‘Freedom 251’ ଫେମ୍‌ ମୋହିତ ଗୋଏଲ ଗିରଫ, ଡ୍ରାଏ ଫ୍ରୁଟସ୍‌ ବ୍ୟବସାୟ ନାଁରେ ଠକିଛି ୨୦୦ କୋଟି

Published By : Prameya-News7 Bureau | January 12, 2021 IST

ନୋଏଡା ୧୨/୦୧: ରିଙ୍ଗିଙ୍ଗ ବେଲ୍ସର ପ୍ରତିଷ୍ଠାତା ମୋହିତ ଗୋଏଲଙ୍କୁ ପୋଲିସ ଗିରଫ କରିଛି। ଏହି କମ୍ପାନୀ ସାରା ବିଶ୍ବକୁ ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ‘ଫ୍ରିଡମ୍‌-୨୫୧’ ଦେବାକୁ କହିଥିଲା। ପ୍ରତିଶ୍ରୁତି ଦେଇ ଗ୍ରାହକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିଲା କମ୍ପାନୀ। ତେବେ କମ୍ପାନୀର ମାଲିକ ମୋହିତ ଗୋଏଲ ପୁଣି ଏକ ଘୋଟାଲା ପାଇଁ ଗିରଫ ହୋଇଛନ୍ତି। ଡ୍ରାଏ ଫ୍ରୁଟସ୍‌ ବ୍ୟବସାୟୀଙ୍କ ପାଖରୁ ୨୦୦ କୋଟିର ଚୂନା ଲଗାଇ ଜେଲ୍‌ ଯାଇଛନ୍ତି ମୋହିତ ଗୋଏଲ।

ମିଳିଥିବା ସୂଚନା ଅନୁସାରେ ୫ ଜଣଙ୍କ ସହ ମିଶି ମୋହିତ ଗୋଏଲ ଡ୍ରାଏ ଫ୍ରୁଟସ୍‌ ବ୍ୟବାସାୟ ଆରମ୍ଭ କରିଥିଲେ। ଯେଉଁ କମ୍ପାନୀର ନାଁ ଥିଲା ଦୁବାଇ ଡ୍ରାଏ ଫ୍ରୁଟସ୍‌ ଆଣ୍ଡ ସ୍ପାଇସେସ୍‌ ହବ୍‌।ନୋଏଡା ସେକ୍ଟର ୬୨ରେ ଏମିତି ଏକ କମ୍ପାନୀ କରିଥିଲେ ୬ ଦଲାଲ। ତେବେ ଏହି କମ୍ପାନୀ ବିଭିନ୍ନ ରାଜ୍ୟର ବ୍ୟବସାୟୀଙ୍କ ଠକିବା ପରେ ମାମଲା ଥାନାରେ ପହଞ୍ଚିଥିଲା। ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ସମେତ ଅନ୍ର ରାଜ୍ୟର ବ୍ୟବସାୟୀଙ୍କ ନିକଟରୁ ମୋଟ ୪୦ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୋହିତ ଗୋଏଲଙ୍କୁ ଗିରଫ କରିଛି।

ପ୍ରଥମେ ମୋହିତ ଗୋଏଲଙ୍କ କମ୍ପାନୀ ବ୍ୟବସାୟୀଙ୍କ ପାଖରୁ ବଜାର ଦରଠୁ ଅଧିକ ଦେଇ ଡ୍ରାଏ ଫ୍ରୁଟସ୍‌ କିଣୁଥିଲା। ପେମେଣ୍ଟ ବି ଠିକ୍‌ ସମୟରେ ପାଉଥିଲେ ବ୍ୟବସାୟୀ। କମ୍ପାନୀ ଉପରେ ବିଶ୍ବାସ ଆସିଯିବା ପରେ ସେମାନେ ଅଧିକ ପରିମାଣର ମାଲ ପରିବହନ ପାଇଁ ରାଜି ହେଲେ। ଏପରିକି ସେମାନଙ୍କୁ ୪୦ ପ୍ରତିଶତ ଅଗ୍ରୀମ ଅର୍ଥ ରାଶି ବି କମ୍ପାନୀ ଦେଉଥିଲା। ବାକି ଟଙ୍କା ଚେକ୍‌ ଆକାରରେ କମ୍ପାନୀ ବ୍ୟବସାୟୀଙ୍କୁ ଦେଉଥିଲା। କିନ୍ତୁ ଏହି ଚେକ୍‌ ସବୁ ବାଉନ୍ସ ହେଉଥିଲା। ଏମିତି ସମସ୍ତ ଅର୍ଥ ବ୍ୟବସାୟୀଙ୍କୁ ଦେଉନଥିଲା କମ୍ପାନୀ। ପରେ ଡ୍ରାଏ ଫ୍ରୁଟସ୍‌ ସବୁ ବଜାରରେ ବିକି ଟଙ୍କା କମାଉଥିଲା କମ୍ପାନୀ।

ରବିବାର ଦିନ ପୋଲିସ ମୋହିତ ଗୋଏଲଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ଅଡି କାର ସହ ଦୁଇଟି କାର ଜବତ କରିଛି। ଏହା ସହ ୬୦ କେଜି ଡ୍ରାଏ ଫ୍ରୁଟସ୍‌ ଓ ବିଭିନ୍ନ କାଗଜ ପତ୍ର ମଧ୍ୟ ଜବତ କରିଛି ପୋଲିସ। ଅନ୍ୟମାନଙ୍କ ମଧ୍ୟରେ ସୁମିତ ଯାଦବ, ରାଜୀବ କୁମାର ଓ ପ୍ରବୀଣ ସିଂହଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.