ରାଜ୍ୟର ଅଧା ଲୋକଙ୍କୁ କରୋନା ପ୍ରତିରୋଧ ପାଇଁ ଦିଆଯାଇଛି ହୋମିଓପାଥି ଔଷଧ: WHOକୁ ଜଣାଇଲେ ଗୁଜରାଟ ସରକାର

Published By : Prameya-News7 Bureau | August 23, 2020 IST

ଅହମ୍ମଦାବାଦ ୨୩।୦୮: କୋଭିଡ୍-୧୯ ପ୍ରକୋପରୁ ରକ୍ଷା ପାଇବା ପାଇଁ ସଂକ୍ରମଣ ଆରମ୍ଭ ହେବା ପରଠୁ ଅର୍ଥାତ ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ଗୁଜରାଟରେ ଅର୍ଦ୍ଧାଧିକ ଲୋକଙ୍କୁ ରୋଗ ପ୍ରତିରୋଧକ ଶକ୍ତି ଭାବେ ହୋମିଓପାଥିକ ଔଷଧ ଆର୍ସେନିକମ ଏଲବମ-୩୦ ଔଷଧ ଦିଆଯାଇଛି। ଗୁଜରାଟ ସ୍ଵାସ୍ଥ୍ୟ ବିଭାଗ ଏହାର ସୂଚନା ଦେଇଛନ୍ତି। ଗୁଜରାଟରେ କୋଭିଡ୍-୧୯ର ନିୟନ୍ତ୍ରଣ ପାଇଁ ରଣନୀତି ଆଧାରରେ ଅଗଷ୍ଟ ୨୦ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନକୁ ଦିଆଯାଇଥିବା ନିଜର ରିପୋର୍ଟରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ କହିଛି ରାଜ୍ୟର ପ୍ରାୟ ୩.୪୮ କୋଟି ଲୋକଙ୍କ ମଧ୍ୟରେ ଆର୍ସେନିକମ ଏଲବମ-୩୦ ବିତରଣ କରାଯାଇଛି। ମାତ୍ର କୌଣସି ବୈଜ୍ଞାନିକ ପ୍ରମାଣ ମିଳି ନାହିଁ ଯେ ଏହି ଔଷଧ କୋଭିଡ୍-୧୯ର ଉପଚାର ପାଇଁ ସହାୟକ।

ରାଜ୍ୟ ସରକାର ଏହା ମଧ୍ୟ ଦାବି କରିଛନ୍ତି ଆୟୁଷ(ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥି)ର ଲାଭ ଉଠାଇଥିବା ୯୯.୬ ପ୍ରତିଶତ ଲୋକ କ୍ଵାରେଣ୍ଟାଇନ ଅବଧି ସମୟରେ ଏହି ଔଷଧର ପ୍ରୟୋଗ ପରେ ସଂକ୍ରମଣ ମୁକ୍ତ  ହୋଇଛନ୍ତି। ସ୍ଵାସ୍ଥ୍ୟ ବିଭାଗ କହିଛି ଆୟୁଷ ଦ୍ଵାରା ପରାମର୍ଶ ଦିଆଯାଇଥିବା ଉପଚାର ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଛି। ଆୟୁଷ ଉପଚାରର ପ୍ରଭାବ କେମିତି ରହିଛି ତାର ଆକଳନ କରିବା ପାଇଁ ଏକ ଅଧ୍ୟୟନ ମଧ୍ୟ କରାଯାଇଥିଲା।

ବିଭାଗ କହିଛି ୩୩, ୨୬୮ ଲୋକ ଆଇସୋଲେସନ ସମୟରେ ଆୟୁଷ ଔଷଧରୁ ଉପକୃତ ହୋଇଛନ୍ତି, ଯେଉଁଥିରେ ଅଧାରୁ ଅଧିକ ଲୋକ ହୋମିଓପାଥି ଔଷଧର ଫାଇଦା ଉଠାଇଛନ୍ତି। ଗୁଜରାଟର ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଜୟନ୍ତୀ ରବି ରବିବାର କହିଛନ୍ତି ସରକାରଙ୍କୁ ଆର୍ସେନିକମ ଏଲବମ-୩୦ର ଔଷଧ କ୍ଷମତାକୁ ନେଇ ବିଶ୍ଵାସ ଥିଲା, କାରଣ ଯେଉଁ ଲୋକଙ୍କୁ ଆର୍ସେନିକ ଏଲବମ-୩୦ର ଔଷଧ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୯୯.୬୯ ପ୍ରତିଶତ କରୋନା ଭାଇରସ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.