'ନିଜ ଗାଁକୁ କରୋନା ମୁକ୍ତ କର, ୫୦ ଲକ୍ଷ ଟଙ୍କା ପୁରସ୍କାର ନିଅ' ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା

Published By : Prameya-News7 Bureau | June 02, 2021 IST

ମୁମ୍ବାଇ ୦୨/୦୬ : ମହାରାଷ୍ଟ୍ର ସରକାର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇଛନ୍ତି । ଲୋକଙ୍କୁ ପ୍ରେରିତ କରିବାକୁ ବୁଧବାର ଦିନ ସେ 'କରୋନା ମୁକ୍ତ ଗାଁ' ପ୍ରତିଯୋଗିତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମଣ ରୋକିବାକୁ କିଛି ଗାଁ ଦ୍ୱାରା ନିଆଯାଇଥିବା ଦୃଢ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ନିକଟରେ ସେ 'ମୋ ଗାଁ କରୋନା ମୁକ୍ତ' ଅଭିଯାନ ଆରମ୍ଭ କରିଥିଲେ।

ମହାରାଷ୍ଟ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ହସନ ମୁସରିଫ ଏକ ବୟାନରେ କହିଛନ୍ତି ଯେ 'କରୋନା ମୁକ୍ତ ଗାଁ' ପ୍ରତିଯୋଗିତା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନର ଏକ ଅଂଶ ।ଏହି ପ୍ରତିଯୋଗିତା ଅନୁଯାୟୀ ପ୍ରତ୍ୟେକ ରାଜସ୍ବ ମଣ୍ଡଳରେ କରୋନା ସହ ଲଢ଼ିବାକୁ ଭଲ କାମ କରିଥିବା ୩ଟି ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯିବ । ପ୍ରଥମ ପୁରସ୍କାରରେ ୫୦ ଲକ୍ଷ ଟଙ୍କା, ଦ୍ୱିତୀୟ ବିଜେତା ଗାଁକୁ ୨୫ ଲକ୍ଷ ଓ ତୃତୀୟ ବିଜେତା ଗାଁକୁ ୧୫ ଲକ୍ଷ ଟଙ୍କା ଦିଆଯିବ।

ଗ୍ରାମୀଣ ବିକାଶ ମନ୍ତ୍ରୀ ହସନ ମୁସରିଫ କହିଛନ୍ତି ଯେ, ରାଜ୍ୟରେ ୬ଟି ରାଜସ୍ବ ମଣ୍ଡଳ ରହିଛି । ସେଥିପାଇଁ ୧୮ଟି ପୁରସ୍କାର ଘୋଷଣା କରାଯିବ । ମୋଟ ପୁରସ୍କାର ରାଶି ୫.୪ କୋଟି ଟଙ୍କା ହେବ । ସେ କହିଛନ୍ତି, ପ୍ରତିଯୋଗିତା ଜିତିଥିବା ଗାଁଗୁଡିକୁ ପୁରସ୍କାର ରାଶି ଅତିରିକ୍ତ ପ୍ରୋତ୍ସାହନ ରାଶି ଦିଆଯିବ ଏବଂ ଏହି ଟଙ୍କା ଗାଁର ବିକାଶ ପାଇଁ ଖର୍ଚ୍ଚ କରାଯିବ।

ସେ କହିଛନ୍ତି, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଗାଁଗୁଡିକୁ ୨୨ଟି ମାନଦଣ୍ଡରେ ପରୀକ୍ଷା କରାଯିବ । ସଠିକ ନିଷ୍ପତ୍ତି ନେବାକୁ ଏକ ସମିତି ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଦିନ ଏକ ଭର୍ଚୁଆଲ୍ ସମ୍ବୋଧନରେ ମହାରାଷ୍ଟ୍ରର ସବୁଠାରୁ ଯୁବ ସରପଞ୍ଚ ଋତୁରାଜ ଦେଶମୁଖ (୨୧)ଙ୍କୁ ପ୍ରଶଂସା କରିଥିଲେ । ଋତୁରାଜ ନିଜ ଗାଁକୁ କରୋନା ମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.