ପବ୍ଜି ଗେମ୍ରୁ ବନ୍ଧୁତା, ଇନ୍ଦୋରର ନାବାଳିକା ପହଞ୍ଚିଲେ ପଞ୍ଜାବରେ, ତାପରେ…
20/09/2020 at 5:21 PM

ଇନ୍ଦୋର ୨୦।୯: ଅନଲାଇନ୍ ପବଜି ଗେମ୍ ରୁ ହେଲା ବନ୍ଧୁତା । ଆଉ ଏହି ସଂପର୍କ ନାବାଳିକାଙ୍କୁ ମଧ୍ୟପ୍ରଦେଶ ଇନ୍ଦୋରରୁ ପଞ୍ଜାବକୁ ଟାଣିଆଣିଲା । ପବଜି ଗେମ୍ ଖେଳୁଥିବା ଇନ୍ଦୋରର ଜଣେ ନାବାଳିକାଙ୍କର ପଞ୍ଜାବର ଜଣେ ଯୁବକଙ୍କ ସହ ବନ୍ଧୁତ୍ବ ହୋଇଥିଲା । ଆଉ ଏହି ବନ୍ଧୁତା କେତେବେଳେ ଏତେ ନିବିଡ ହୋଇଗଲା ତାହା ଉଭୟଙ୍କୁ ଜଣାପଡିନଥିଲା । ଆଉ ଏବେ ନାବାଳିକାଙ୍କ ଅପହରଣ ମାମଲାରେ ଜେଲରେ ଯୁବକ ।
ସୂଚନା ଅନୁସାରେ ଇନ୍ଦୋରର ମହ୍ଲାରଗଞ୍ଜ ଥାନା ଅଞ୍ଚଳରେ ରହୁଥିବା ନାବାଳିକା ନିଜ ସାଙ୍ଗର ଜନ୍ମଦିନ ଉତ୍ସବରେ ସାମିଲ ହେବା ପାଇଁ ଘରେ କାହାକୁ କିଛି ନଜଣାଇ ବିମାନ ଯୋଗେ ପଞ୍ଜାବରେ ପହଞ୍ଚିଥିଲା । ସେପଟେ ନାବାଳିକା ଘରକୁ ନଫେରିବାରୁ ଗର ଲୋକ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ସେମାନେ ସନ୍ଦେହ କରୁଥିଲେ ଯେ ତାଙ୍କ ଝିଅକୁ କେହି ଅପହରଣ କରିନେଇଛି । ବହୁ ଖୋଜାଖୋଜି କରିବା ପରେ ଯେତେବେଳେ ନାବାଳିକା ମିଳିନଥିଲେ ସେତେବେଳେ ପୋଲିସ ନିକଟରେ ସେମାନେ ଅଭିଯୋଗ କରିଥିଲେ ।
ପୋଲିସ ମାମଲା ରୁଜୁ କରି ନାବାଳିକାଙ୍କୁ ଖୋଜାଖୋଜି କରିବା ଆରମ୍ଭ କଲା । ଯେତେବେଳେ ନାବାଳିକାଙ୍କର କଲ୍ ଡିଟେଲ୍ସ ବାହାର କରାଗଲା ସେ ପଞ୍ଜାବରେ ଥିବା ଜଣାପଡିଥିଲା । ଏବାପରେ ଏକ ପୋଲିସ ଟିମ୍ ପଞ୍ଜାବରେ ପହଞ୍ଚି ଉଭୟ ଯୁବକ ଏବଂ ନାବାଳିକାଙ୍କୁ ଧରିଥିଲା । ପୋଲିସ ନାବାଳିକାଙ୍କୁ ତାଙ୍କ ଘର ଲୋକଙ୍କ ହସ୍ତାନ୍ତର କରି ଅପହରଣ ମାମଲାରେ ଯୁବକଙ୍କ ଗିରଫ କରି ଜେଲ୍ ପଠାଇଦେଲା ।
ପୋଲିସର ପଚରାଉଚରା ବେଳେ ନାବାଳିକା ଜଣଙ୍କ କହିଥିଲେ ଯେ, ସୋସିଆଲ ମିଡିଆରେ ପବଜି ଗେମ୍ ଖେଳିବା ସମୟରେ ଉଭୟଙ୍କର ବନ୍ଧୁତା ହୋଇଥିଲା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ସଂପର୍କ ଖୁବ୍ ନିବିଡ ହୋଇଯାଇଥିଲା । ଯୁବକଙ୍କ ଜନ୍ମଦିନ ଥିବାରୁ ନାବାଳିକା ଇନ୍ଦୋରରୁ ପଞ୍ଜାବ ଯାଇଥିଲେ ।