ପିତାଙ୍କୁ ମୃତ ମାନିବାକୁ ପ୍ରସ୍ତୁତ ନାହାନ୍ତି ଏହି ଆଇପିଏସ୍ ଅଧିକାରୀ : କରୁଛନ୍ତି ଆର୍ୟୁବେଦିକ ଚିକିତ୍ସା

Published By : Prameya-News7 Bureau | March 15, 2019 IST

ଭୋପାଳ ୧୫/୩: ଗତ ଦୁଇ ମାସ ହେବ ମଧ୍ୟପ୍ରଦେଶର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ନିଜ ମୃତ ପିତାଙ୍କୁ ଏକ ନିବୁଜ କୋଠରୀରେ ରଖି ଚିକିତ୍ସା ଚଲାଇଛନ୍ତି। ଏହି ଆଇପିଏସ୍ ଅଧୀକାରୀ ଦାବି କରିଛନ୍ତି ଯେ ତାଙ୍କ ଆନୁଷ୍ଠାନିକ ବଙ୍ଗଳାରେ ପିତାଙ୍କ ଚିକିତ୍ସା ଚାଲିଛି ଏବଂ ସେ ଧୀରେ ଧୀରେ ଆରୋଗ୍ୟ ହେଉଛନ୍ତି କିନ୍ତୁ ତାଙ୍କ ମାଆ,ପିଲା ଏବଂ ନାଡ଼ି ବୈଦ୍ୟଙ୍କ ବ୍ୟତୀତ ଆଉ କେହି ତାଙ୍କୁ ଭେଟି ପାରିବେ ନାହିଁ। ପାରମ୍ପରିକ ନାଡ଼ି ବୈଦ୍ୟ ପଚମଢ଼ିର ଜଡ଼ିବୁଟିରେ ତାଙ୍କର ଚିକିତ୍ସା କରୁଛନ୍ତି।

ମଧ୍ୟପ୍ରଦେଶର ଏହି ଆଇପିଏସ୍ ଅଧିକାରୀଙ୍କ ନାଁ ହେଉଛି ରାଜେନ୍ଦ୍ର ମିଶ୍ରା। ତାଙ୍କ ୮୪ବର୍ଷ ବୟସ୍କ ପିତାଙ୍କୁ ଗତ ଜାନୁୟାରୀ ୧୪ତାରିଖରେ ଏକ ଘରୋଇ ହସ୍ପିଟାଲର ଡାକ୍ତର ମୃତ ଘୋଷିତ କରିଥିଲେ। ସେହି ଦିନ ତାଙ୍କୁ ହସ୍ପିଟାଲ୍ ପ୍ରଶାସନ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଦେଇ ଦେଇଥିଲେ। କିନ୍ତୁ ୫୫ବର୍ଷ ବୟସ୍କ ଅଫିସର ଏହା ମାନିବାକୁ ପ୍ରସ୍ତୁତ ନଥିଲେ। ସେ ଡାକ୍ତରଙ୍କ ଦଳକୁ ତାଙ୍କ ଘରେ ପଠାଇବା ପାଇଁ ରାଜ୍ୟ ମାନବାଧିକାର ଆୟୋଗର ଉଦ୍ୟମକୁ ବିରୋଧ କରିଥଲେ।

ମିଶ୍ରା କହିଛନ୍ତି ‘ ଏଲୋପେଥୀ ମେଡିସିନ ସବୁକିଛିର ଅନ୍ତ ହୋଇନଥାଏ। ବିଜ୍ଞାନ ବ୍ୟତୀତ ଅନ୍ୟାନ୍ୟ ବହୁତ ଜିନିଷ ରହିଛି। ତାଙ୍କ ଚିକିତ୍ସା ଜାରି ରହିଛି। ସେ ଗତ ୬ଦଶକରୁ ଯୋଗ କରୁଛନ୍ତି। ସେ ଯୋଗ ନିଦ୍ରାରେ ଅଛନ୍ତି। ଯଦି ଡାକ୍ତର ତାଙ୍କୁ ଉଠାଇବାକୁ ଉଦ୍ୟମ କରିବାବେଳେ  କିଛି ଭୁଲଭାଲ୍ ହୋଇଯାଏ। ଏହି କାର୍ଯ୍ୟକୁ  କ’ଣ ହତ୍ୟା କୁହାଯିବ ନାହିଁ?’

ମିଶ୍ରା ଆହୁରି ମଧ୍ୟ କହିଛନ୍ତି ଯେ ‘ ଯଦି ମୋ ପିତାଙ୍କ ମୃତ୍ୟୁ ହୋଇଯାଇଥାଆନ୍ତା ତେବେ କ’ଣ ଶବ ପଚି ସଢ଼ି ଯାଇନଥାଆନ୍ତା? ଆପଣ ଏକ ମୃତ ଶରୀରର ଚିକିତ୍ସା କରିପାରିବେ ନାହିଁ। ଆପଣ ଏକ ମୃତ ଝିଟିପିଟି କିମ୍ବା ମୂଷା ସହ ଘଣ୍ଟାଏ ରହି ପାରିବେ ନାହିଁ। ମୁଁ ଗୋଟିଏ କଥା ବୁଝିପାରୁନାହିଁ ଯେ ବାହାର ଲୋକ ଏହି ମାମଲାରେ କ’ଣ ପାଇଁ ହସ୍ତକ୍ଷେପ କରୁଛନ୍ତି? ନିଜ ପିତାଙ୍କ ଚିକିତ୍ସା କରିବା ମୋର ମୈାଳିକ ଅଧିକାର। ମୁଁ କୈାଣସି ଅପରାଧ କିମ୍ବା ଦୁର୍ନୀତିରେ ସାମିଲ ନାହିଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.