ଅଯୋଧ୍ୟାର ଅଣବିବାଦିତ ଜମିରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ରହିତାଦେଶକୁ ଉଠାଯାଉ ବୋଲି ସୁପ୍ରିମ କୋର୍ଟରେ ଆବେଦନ କଲେ କେନ୍ଦ୍ର ସରକାର
29/01/2019 at 8:02 PM

ନୂଆଦିଲ୍ଲୀ୨୯|୧: ଅଯୋଧ୍ୟା ମାମଲାରେ ପୁଣି ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ ଅଣବିବାଦିତ ଜମିରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ରହିତାଦେଶକୁ ଉଠାଯାଉ। ସଂପୂର୍ଣ୍ଣ ୬୭ ଏକର ଜମିରୁ ମାତ୍ର ଶୂନ ଦଶମିକ ୩୧୩ ଏକର ଜମି ବିବାଦୀୟ ରହିଛି।

ଏହା ବାଦ୍ ଅଣବିବାଦିତ ଥିବା ଜମି ଉପରୁ ପ୍ରତିବନ୍ଧକ ହଟାଇବା ଲାଗି କେନ୍ଦ୍ର ଆବେଦନରେ ଦର୍ଶାଇଛି। ଅଯୋଧ୍ୟା ମାମଲାରେ ଆଜି ଶୁଣାଣି ହେବାର ଥିଲା। ତେବେ ଜଷ୍ଟିସ ବୋବଡେଙ୍କ ଅନୁପସ୍ଥିତି ଯୋଗୁଁ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମକୋର୍ଟ ଏ ବାବଦରେ ଏକ ନୂଆ ତାରିଖ ସ୍ଥିର କରିବେ।

ତେବେ ରାମ ମନ୍ଦିର ନିର୍ମାଣ ନେଇ ଚାପରେ ଆସିଯାଇଥିବା ବିଜେପି ସରକାର ଏବେ ଏହାର ବିକଳ୍ପ ସମାଧାନ ନେଇ ଜୋର ଦେଉଛି। ଅଣ ବିବାଦୀତ ୬୭ ଏକର ଜମି ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର କରିବା ଲାଗି କେନ୍ଦ୍ର ଆବେଦନରେ ଦର୍ଶାଇଛି। ୧୯୯୩ ମସିହାରେ କେନ୍ଦ୍ର ସରକାର ବିବାଦୀୟ ଢ଼ାଞ୍ଚା ଚାରିପଟେ ୬୭ ଏକର ଜମି ଅଧିଗ୍ରହଣ କରିଥିଲେ। ତେବେ ୧୯୯୪ ମସିହାର ସୁପ୍ରିମ କୋର୍ଟ ଏ ନେଇ ଏକ ମାମଲାରେ ନିର୍ଦ୍ଦେଶ ଦେଇଥିଲେ ଯେ ଅଧିଗୃହିତ ଜମି କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ ଓ ବିବାଦରେ ସମାଧାନ ନ ହେଲା ଯାଏ ଏହି ଜମିକୁ କାହାରିକୁ ଦିଆଯାଇ ପାରିବ ନାହିଁ।

୨୦୧୧ ମସିହାର ମଧ୍ୟ ସୁପ୍ରିମ କୋର୍ଟ ସମାନ ରାୟ ଦେଇଥିଲେ। ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଚାହୁଁଛନ୍ତି ଯେ ଏହି ଅଧିଗୃହିତ ଜମିରୁ କିଛି ଅଂଶ ରାମ ଜନ୍ମଭୂମି ନ୍ୟାସକୁ ଦିଆଯାଉ। ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି