ପ୍ରତ୍ୟେକ ଭାରତୀୟଙ୍କୁ ମାଗଣାରେ ମିଳିବ କରୋନା ଭାକସିନ୍, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା
2/01/2021 at 12:02 PM

ନୂଆଦିଲ୍ଲୀ,୦୨/୦୧ : ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ କରୋନା ଭାକସିନ୍ ଫ୍ରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର କହିଛି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭାକସିନର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯିବ । ଯେପରି ବାସ୍ତବରେ ଟିକାକରଣ କରାଯାଉଛି । ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ।
ହସ୍ପିଟାଲରୁ ବାହାରକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ଅଯଥା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଭାକସିନର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ଅଟେ । ପୋଲିଓ ଭାକସିନ ଦେବାବେଳେ ଅନେକ ଗୁଜବ ସୃଷ୍ଟି କରାଯାଉଥିଲା । କିନ୍ତୁ ଲୋକମାନେ ପୋଲିଓ ଟିକା ଲଗାଉଥିଲେ ଓ ଆଜି ଭାରତ ପୋଲିଓ ମୁକ୍ତ ଅଟେ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ଥର ୪ଟି ରାଜ୍ୟରେ ଡ୍ରାଏ ରନ୍ ହୋଇଥିଲା । ଏହାପରେ ଏସଓପିରେ କିଛିଟା ପରିବର୍ତ୍ତନ କରାଯାଇଛି । ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଡ୍ରାଏ ରନ୍ କରୁଛନ୍ତି । ଟିକାକରଣ ବେଳେ ଯେମିତି ହେବାକଥା ସବୁକିଛି ଠିକ୍ ସେହିପରି ହେବ । କୋଠରୀରେ କିଭଳି ଭାବେ ବ୍ୟବସ୍ଥା ଗ୍ରହଣ କରାଯିବ, ଡାଟା ଅପଲୋଡ୍ ବାବଦରେ ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି ।