ରାତି ପାହିଲେ ସାବିତ୍ରୀ ; ଫଳ ବଜାରରେ ମହଙ୍ଗା ମାଡ, ଆକାଶ ଛୁଆଁ ଫଳ ଦର
2/06/2019 at 4:30 PM

ଭୁବନେଶ୍ବର ୨|୬: ରାତି ପାହିଲେ ସାବିତ୍ରୀ ଅମାବାସ୍ୟା । ସ୍ବାମୀଙ୍କ ମଙ୍ଗଳ ଏବଂ ଲମ୍ବା ଆୟୁଷ କାମନା କରି ସ୍ତ୍ରୀ ରଖେ ବ୍ରତ । ତେବେ ଓଷା ପାଇଁ ସାବିତ୍ରୀ ଯେତିକି ଉତ୍ସାହିତ, ବଜାର ଦରକୁ ନେଇ ସତ୍ୟବାନ ସେତିକି ଚିନ୍ତିତ । ଫଳ ବଜାରରେ ପଶିଲା ବେଳକୁ ଦର ଶୁଣି ମୁଣ୍ଡ ଗୋଲ୍ ।

ସାବିତ୍ରୀ ପାଇଁ ବଲାଙ୍ଗିର ବଜାରରେ ଭିଡ଼ । ଶାଡ଼ୀ ଦୋକାନ ହେଉକି ଫଳ ବଜାର ସବୁଠି ଲାଗିଛି ଗହଳି । ପୂଜା ପାଇଁ ସିନା ସାବିତ୍ରୀ ଉତ୍ସାହିତ । ମନ ଖୁସିରେ ମାର୍କେଟିଂ କରୁଛନ୍ତି । ହେଲେ ଦର ଶୁଣିଲା ବେଳକୁ ସତ୍ୟବାନ ମୁଣ୍ଡରେ ହାତ ଦେଉଛନ୍ତି । ଫଳ ଖରାପ ହୋଇଯିବ ବୋଲି ଆଗରୁ କିଣିନଥିଲେ । ଆଉ ଦିନକ ଆଗରୁ କିଣିଲା ବେଳକୁ ପକେଟ୍ କୁ ବାଧୁଛି । ଖଜୁରୀ, କଦଳୀ, ଡାଳିମ୍ବ, ସପୁରୀ, ପଣସ, ଆମ୍ବ, ଅଙ୍ଗୁର ଯାହା ଯୋଉଠା ଧରିଲେ ରେଟ୍ ଆକାଶ ଛୁଆଁ ।

ପୂଜା ଥାଳିରେ ନୂଆ ଶାଡ଼ୀ ରହିଥାଏ । ମାଙ୍କୁ ଛୁଆଁଇବା ପରେ ଏହାକୁ ପିନ୍ଧିଥାଆନ୍ତି ବ୍ରତଧାରୀ । ତେଣୁ ନିଜ ବଜେଟ୍ କୁ ସୁହାଇଲା ଭଳି ଶାଢ଼ୀ ଖଣ୍ଡେ କିଣୁଛନ୍ତି ନିଶ୍ଚୟ । ଅଫର ଥିଲେ ଭଲ ।ନହେଲେ ବି କଛି କଥା ନାହିଁ ।

ଓଷା ପାଇଁ ବଜାର ଗରମ । ବ୍ୟବସାୟୀ ଭଲ ଦି ପଇସା ରଜୋଗାର କରୁଛନ୍ତି । ଆଉ ବର୍ଷକରେ ଗୋଟେ ଦିନ ଯେହୁତୁ ଯେମିତି ହେଲେ ଫଳମୂଳ କିଣିବାକୁ ପଡ଼ିବ ।