ସାମ୍ବାଦିକ ଚୀନ୍‌କୁ ଦେଉଥିଲେ ଭାରତର ରଣନୈତିକ ସୂଚନା, ଦେଢ଼ବର୍ଷରେ ପାଇଛନ୍ତି ୪୦ଲକ୍ଷ ଟଙ୍କା

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯।୯: ଦିଲ୍ଲୀ ପୋଲିସ ସ୍ପେଶିଆଲ ସେଲ (ସ୍ୱତନ୍ତ୍ର ପ୍ରକୋଷ୍ଠ) ପିତମପୁରାରେ ରହୁଥିବା ଚୀନ୍‌ ଗୁପ୍ତଚରକୁ ଗିରଫ କରିଛି । ପୋଲିସ ତା ନିକଟରୁ ଅନେକ ମୋବାଇଲ ଫୋନ ସମେତ ଲାପଟପ୍ ଓ ଅନ୍ୟ ସମ୍ବେଦନଶୀଳ ସାମଗ୍ରୀ ଜବତ କରିଛି। ଗିରଫ ବ୍ୟକ୍ତିଙ୍କୁ ପୋଲିସ ରାଜୀବ ଶର୍ମା ଭାବେ ଚିହ୍ନଟ କରିଥିବା ବେଳେ ସେ ଜଣେ ସାମ୍ବାଦିକ ବୋଲି କହିଛି। ଚୀନ୍‌ ସରକାରୀ ମୁଖପତ୍ର  ‘ଗ୍ଲୋବାଲ ଟାଇମ୍ସ’ ଲାଗି ସେ ଭାରତରୁ ଫ୍ରିଲାନ୍ସିଂ କରୁଥିଲେ। ତେବେ ସାମ୍ବାଦିକତା ବାହାନାରେ ଚୀନ୍‌ ଲାଗି ସେ ମୁଖ୍ୟତଃ ଗୁଇନ୍ଦାଗିରି କରୁଥିବା ତଦନ୍ତ ବେଳେ ଜଣାପଡିଛି।

ସେ ଚୀନ୍‌କୁ ଭାରତର ରଣନୈତିକ ସୂଚନା ପ୍ରଦାନ କରୁଥିଲେ ଓ ସମ୍ବେଦନଶୀଳ ସୂଚନା ଲାଗି ତାଙ୍କୁ ୧ ହଜାର ଆମେରିକୀୟ ଡଲାର ମିଳୁଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ମାମଲାରେ ଜଣେ ଚୀନ୍‌ ମହିଳା ଓ ତାଙ୍କ ନେପାଳୀ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ସୂଚନା ଅନୁସାରେ ପୋଲିସ ସାମ୍ବାଦିକଙ୍କ ସୂଚନା ପାଇଥିବା ବେଳେ ଗୁଇନ୍ଦା ସୂଚନା ଲାଗି ତାଙ୍କୁ ଚୀନ୍‌ ବିଭିନ୍ନ ମାଧ୍ୟମରେ ବିପୁଳ ଅର୍ଥ ଦେଇଥିବାର ଜଣାପଡିଛି।

ସାମ୍ବାଦିକଙ୍କ ପିତମପୁରା ବାସଭବନ ଉପରେ ଚଢଉ ବେଳେ ତାଙ୍କ ଘରୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟଙ୍କ କିଛି ଗୁରୁତ୍ୱପୂର୍ଣ୍ଣ କାଗଜାତ ମଧ୍ୟ ଜବତ ହୋଇଥିବା ଦିଲ୍ଲୀ ପୋଲିସ କହିଛି। ସେ ୨୦୧୬ ମସିହାରୁ ଚୀନ୍‌ ଲାଗି ସାମ୍ବାଦିକତା ନାମରେ ଗୁଇନ୍ଦାଗିରି କରିଆସୁଥିବା ବେଳେ ଏଥିରେ ତାଙ୍କୁ ପିଆଇବି ପରିଚୟପତ୍ର ଓ ବିଭିନ୍ନ ସଙ୍ଗଠନ ସହ ତାଙ୍କର ସମ୍ପୃକ୍ତି ବେଶ ସହାୟକ ହେଉଥିଲା। ତେବେ ଗତ ଦେଢ ବର୍ଷରେ ସାମ୍ବାଦିକଙ୍କୁ ବିଭିନ୍ନ ଉପାୟରେ ପ୍ରାୟ ୪୦ ଲକ୍ଷ ଟଙ୍କା ଚୀନ୍‌ରୁ ମିଳିଥିବା ତଦନ୍ତ ବେଳେ ଜଣାପଡିଛି। ସମ୍ବେଦନଶୀଳ ସୂଚନା ଲାଗି ଚୀନ୍‌ ଗୁଇନ୍ଦା ବିଭାଗ ମୋଟା ରକମର ଅର୍ଥ ପୈଠ କରୁଥିବାର ତଦନ୍ତକାରୀ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.