SBI ଗ୍ରାହକ ହୋଇଥିଲେ ଜାଣି ରଖନ୍ତୁ, ନୂଆ ବର୍ଷରୁ ବଦଳିଯିବ ATMରୁ ଟଙ୍କା ଉଠାଇବାର କାଇଦା
27/12/2019 at 4:10 PM

ମୁମ୍ବାଇ : ଗ୍ରାହକଙ୍କ ସୁବିଧା ଓ ସୁରକ୍ଷା ଲାଗି ଭାରତୀୟ ଷ୍ଟେଟ୍ବ୍ୟାଙ୍କ ତାଙ୍କ ଏଟିଏମ ଉଠାଣର କାଇଦା ବଦଳାଇବାକୁ ଯାଉଛନ୍ତି। ଏହି ପରିବର୍ତ୍ତନ ସାରା ଦେଶରେ ୧ଜାନୁୟାରୀ ୨୦୨୦ରୁ ଲାଗୁ ହେବ। ଏଥିରେ ଏସବିଆଇ ପ୍ରଥମ ଥର ଓଟିପି ବେସଡ୍ କ୍ୟାସ୍ ୱିଡ୍ରାଲ ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ଜଣାପଡିଛି। ଗ୍ରାହକଙ୍କୁ ଉନ୍ନତମାନର ବ୍ୟାଙ୍କିଙ୍ଗ ସୁବିଧା ଓ ଫ୍ରଡ ଏଟିଏମ ଟ୍ରାଞ୍ଜାକ୍ସନରୁ ରକ୍ଷା କରିବା ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବ୍ୟାଙ୍କ କହିଛନ୍ତି।

ଏହି ନୂଆ ବ୍ୟବସ୍ଥାରେ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଏଟିଏମ ଟଙ୍କା ଉଠାଣ ଲାଗି ବ୍ୟାଙ୍କରେ ପଞ୍ଜିକୃତ ମୋବାଇଲ ଫୋନ ନମ୍ବରରେ ୱାନ ଟାଇମ୍ ପାସୱାର୍ଡ (ଓଟିପି) ମିଳିବ। ଏହି ଓଟିପି ଜରିଆରେ ଗ୍ରାହକ ଏଟିଏମ ମେସିନରୁ ନଗଦ ଟଙ୍କା ଉଠାଣ କରିପାରିବେ। ତେବେ ଓଟିପି କେବଳ ୧୦ ହଜାର ଟଙ୍କାରୁ ଅଧିକ ନଗଦ ଉଠାଣ ଲାଗି ଆବଶ୍ୟକ ପଡିବ ବୋଲି ଜଣାପଡିଛି।

ଏସବିଆଇ ଏଟିଏମ୍ରୁ ଟଙ୍କା ଉଠାଣ ଲାଗି ବ୍ୟାଙ୍କ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଓଟିପି ପଠାଇବେ। ଏହି ଓଟିପି କେବଳ ଗୋଟିଏ ଥର ଉଠାଣ ଲାଗି କାମରେ ଆସିବ। ତେବେ ନୂଆ ପ୍ରଣାଳୀ ଲାଗୁ ହେଲେ ବି ପ୍ରଚଳିତ ଉଠାଣ ବ୍ୟବସ୍ଥାରେ ସେପରି କୌଣସି ବଡ ଧରଣର ପରିବର୍ତ୍ତନ ହେଉ ନାହିଁ। ତେବେ ଏଟିଏମ ଠକେଇରୁ ଏବେ ବ୍ୟାଙ୍କ ତାଙ୍କ ଗ୍ରାହକଙ୍କୁ ସୁରକ୍ଷିତ ରଖିପାରିବେ।