ବିଧାନସଭାର ଶୀତ ଅଧିବେଶନ ପାଇଁ ଆଜିଠୁ ହେବ କୋଭିଡ୍ ଟେଷ୍ଟ୍, ପଜିଟିଭ୍ ଚିହ୍ନଟ ହେଲେ ମିଳିବ ନାହିଁ ପ୍ରବେଶ ଅନୁମତି

Published By : Prameya-News7 Bureau | November 17, 2020 IST

ଭୁବନେଶ୍ୱର,୧୭/୧୧: ବିଧାନସଭାର ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ବସିବ । ତେବେ ଅଧିବେଶନ ପୂର୍ବରୁ ମଙ୍ଗଳବାରଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ । ଏଥିପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ୍ କରାଯିବ । ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ । ସାଢ଼େ ୮ରୁ ସାଢ଼େ ଗୋଟାଏ ଏବଂ ଅପରାହ୍‌ଣ ୩ରୁ ୫ଟା ଯାଏ କରୋନା ଟେଷ୍ଟ ହେବ । ତେବେ ୧୯ରେ କେବଳ ସକାଳ ସାଢ଼େ ୮ରୁ ଦିନ ସାଢ଼େ ଗୋଟାଏ ଯାଏ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପଜିଟିଭ୍‌ ଚିହ୍ନଟ ହେଲେ ବିଧାନସଭାକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

ସୂଚନାଯୋଗ୍ୟ, କରୋନା କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ବସିବ । ଆସନ୍ତା ୨୦ରୁ ଡିସେମ୍ବର ୩୧ ଯାଏ ବସିବାକୁ ଥିବା ଏହି ଅଧିବେଶନକୁ କରୋନା ଗାଇଡଲାଇନ୍‌ ଆଧାରରେ ପରିଚାଳନା କରାଯିବ । ଅଧିବେଶନର ପ୍ରଥମ ଦିନ ଅତିରିକ୍ତ ବଜେଟ୍‌ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେହିପରି ଅଧିବେଶନ ସରିବା ଯାଏ ପ୍ରତିଦିନ ବିଧାନସଭା ହଲକୁ ସାନିଟାଇଜ୍‌ କରାଯିବ । ଏପରିକି ଅଧିବେଶନ ଚାଲିଥିଲା ବେଳେ ଯଦି କାହାଠାରେ କରୋନା ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କର ତୁରନ୍ତ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ । ବିଧାନସଭା ପରିଚାଳନା ପାଇଁ ୧୮ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.