ଫ୍ରେଞ୍ଚ୍ ଓପନ ସପ୍ତାହେ ସ୍ଥଗିତ, କୋଭିଡ୍ ପ୍ରଭାବକୁ ଦେଖି ନିଷ୍ପତ୍ତି ନେଲେ ଫ୍ରାନ୍ସ ସରକାର
8/04/2021 at 3:17 PM

ପ୍ୟାରିସ୍,୦୮।୪: ବର୍ଷର ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍ ଫ୍ରେଞ୍ଚ୍ ଓପନ ଟେନିସର ଆୟୋଜନ ଗୋଟିଏ ସପ୍ତାହ ପାଇଁ ଟଳିଯାଇଛି । ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟ ମେ ୨୩ରୁ ଆରମ୍ଭ ହୋଇଥାନ୍ତା । ଏବେକିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ମେ ୩୦ରୁ ଜୁନ ୧୩ ଯାଏଁ ଖେଳାଯିବ । ଯେପରି ଅଧିକରୁ ଅଧିକ ଦର୍ଶକ ଏହାକୁ ଦେଖିପାରିବେ ତାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
ଗତବର୍ଷ କରୋନା ଭାଇରସ କାରଣରୁ ଫ୍ରେଞ୍ଚ୍ ଓପନ୍ ୪ ମାସ ବିଳମ୍ବରେ ଆୟୋଜିତ ହୋଇଥିଲା । ସେତେବେଳେ ମେ-ଜୁନ ବଦଳରେ ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜିତ ହୋଇଥିଲା । ଏହି ସମୟରେ ପ୍ରତିଦିନ କେବଳ ଏକ ହଜାର ଦର୍ଶକଙ୍କୁ ଅନୁମଚି ଦିଆଯାଇଥିଲା ।
ଫ୍ରାନ୍ସ କ୍ରୀଡାମନ୍ତ୍ରୀ ରୋକ୍ସନା ମାରାସିନିୟୁ କରୋନା ଭାଇରସ ମାମଲା ବୃଦ୍ଧି ପାଉଥିବାରୁ ଏହି ଟୁର୍ଣ୍ଣାମେଣ୍ଟକୁ କିଛି ଦିନ ଯାଏଁ ସ୍ଥଗିତ ରଖିବାକୁ କହିଥିଲେ । ଏହାପରେ ଦେଶର ଟେନିସ୍ ଖେଳାଳି ଏଲିଜ୍ କାଣ୍ଟେଟ୍ ଫ୍ରାନ୍ସ କ୍ରୀଡାମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଥିଲେ ।
କାଣ୍ଟେଟ୍ କହିଥିଲେ ଯେ, ଏହା ତାଙ୍କର ଆଭ୍ୟନ୍ତରୀଣ ମାମଲା । କିନ୍ତୁ କ୍ରୀଡାମନ୍ତ୍ରୀ ନିଜେ ଏକ ବିପଦ ସହ ସମାନ । ତାଙ୍କୁ କହିବାକୁ ଆଉ କିଛି ବାକି ନାହିଁ । ସେ ଖେଳ ବାବଦରେ ଭୁଲ ନିଷ୍ପତ୍ତି ନିଅନ୍ତି । ଏହା ପଛରେ ସରକାରଙ୍କ ସହମତି ମଧ୍ୟ ରହିଛି । ଗୋଟିଏ ସପ୍ତାହ ପାଇଁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେଲେ ଅଧିକରୁ ଅଧିକ ଦର୍ଶକ ଆସିବେ ବୋଲି କୁହାଯାଉଛି । ଏହାସତ୍ତ୍ୱେ ଏହି ନିଷ୍ପତ୍ତି ବ୍ୟକ୍ତିଗତ ସ୍ୱାର୍ଥ୍ୟ ଦୃଷ୍ଟିରୁ ନିଆଯାଇଛି । ଏପରି କରିବା ଦ୍ୱାରା କ୍ୟାଲେଣ୍ଡର ବର୍ଷ ପ୍ରଭାବିତ ହେବ ।
ଗତ ବୁଧବାର ଫ୍ରାନ୍ସରେ କରୋନା କଟକଣାକୁ କଡାକଡି କରାଯାଇଥିଲା । ଏବେ ସମସ୍ତ ଖେଳ ବନ୍ଦ କୋଠରୀରେ ଖେଳାଯାଉଛି । ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ୍ ମେ ୧୫ ବେଳକୁ ସିନେମା ହଲ୍, ସଂଗ୍ରହାଳୟ, ଥିଏଟର୍ ଆଦି ଖୋଲିବାକୁ ମନସ୍ଥ କରିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ପୁରୁଷ ବର୍ଗରେ ସ୍ପେନର ରାଫେଲ ନାଡାଲ ୧୩ମ ଥର ଫ୍ରେଞ୍ଚ୍ ଓପନ ଜିତିଥିଲେ । ସେହିପରି ମହିଳା ବର୍ଗରେ ପୋଲାଣ୍ଡର ଇଗା ସ୍ୱିଟାତେକ୍ ଚାମ୍ପିଅନ ହୋଇଥିଲେ ।