କୋମାରୁ ବାହାରିବା ପରେ ମନେପଡ଼ିଲା ସବୁ ଘଟଣା, ୧୦ ବର୍ଷ ପରେ ଦୁଇ ବନ୍ଧୁ ଗିରଫ

Published By : Prameya-News7 Bureau | October 17, 2020 IST

ବେଙ୍ଗାଲୁରୁ ୧୭/୧୦: ବନ୍ଧୁ ନୁହେଁ ସେମାନେ ଥିଲେ ବଇରି । ବନ୍ଧୁତାକୁ ଭୁଲି ମାରିବାକୁ ଉଦ୍ୟମ କରିବାକୁ ବି ପଛାଇଲେ ନାହିଁ। ୩ ମହଲା କୋଠାରୁ ବନ୍ଧୁକୁ ଠେଲି ମାରିବା ଭଳି ହୀନ ଉଦ୍ୟମ କରିଥିଲେ। କିନ୍ତୁ ସତ କେବେ ଲୁଚି ରହେନା। ୩ ମହଲା କୋଠାରୁ ପଡ଼ି ଯଦିଓ ସେ କୋମାରେ ରହିଥିଲେ। କିନ୍ତୁ ଦୀର୍ଘ ଦିନ କୋମାରେ ରହିବା ପରେ ଗତବର୍ଷ ସୁସ୍ଥ ହୋଇ ଘରକୁ ଫେରିଲେ। କୋମାରୁ ଫେରିବା ପରେ ତାଙ୍କର ମନେ ପଡ଼ିଲା ସମସ୍ତ ଘଟଣା। ଘଟଣାର ୧୦ ବର୍ଷ ପରେ ଗିରଫ ହେଲେ ଅଭିଯୁକ୍ତ।

ସୌଭିକ ଚାଟାର୍ଜୀ ଯିଏକି ଜଣେ ଇଞ୍ଜିନିୟରିଂ ଛାତ୍ର ଥିଲେ। ତାଙ୍କର ଭଲ ବନ୍ଧୁ ଥିଲେ ଶଶାଙ୍କ ଦାସ। ଶଶାଙ୍କ ପଢ଼ୁଥିବା ବେଳେ ସେହି କଲେଜ୍‌ର ଜଣେ ଛାତ୍ରୀ ସୋନାଲୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଶଶାଙ୍କର ଚରିତ୍ର ଭଲ ନଥିବା ନେଇ ସୌଭିକ୍‌ ଦୁଃଖି ଥିଲେ। ନିଜ ପ୍ରେମିକାଙ୍କ ମା’ଙ୍କ ନାଁରେ ଅଭଦ୍ର ଟିପ୍ପଣୀ କରିବାରୁ ଶଶାଙ୍କଠୁ ଦୂରେଇଥିଲେ ସୌଭିକ୍‌। କିନ୍ତୁ ରାଗର ପ୍ରତିଶୋଧ ନେବାକୁ ଶଶାଙ୍କ ରଚିଥିଲା ହୀନ ଚକ୍ରାନ୍ତ।

୬ ଡିସେମ୍ବର ୨୦୧୦ର ଘଟଣା। ଶଶାଙ୍କ ତାର ବନ୍ଧୁ କୁମାର ସାହୁ ସହ ସୌଭିକଙ୍କୁ ୩ ମହଲା କୋଠା ଉପରକୁ ଡାକିଥିଲା। ଶଶାଙ୍କ, କୁମାର ଅନ୍ୟ ଦୁଇ ସ୍ଥାନୀୟ ଲୋକଙ୍କ ସହ ମିଶି ସୌଭିକଙ୍କୁ ଛାତରୁ ତଳକୁ ଠେଲି ଦେଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ କୋମାକୁ ଚାଲିଯାଇଥିଲେ ସୌଭିକ।  ପ୍ରଥମେ ବେଙ୍ଗାଲୁରୁରେ ଚିକିତ୍ସିତ ହେବା ପରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ତେବେ ଅଗଷ୍ଟ ୨୦୧୧ରେ ଶଶାଙ୍କ ସୁସ୍ଥ ହୋଇଥିଲେ। ଘଟଣା ସମ୍ପର୍କରେ ମନେ ପଡ଼ିବା ପରେ ସେ ପୋଲିସକୁ ସବୁ କହିଥିଲେ। ପରେ ପୋଲିସ ଦୁଇ ଦୋଷୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିଲା।

ପୋଲିସର କହିବା ଅନୁଯାୟୀ, ୨୯ ବର୍ଷୀୟ ଶଶାଙ୍କ ଆସାମରେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲା। ତା ସାଙ୍ଗ କୁମାର ଏକ ଆଇଟି କମ୍ପାନୀରେ କାର୍ଯ୍ୟୁ କରୁଥିଲା। ଦୁଇ ଜଣଙ୍କୁ ଗିରଫ କରାଯାଇଛି। ତେବେ ଶଶାଙ୍କ ସୌଭିକଙ୍କ ସହପାଠୀ ଥିଲା ବେଳେ କୁମାର ସାହୁ ସେତେବେଳ ଇଞ୍ଜିନିୟରିଂରେ ପିଜି କରୁଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.