ଆଇବିସିଏସ୍‌ରେ ଫ୍ରେସର୍ସ ଇଣ୍ଡକ୍ସନ୍ ପ୍ରୋଗ୍ରାମ୍ ଆୟୋଜିତ

Published By : Prameya-News7 Bureau | August 02, 2019 IST

ଭୁବନେଶ୍ବର ୨|୮: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ର ଏମ୍‌ବିଏର ୨୦୧୯-୨୦ ବ୍ୟାଚର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ଫ୍ରେସର୍ସ ଇଣ୍ଡକ୍ସନ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ କହିଛନ୍ତି ଯେ, କାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି. ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ସାରା ଦେଶକୁ ହତବାକ କରିଦେଇଥିବା ବେଳେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି । ତେବେ ମନରେ ନକାରାତ୍ମକ ଚିନ୍ତାଧାରା ନ ରଖି ସକାରାତ୍ମକ ଦିଗରେ କାର୍ଯ୍ୟକରିବା ଉଚିତ୍ ବୋଲି ସେ କହିଛନ୍ତି ।

ଆଜିର ମ୍ୟାନେଜରମାନଙ୍କ ମଧ୍ୟରେ ଆଦର୍ଶ, କାର୍ଯ୍ୟଶୈଳୀ ଏବଂ କାର୍ଯ୍ୟାନୁଷ୍ଠାନର ପରିବେଶରେ ଅନେକ ଫରକ ରହୁଛି । ନୂତନ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ନିଜକୁ ବଦଳାଇବା ପାଇଁ ସେ ଉପଦେଶ ଦେଇଛନ୍ତି । 

ଏହି କାର୍ଯ୍ୟକ୍ରମରେ ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ର ଡାଇରେକ୍ଟର ଜେନେରାଲ୍ ଶ୍ରୀ କିଶୋର କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ବୃତିଗତ ଜୀବନ ସଂପର୍କରେ ଉପଦେଶ ଦେଇଥିଲେ । ଶ୍ରୀ ମହାନ୍ତି କହିଥିଲେ ଜୀବନ ଏକ ୧୦୦ ମିଟର ରେସ୍ ନୁହେଁ ମାତ୍ର ଏହା ଏକ ମାରାଥନ । ସଟର୍୍କଟ୍ ରାସ୍ତାରେ କିଛି ବି ହାସଲ ହୁଏ  ନାହିଁ । ତେଣୁ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଏକାଗ୍ରତା ହିଁ ଏକାନ୍ତ ଆବଶ୍ୟକ । ସମୟକୁ ସୁପରିଚାଳନା କରି କାର୍ଯ୍ୟ ହାସଲ କରିବା ଜରୁରୀ ବୋଲି ସେ ମତ ଦେଇଥିଲେ । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ ମ୍ୟାନେଜର ଶ୍ରୀ କମଳାକାନ୍ତ ସାହୁ ଏବଂ ଇସିଜିସି ଲିମିଟେଡ୍ର ବ୍ରାଂଚ ମ୍ୟାନେଜର ଶ୍ରୀ ସୁମନ କୁମାର ଜେନା ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ । 

ଏମ୍‌ବିଏ ପ୍ରୋଗ୍ରାମ୍‌ର ଏକାଡେମୀକ୍ କୋର୍ଡିନେଟର୍ ଆସୋସିଏଟ୍ ପ୍ରଫେସର ଦୁର୍ଯ୍ୟୋଧନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.