ରେଲଓ୍ଵେର ଘୋଷଣା: ମାର୍ଚ୍ଚ ୨୧ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଟ୍ରେନ ବାତିଲ୍ ହେଲେ ଯାତ୍ରୀଙ୍କୁ ମିଳିବ ପୁରା ରିଫଣ୍ଡ
21/03/2020 at 8:47 PM

ନୂଆଦିଲ୍ଲୀ ୨୧।୦୩: କରୋନା ଭୂତାଣୁର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ଵେ ଟିକେଟ୍ ରିଫଣ୍ଡ ନିୟମରେ ରିହାତି ଦେବାକୁ ନିଷ୍ପତ୍ତି ନେଇଛି। ରେଲଓ୍ଵେ ଶନିବାର କହିଛି ଯେ, ୨୦୨୦ ମାର୍ଚ୍ଚ ୨୧ ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବାତିଲ୍ ହୋଇଥିବା ଟ୍ରେନର ପୂରା ଭଡା ଯାତ୍ରୀଙ୍କୁ ଫେରାଇ ଦିଆଯିବ। କାଉଣ୍ଟରରୁ ଟିକେଟ୍ ନେଇଥିବା ଯାତ୍ରୀଙ୍କୁ ୪୫ ଦିନ ଭିତରେ ପୁରା ରିଫଣ୍ଡ ମିଳିବ। ଏହା ପୂର୍ବରୁ ଯାତ୍ରା ତାରିଖରୁ ତିନି ଦିନ ପୂର୍ବରୁ ଟିକେଟ୍ ବାତିଲ କରାଇଲେ ଯାତ୍ରୀଙ୍କୁ ପୂରା ଭଡା ମିଳୁଥିଲା। ଏବେ ଯଦି ଯାତ୍ରୀ ଟୋଲ୍ ଫ୍ରି ନମ୍ବର ୧୩୯ରୁ ଟିକେଟ୍ ବାତିଲ୍ କରିବେ ତେବେ ଦେଶର କୌଣସି ବି କାଉଣ୍ଟରରୁ ୩୦ ଦିନ ଭିତରେ ରିଫଣ୍ଡ ପାଇ ପାରିବେ। ରେଲଓ୍ଵେ କହିଛି ଯେ, ରିଫଣ୍ଡ ଲାଗି ଯାତ୍ରୀଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ। ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। ସଂପ୍ରତି ଯାତ୍ରୀ ଅକାରଣରେ ଯାତ୍ରା କରନ୍ତୁ ନାହିଁ।

ନିଜେ ଟିକେଟ୍ ବାତିଲ୍ କଲେ ବି ମିଳିବ ରିଫଣ୍ଡ
ରେଲଓ୍ଵେ ସେହି ଯାତ୍ରୀଙ୍କୁ ମଧ୍ୟ ସୁବିଧା ଦେବାକୁ ନିଷ୍ପତ୍ତି ନେଇଛି ଯେଉଁମାନେ ଟ୍ରେନରେ ରିଜର୍ଭେସନ କରିବା ପରେ ନିଜେ ଯାତ୍ରା ବାତିଲ୍ କରୁଛନ୍ତି, ସେମିତି ଯାତ୍ରୀଙ୍କୁ ଯାତ୍ରା ତାରିଖରୁ ୩୦ ଦିନରେ ଟ୍ରେନ୍ ଡିପୋଜିଟ୍ ରିସିପ୍ଟ(ଟିଟିଆର) ଫାଇଲ୍ କରି ପାରିବେ। ଯଦି ୩୦ ଦିନରେ ଏମିତି କରି ନପାରିବେ ତେବେ ଆଗାମୀ ସାତ ଦିନରେ ସିସିଏମ କିମ୍ବା ସିସିଓରେ ଆବେଦନ କରି ପାରିବେ। ଏମିତି ଲୋକଙ୍କୁ ମଧ୍ୟ ପୂରା ରିଫଣ୍ଡ ମିଳିଯିବ।
ଭାରତୀୟ ରେଲଓ୍ଵେ ଜନତା କର୍ଫ୍ୟୁକୁ ଧ୍ୟାନରେ ରଖି ସମଗ୍ର ଦେଶରେ ଶନିବାର ମଧ୍ୟ ରାତ୍ରରୁ ରବିବାର ରାତି ୧୦ ଟା ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ କରିଛି। ଏହା ସହିତ ରବିବାର ସକାଳ ୪ଟାରୁ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ନାହିଁ। ରେଳ ବାଇ କହିଛି ଯେ, ଅଯଥା ଭିଡକୁ ଦୃଷ୍ଟିରେ ରଖି ପୂର୍ବରୁ ୨୪୫ ଟ୍ରେନ ରଦ୍ଦ କରି ସାରିଛି।