ମହାକାଶରେ ବର୍ଷେ ରହିବା ପରେ ପୃଥିବୀକୁ ଆସିଛି ୧୨ ବୋତଲ ମଦ, ଏବେ ସ୍ବାଦ ଚାଖିବେ ବିଶେଷଜ୍ଞ
14/01/2021 at 7:40 PM

ନୂଆଦିଲ୍ଲୀ ୧୪/୦୧ : ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ୍କୁ ନଭେମ୍ବର ୨୦୧୯ରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ରେଡ୍ ଓ୍ବାଇନ୍ ପଠାଇଥିଲା ଫ୍ରାନ୍ସ । ଲକ୍ଜମବର୍ଗର ଷ୍ଟାର୍ଟ ଅପ୍ ସ୍ପେସ୍ କାର୍ଗୋ ଅନଲିମିଟେଡ୍ ଏହି ମଦର ପ୍ରାୟ ୧୨ଟି ବୋତଲ ଅନ୍ତରାଷ୍ଟ୍ରୀୟ ସ୍ବେସ୍ ସେଣ୍ଟରକୁ ପଠାଇଥିଲା । ଏଗୁଡିକ ମହାକାଶରେ ବର୍ଷେ ରହିବା ପରେ ପୃଥିବୀପୃଷ୍ଠକୁ ଫେରିଛନ୍ତି ।
ଅନ୍ତରୀକ୍ଷକୁ ଯାଇଥିବା ମହାକାଶଚାରୀମାନେ ଏହି ମଦଗୁଡିକର ସ୍ବାଦ ଚାଖି ପାରିନଥିଲେ । ଏହାର କାରଣ ହେଉଛି ମଦ ବୋତଲଗୁଡିକ ଏକ ସ୍ବତନ୍ତ୍ର ଷ୍ଟିଲ୍ ସିଲିଣ୍ଡର ଡବାରେ ରଖାଯାଇଥିଲା । ସେଗୁଡିକୁ ଅତି ସାବଧାନତାର ସହ ଅନ୍ତରୀକ୍ଷକୁ ନିଆଯାଇଥିଲା । ସ୍ପେସ୍ କାର୍ଗୋ ଅନଲିମିଟେଡ୍ କମ୍ପାନୀ ଏହି ମଦ ବୋତଲଗୁଡିକୁ ମହାକାଶକୁ ପଠାଇବାର କାରଣ ହେଉଛି ସ୍ପେସ୍ର ଶୂନ୍ୟ ମାଧ୍ୟକର୍ଷଣ ଶକ୍ତିରେ ମଦଗୁଡିକରେ ଥିବା ସ୍ବାଦରେ କଣ ପରିବର୍ତ୍ତନ ହେଉଛି ତାହା ଜାଣିବା ।
ଅନ୍ତରୀକ୍ଷରୁ ଆସିଥିବା ଏହି ମଦ ବୋତଲଗୁଡିକୁ ଆସନ୍ତା ଫେବୃୟାରୀ ମାସ ଶେଷ ଯାଏଁ ଖୋଲାଯିବ ନାହିଁ ବୋଲି ସୂଚନା ମିଳିଛି । ଫେବୃୟାରୀ ପରେ ଏକ ଇଭେଣ୍ଟରେ ଏହି ୧୨ ଟି ମଦ ବୋତଲ ମଧ୍ୟରୁ ଗୋଟିଏ କିମ୍ବର ଦୁଇଟି ବୋତଲ ଟେଷ୍ଟିଂ ପାଇଁ ଖୋଲାଯିବ । ଏହି ବୋତଲଗୁଡିକର ପରୀକ୍ଷଣ ସମୟରେ ଫ୍ରାନ୍ସର ବିଶେଷଜ୍ଞମାନଙ୍କ ସାହାଯ୍ୟ ନିଆଯିବ ।
ଏହା ପରେ କିଛି ମାସ ଯାଏଁ ଏହି ମଦଗୁଡିକର କେମିକାଲ ଟେଷ୍ଟିଂ ଜାରି ରହିବ । ଯେଉଁଥିରେ ଶୂନ୍ୟ ମାଧ୍ୟକର୍ଷଣ ଶକ୍ତି ଥିବା ସ୍ଥାନରେ ମଦ ବୋତଲଗୁଡିକ ରହିବା ପରେ ସେଗୁଡିକର ସ୍ବାଦରେ କିଛି ପରିବର୍ତ୍ତନ ହୋଇଛି କି ନାହିଁ ତାହାକୁ ପରୀକ୍ଷଣ କରିବେ ବୈଜ୍ଞାନିକ ।ସ୍ପେସ୍ କାର୍ଗୋ ଅନଲିମିଟେଡ୍ର ସିଇଓ ନିକୋଲସ ଗୋମେ କହିବାକଥା ଏଗୁଡିକର ପରୀକ୍ଷଣ ପରେ ଜଣାପଡିବ ଯେ ମଦରେ କଣ ପରିବର୍ତ୍ତନ ଆସିଛି କିନ୍ତୁ କୃଷି ବିଜ୍ଞାନ ପାଇଁ ଏହା ବେଶ ସହାୟକ ହେବ ।
ଏହା ସହ ସେ କହିଛନ୍ତି ଚାଷ କାର୍ଯ୍ୟରେ ସ୍ପେସ୍ର ସାହାଯ୍ୟ ନିଆଯାଇପାରିବ ଯାହାକି ଅର୍ଗାନିକ ତଥା ସ୍ବାସ୍ଥ୍ୟ ପାଇଁ ବେଶ ଫଳପ୍ରଦ ହୋଇପାରେ । ଗ୍ଲୋବାଲ୍ ଓ୍ବାର୍ମିଙ୍ଗ୍ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀରେ କୃଷି ପାଇଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଏହା ଦ୍ବାରା ସାମ୍ନା କରାଯାଇପାରିବ ବୋଲି ଆଶା କରାଯାଉଛି । ଏହା ସହ ଅନ୍ତରୀକ୍ଷରେ ଏହାର ପ୍ରଯୋଗ ଫଳରେ କୃଷି ଉଦ୍ୟୋଗକୁ ଏକ ନୂଆ ଦିଶା ଦେଖାଯାଇପାରିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି ।