ପ୍ୟାରିସ୍ ଚୁକ୍ତିଠୁ ନେଇ ମୁସଲିମ ଦେଶକୁ ଯାତ୍ରା... ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିକୁ ହଟାଇଲେ ବାଇଡେନ୍

Published By : Prameya-News7 Bureau | January 21, 2021 IST

ୱାଶିଂଟନ୍, ୨୧/୦୧: ବହୁ ପ୍ରତୀକ୍ଷା ପରେ  ଏବଂ  କଳ୍ପନାର ଜଳ୍ପନାର ଅବସାନ ଘଟାଇ ଶେଷରେ ଆମେରିକାରେ ନୂଆ ସରକାର ଗଠିତ ହୋଇଛି । ଡୋମୋକ୍ରାଟ୍ ନେତା ଜୋ ବାଇଡେନ୍ ବୁଧବାର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ଆମେରିକା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜାନ ରାବଟର୍ସ ତାଙ୍କୁ ଶପଥ ପାଠ କରାଇଛନ୍ତି।  ଏଥି ସହିତ ମୂଳ ଭାରତୀୟ ଏବଂ ଆମେରିକାର ପ୍ରଥମ ଅଶ୍ଵେତ ମହିଳା ଉପରାଷ୍ଟ୍ରପତି ଭାବେ କମଳା ହାରିସ୍ ମଧ୍ୟ ଶପଥ ନେଇଛନ୍ତି ।

ବାଇଡେନ୍ ରାଷ୍ଟ୍ରପତି ହେବାପରେ ସାରା ବିଶ୍ୱ ତାଙ୍କଠାରୁ ଯାହା ଆଶା କରୁଥିଲା ସେ ସେପରି କରିଦେଖାଇଛନ୍ତି। ଶକ୍ତିଶାଳୀ ପଦରେ ବସିବା ପରେ ବାଇଡେନ୍ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ନୀତିକୁ ହଟାଇ ଦେଇଛନ୍ତି। ପ୍ରଥମ ଦିନରୁ ହିଁ ଆକ୍ସନ ମୁଡ୍‌ରେ ଥିବା ଜଣାପଡ଼ିଛି । ସେ ଆଜି ସ୍ୱାକ୍ଷର କରିଥିବା କିଛି ନିର୍ଦ୍ଦେଶନାମା ମଧ୍ୟରେ  ପ୍ୟାରିସ୍ ଜଳବାୟୁ ସଂପର୍କିତ ଆପୋଷ ବୁଝାବଣା ପ୍ରମୁଖ ରହିଛି । ହ୍ୱାଇଟ୍ ହାଉସ୍ ଏ ନେଇ କହିଛି ଯେ ଜଳବାୟୁ ସମ୍ପର୍କିତ ପ୍ୟାରିସ୍ ବୁଝାମଣାକୁ ଆମେରିକା ପୁଣି ସ୍ୱୀକୃତି ଦେବ । ତାଙ୍କ ଦେଶ ପୁଣିଥରେ ଏଥିରେ ସାମିଲ୍ ହେବ ବୋଲି ବାଇଡେନ୍ ଘୋଷଣା କରିଛନ୍ତି । ସେ ନିର୍ବାଚନ ସମୟରେ ଦେଶର ଜନତାଙ୍କ ଆଗରେ ଏହି ଶପଥ ନେଇଥିଲେ । ଏହାଛଡ଼ା ସେ କରୋନା ଭାଇରସ୍ ବିରୋଧରେ ଶୀଘ୍ର ପଦକ୍ଷେପ ନେବା ପାଇଁ ମହାମାରୀ କଣ୍ଟ୍ରୋଲ କମିଟି ଗଠନ ନିମନ୍ତେ ସ୍ୱାକ୍ଷର କରିଛନ୍ତି । ଏହି ଆଦେଶ ଅନୁସାରେ  ବାଇଡେନ ସମସ୍ତଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତାକୁ ବାଧ୍ୟତା ମୂଳକ କରିଛନ୍ତି ।

ବାଇଡେନ୍, ଡୋନାଲ୍ଡ ଟ୍ରମ୍ପ ମୁସଲିମ୍ ଗସ୍ତ ଉପରେ ଲଗାଇଥିବା କଟକଣାକୁ ମଧ୍ୟ ହଟାଇ ଦେଇଛନ୍ତି । ଏଥି ସହିତ ଟ୍ରମ୍ପ କିଛି ମୁସଲିମ୍ ଦେଶ ଉପରେ ଗମନା ଗମନ କଟକଣା ଲାଗାଇ ଦେଇଥିଲେ । ଖାଲି ଏତିକି ନୁହେଁ ସେ ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ ଲାଗି ସୁପାରିଶ୍ କରିଥିଲେ। ଏହି ନିଷ୍ପତ୍ତିକୁ ବାଇଡେନ୍ ବାତିଲ୍ କରିବା ସହ ଏଥି ପାଇଁ ହେଉଥିବା ଫଣ୍ଡିଂକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.