ଭିକ୍ଷାବୃତ୍ତିରୁ ଓକିଲାତି, ଏବେ ଦେଶର ପ୍ରଥମ କିନ୍ନର ଜଜ୍‌ ହେବାକୁ ନିଶାଙ୍କୁ ଘାରିଛି ନିଶା

Published By : Prameya-News7 Bureau | November 27, 2020 IST

କରାଚି ୨୭/୧୧: କିନ୍ନର ବା ତୃତୀୟ ଲିଙ୍ଗୀଙ୍କୁ  ସମାଜ ଏକ ପ୍ରକାର ଆଡ଼ ଆଖିରେ ଦେଖୁଥିବା ଅଭିଯୋଗ ହୁଏ। କିନ୍ତୁ କିନ୍ନର ଏବେ ମୁଖ୍ୟ ସ୍ରୋତକୁ ଫେରି ପୁଅ-ଝିଅଙ୍କ ସମକକ୍ଷ ହେଉଥିବା ଦେଖିବାକୁ ମିଳିଛି। ଏପରିକି କିନ୍ନର ଏବେ ଆଉ ଦୁଇ ପାଦକୁ ଆଗକୁ ଗଲେଣି। ଏବେ ସମାଜରେ କିନ୍ନରଙ୍କ ପରିଚୟ ଭିନ୍ନ ହେବାକୁ ଯାଉଥିବା ବେଳେ ସେମାନଙ୍କୁ ପ୍ରେରଣାର ଉତ୍ସ ବୋଲି ମାନିଲେଣି ଅନେକ। ସେମିତି ଜଣେ କିନ୍ନର ନିଶା ରାଓ। ପାକିସ୍ତାନର କରାଚିରେ ଗଳି ଗଳି ବୁଲି ଭିକ୍ଷା ବୃତ୍ତି କରି ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରୁଥିବା ନିଶା ଏବେ ଜଣେ ପ୍ରତିଷ୍ଠିତ ଓକିଲ।

ଓକିଲ ହେବା ପରେ ମଧ୍ୟ ସ୍ବପ୍ନ ଦେଖିବାର ନିଶା ଏଯାଏଁ ଛାଡ଼ିନାହାନ୍ତି କିନ୍ନର ନିଶା। ପାକିସ୍ତାନର ପ୍ରଥମ କିନ୍ନର ଜଜ୍ ହେବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି ନିଶା ରାଓ। ଜୀବନର ଏକାମତ୍ର ଲକ୍ଷ, ଇଚ୍ଛା ପାକିସ୍ତାନରେ ପ୍ରଥମ କିନ୍ନର ଜଜ୍‌ ଭାବେ ପରିଚୟ ପାଇବା ବୋଲି ରିଉଟରକୁ କହିଛନ୍ତି ନିଶା।

ଯଦିଓ  ୨୦୧୮ରେ ପାକିସ୍ତାନ ସରକାର କିନ୍ନରଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାହା ବାସ୍ତବତାଠୁ ଭିନ୍ନ। ପାକ୍‌  ସରକାରଙ୍କ ନିଷ୍ପତ୍ତି କ୍ରମେ ଜଣାଶୁଣା କିନ୍ନର ଚେହେରା ଅନ୍ୟ ଲୋକମାନଙ୍କ ଭଳି ସମାଜରେ ବସବାସ କରିପାରିବେ। ତାଙ୍କ ପ୍ରତି କୌଣସି ପ୍ରକାର ଲାଞ୍ଛନା, ଦୁର୍ବ୍ୟବହାର ସହ୍ୟ କରାଯିବ ନାହିଁ। ଏଭଳି ନିଷ୍ପତ୍ତି ସତ୍ବେ କିନ୍ନର ଏବେ ବି ଟ୍ରେନ୍‌ରେ ଭିକ୍ଷା ମାଗୁଛନ୍ତି ବା ଉତ୍ସବରେ ନାଚି ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଳୁଛି। ଠିକ୍‌ ଏମିତି ହିଁ ନିଶାଙ୍କ ଯାତ୍ରା ଆରମ୍ଭ ହୋଇଥିଲା।

ଲାହୋରର ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ନିଶା ରାଓ। ଅନ୍ୟମାନଙ୍କଠୁ ଭିନ୍ନ ବୋଲି ଅନୁଭବ କରିବା ପରେ ୧୮ ବର୍ଷ ବୟସରେ ସେ ଘର ଛାଡ଼ି ସହରକୁ ଚାଲିଆସିଥିଲେ । ତେବେ ସହରରେ ବଞ୍ଚିବାକୁ ହେଲେ ଅଥବା ଅତିକମରେ ଛାତ ତଳେ ମୁଣ୍ଡ ଗୁଞ୍ଜିବାକୁ ହେଲେ ତାଙ୍କୁ ଭିକ୍ଷାବୃତ୍ତି କିମ୍ବା ଦେହ ବ୍ୟବସାୟ କରିବାକୁ ପଡ଼ିବ ବୋଲି କିନ୍ନର ସମାଜର ବରିଷ୍ଠ ସଦସ୍ୟ ତାଙ୍କୁ ବୁଝାଇ ଦେଇଥିଲେ। ତାପରେ ଶିକ୍ଷିତ ପରିବାରରୁ ଆସିଥିବା ରାଓ ଭିକ୍ଷାବୃତ୍ତିକୁ ଆପଣାଇଥିଲେ।

କିନ୍ତୁ ସମାଜ ଅନ୍ୟମାନଙ୍କ ସହ ସମକକ୍ଷ ହେବା ବା ଆଉ ଦୁଇ ପାଦ ଆଗକୁ ଯିବର ନିଶା ହିଁ ନିଶାଙ୍କୁ ପ୍ରେରଣା ଦେଇଥିଲା। ଭିକ୍‌ ମାଗି ଆଣୁଥିବା ଟଙ୍କାରେ ଲ’ କ୍ଲାସ କରନ୍ତି ନିଶା। ଦୀର୍ଘ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ନିଶା ହୋଇପାରିଥିଲେ ଜଣେ ପ୍ରତିଷ୍ଠିତ ଓକିଲ। ସେଥିପାଇଁ ତାଙ୍କୁ  ଗତ ବର୍ଷ ଓକିଲାତି ପାଇଁ ସାର୍ଟିଫିକେଟ ମିଳିବା ସହ କରାଚି ବାର ଆସୋସିଏସନ୍‌ର ସଦସ୍ୟ ହୋଇପାରିଛନ୍ତି ନିଶା।

ତେବେ ତୃତୀୟଲିଙ୍ଗୀଙ୍କ  ଅଧିକାର ଓ ସେମାନଙ୍କ ହକ୍‌ ପାଇଁ ଲଢ଼େଇ କରୁଥିବା ଏନଜିଓ ସପକ୍ଷରେ ୫୦ଟି ମାମଲାରେ ଲଢ଼ି ସାରିଛନ୍ତି ନିଶା ରାଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.