ଭୟରେ ଖେଳିଲେନି ଇଂଲଣ୍ଡ-ନ୍ୟୁଜିଲାଣ୍ଡ, ଏବେ ଭାରତ ଉପରେ ଦୋଷ ଲଦୁଛି ପାକିସ୍ତାନ, କହିଲା...

Published By : Prameya-News7 Bureau | September 22, 2021 IST

ଇସଲାମାବାଦ ୨୨।୦୯: ସୁରକ୍ଷା କାରଣ ଦର୍ଶାଇ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ କ୍ରିକେଟ୍ ଦଳ ନିଜର ପାକିସ୍ତାନ ଗସ୍ତ  ବାତିଲ୍ କରିଛନ୍ତି। ଏହାକୁ ନେଇ ବିଚଳିତ ହୋଇ ଉଠିଛି ପାକିସ୍ତାନ। କ୍ରିକେଟ୍ ବୋର୍ଡ ସହ ସେଠାକାର ସରକାର ମଧ୍ୟ ଉତକ୍ଷୀପ୍ତ ହୋଇ ଉଠିଛନ୍ତି। ଔଷଧ ବିକଳରେ ତାଟିଆ କାମୁଡିବା ନୀତିରେ ପାକିସ୍ତାନ ଏବେ ଭାରତ ଉପରେ ଦୋଷ ଲଦିବା ଆରମ୍ଭ କରି ଦେଇଛି। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଦାବି କରିଛନ୍ତି ଯେ, ନ୍ୟୁଜିଲାଣ୍ଡ କ୍ରିକେଟ୍‌କୁ ମିଳିଥିବା ଧମକଭରା ଇମେଲ ମୁମ୍ବାଇରୁ ପଠାଯାଇଥିଲା। ନ୍ୟୁଜିଲାଣ୍ଡର ପାକିସ୍ତାନ ଗସ୍ତ ବାତିଲ୍ କରିବା ପଛରେ ଭାରତର ହାତ ରହିଥିବା ସେ କହିଛନ୍ତି।

ଫଓ୍ଵାଦ ଚୌଧୁରୀ ଦାବି କରିଛନ୍ତି ଯେ, ଧମକ ଆସିବା ପରେ ମଧ୍ୟ ନ୍ୟୁଜିଲାଣ୍ଡର କ୍ରିକେଟ୍ ଦଳ ଅଧିକ ପ୍ରଭାବିତ ହୋଇନଥିଲେ। କାରଣ ମଇଦାନ ଓ ହୋଟେଲ୍ ବହୁତ ସୁରକ୍ଷିତ ଥିଲା। ସେ କହିଛନ୍ତି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଚୌଧୁରୀ କହିଛନ୍ତି, ନକଲି ସାମାଜିକ ଗଣମାଧ୍ୟମରେ  ଧମକ ପୂର୍ବତନ ଟିଟିପି କମାଣ୍ଡର ଏହସାନୁଲ୍ଲା ଏହସାନଙ୍କ ନାମରେ ପଠାଯାଇଥିଲା। ଏହି ପୋଷ୍ଟରେ ନ୍ୟୁଜିଲାଣ୍ଡ ଦଳ ଉପରେ ଆକ୍ରମଣର ଧମକ ଦିଆଯାଇଥିଲା।

ମାର୍ଟିନ ଗପଟିଲଙ୍କୁ ହତ୍ୟା କରିବାର ଆସିଥିଲା ଧମକ

ଚୌଧୁରୀ ଜଣେ ଭାରତୀୟ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଅଗଷ୍ଟ ୨୪ରେ ନ୍ୟୁଜିଲାଣ୍ଡ କ୍ରିକେଟର ମାର୍ଟିନ ଗୁପଟିଲଙ୍କ ପତ୍ନୀଙ୍କୁ ଧମକଭରା ଇମେଲ୍ ପଠାଯାଇଥିଲା। ଏହାକୁ ତହରିକ-ଏ-ଲବେକ ନାମରେ ପଠାଯାଇଥିଲା। ଏଥିରେ ଗୁପଟିଲ୍‌ଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ମାର୍ଟିନ ଗୁପଟିଲ୍ ସେହି ସମୟରେ ପାକିସ୍ତାନ ଗସ୍ତରେ ଥିଲେ। ଯାଞ୍ଚରୁ ଜଣା ପଡିଛି ଯେ, ନ୍ୟୁଜିଲାଣ୍ଡ ଗସ୍ତ ବାତିଲ୍ ହେବାପରେ ଆଉ ଏକ ଇମେଲ୍ ପଠାଯାଇଥିଲା,  ଯାହା ହମଜା ଆଫ୍ରିଦି ନାମରେ ଆସିଥିଲା। ଏହି ଇମେଲ୍ ଆଇଡି ଭାରତରୁ ଥିଲା  ବୋଲି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାବି କରିଛନ୍ତି।

ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହି ଇମେଲ୍ ଆଇଡି ଭାରତରେ ତିଆରି ହୋଇଥିଲା ଏବଂ ସିଙ୍ଗାପୁର ଆଇପି ଠିକଣାରେ ପଠାଯାଇଥିଲା। ଫଓ୍ଵାଦ ଚୌଧୁରୀ କହିଛନ୍ତି, ଭାରତରେ ଇମେଲ୍ ଆଇଡିକୁ ଯେଉଁ ଡିଭାଇସ୍‌ରେ ତିଆରି କରାଯାଇଥିଲା ସେଥିରେ ଆହୁରି ୧୩ ଇମେଲ୍ ଆଇଡି ପ୍ରସ୍ତୁତ କରାଯାଇଥିଲା। ଏଥିରେ ଅଧିକାଂଶ ଇମେଲ୍ ଭାରତୀୟ ଅଭିନେତା ଓ ସିରିୟଲ ଷ୍ଟାରଙ୍କ ନାମରେ ରହିଛି। ଚୌଧୁରୀ କହିଛନ୍ତି, ଯେଉଁ ଡିଭାଇସ୍‌ରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ଧମକପୂର୍ଣ୍ଣ ଇମେଲ୍ ପାଠଯାଇଥିଲା, ତାହା ମହାରାଷ୍ଟ୍ରରେ ରହୁଥିବା ପ୍ରକାଶ ମିଶ୍ରଙ୍କ ନାମରେ ଥିଲା ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.