିମାଣ ମାତ୍ର ୧୦ରୁ ୩୦ ମିଲିଗ୍ରାମ ମଧ୍ୟରେ ରହୁଛି। ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶରେ ଏଫଏସଏସଏଆଇ ୨୦୧୯ ମସିହାରୁ ଏଥିପାଇଁ ଆଇନ ଲାଗୁ କରିଛନ୍ତି।