ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁଙ୍କର ଚିକିତ୍ସା ପାଇଁ ହାତ ମିଳାଇଲେ ଅପରେସନ୍ ସ୍ମାଇଲ୍ ଏବଂ ସୋଆ

Published By : Prameya-News7 Bureau | August 28, 2019 IST

ଭୁବନେଶ୍ବର ୨୮।୮ : ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ହୋଇଥିଲେ ଏହାର ଉପଚାର ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର କରିବା ପାଇଁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଅପରେସନ୍ ସ୍ମାଇଲ୍ ଏବଂ ବେଙ୍ଗାଲୁରୁ ସ୍ଥିତ ଇଙ୍ଗା ହେଲ୍ଥ ଫାଉଣ୍ଡେସନ୍ ଓ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ହାତ ମିଳାଇଛନ୍ତି । ମଙ୍ଗଳବାର ଠାରୁ ଏକ ସପ୍ତାହ ଧରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏହି ମାଗଣା ଅସ୍ତ୍ରୋପଚାର କରାଯିବ । ଭାରତ ସମେତ ୟୁଏସ୍ଏ, ୟୁକେ, ସ୍ୱିଡେନ୍, ଫିନ୍ଲ୍ୟାଣ୍ଡ, ଫିଲିପାଇନ୍ସ ଭଳି ୧୧ଟି ଦେଶର ଆନ୍ତର୍ଜାତିକ କ୍ଲେଫ୍ଟ ସର୍ଜନ୍, ଆନେସ୍ଥେସିଓଲୋଜିଷ୍ଟ, ନର୍ସ ଏବଂ ଅନ୍ୟ ମେଡିକାଲ୍ ଭଲ୍ୟୁଂଟିଅରମାନେ ଏକାଠି ହୋଇ ଜନ୍ମରୁ ଶିଶୁମାନଙ୍କ ଶରୀରରେ ଥିବା ଏହି ଅବସ୍ଥାର ଚିକିତ୍ସା କରିବେ ବୋଲି ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ନୀତା ମହାନ୍ତି ସୋମବାର ଦିନ ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି । ଆଇଡିଏସ୍ର ଓରାଲ୍ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡଃ ଶୋଭନ୍ ମିଶ୍ର ଏହି ଅପରେସନ୍ ସ୍ମାଇଲ୍ ଟିମ୍ର ନେତୃତ୍ୱ ନେବେ ଏବଂ ତାଙ୍କୁ ଫିଲିପାଇନ୍ସର ପ୍ଲାଷ୍ଟିକ୍ ସର୍ଜନ ଡଃ ଲୋରା ମେ ଡେ ଗୁଜ୍ମାନ୍, ଘାନାର ଆନେସ୍ଥେସିଓଲୋଜିଷ୍ଟସ୍ ଡଃ ଜୋନାସ୍ ଅଉକୁ ଆଫାରି ଏବଂ କ୍ଲେଫ୍ଟ ନର୍ସିଂ କେୟାର ଇନ୍ଚାର୍ଜ ମିସେଲ୍ ୱିଲିୟମ୍ସ ସମେତ ଅନ୍ୟ ଦେଶରୁ ଆସିଥିବା ଅନେକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସହାୟତା କରିବେ ବୋଲି ସେ କହିଥିଲେ । ଏକ ସପ୍ତାହ ବ୍ୟାପୀ ହେବାକୁ ଥିବା “ଫ୍ୟୁଚର୍ ଅଫ୍ ସ୍ମାଇଲ୍ସ ମିଶନ୍” କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଯେଉଁଭଳି ଭାବରେ ଅପରେସନ୍ ସ୍ମାଇଲ୍ ଟିମ୍ କାର୍ଯ୍ୟ କରୁଛି, ଲାଗୁଛି ସାରା ବିଶ୍ୱ ଏକ ବଡ଼ ପରିବାର ବୋଲି ପ୍ରଫେସର ମହାନ୍ତି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ମହାନ୍ତିଙ୍କ ବ୍ୟତିତ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡ. ପୁଷ୍ପରାଜ ସାମନ୍ତସିଂହାର, ପ୍ରଫେସର (ଡ.) ଶୋଭନ ମିଶ୍ର ଓ ଅପରେସନ ସ୍ମାଇଲ୍ର ପରିଚାଳନା ନିର୍ଦ୍ଦେଶକ (ଭାରତ) ଶ୍ରୀ ଅଭିଷେକ ସେନଗୁପ୍ତ ଉପସ୍ଥିତ ଥିଲେ । “ଏହି ଅପରେସନ ପାଇଁ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁଙ୍କ ପରିବାର ପକ୍ଷରୁ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ଦିନ ଧରି ଶିଶୁମାନଙ୍କର ପରୀକ୍ଷା କରାଯିବା ପରେ ପ୍ରାୟ ୧୫୦ ଜଣ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁଙ୍କର ଅପରେସନ୍ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛୁ । ଆସନ୍ତା ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ଅପରେସନ୍ ଗୁଡ଼ିକ କରାଯିବ” ବୋଲି ପ୍ରଫେସର (ଡଃ) ମିଶ୍ର କହିଥିଲେ । ଅପରେସନ୍ ସ୍ମାଇଲ୍ର ଭଲ୍ୟୁଂଟିଅରମାନେ ଏ ପର୍ଯ୍ୟନ୍ତ ଭାରତର ପ୍ରାୟ ୨୪ଟି ସହରରେ ୨୨ ହଜାର ଅପରେସନ ସମ୍ପନ୍ନ କରିଛନ୍ତି ଏବଂ ବର୍ତମାନ ସୋଆ ଏହି କାର୍ଯ୍ୟକୁ ଅଧିକ ସଫଳ କରିବା ପାଇଁ ଅପରେସନ୍ ସ୍ମାଇଲ୍ ସହିତ ହାତ ମିଳାଇଛି । ଅପରେସନ୍ ପାଇଁ ଆସିଥିବା ଟିମ୍ ମେମ୍ବରମାନଙ୍କୁ ଆଇଡିଏସ୍ ଠାରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସମ୍ବର୍ଦ୍ଧିତ କରିବା ସହ ଅପରେସନ୍ ସ୍ମାଇଲ୍ର ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଆମେ ଆନ୍ତର୍ଜାତିକ ସ୍ତରର ସ୍ୱାସ୍ଥ୍ୟସେବା ଯୋଗାଇ ପାରିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛୁ । ୧୯୮୨ ମସିହାରେ ଫିଲିପାଇନ୍ସ ଠାରେ ଅପରେସନ ସ୍ମାଇଲ୍ ତା’ର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ବର୍ତମାନ ଏହା ୪୫ ଟି ଦେଶରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କୁ ସ୍ୱାଭାବିକ କରିବା ପାଇଁ କାର୍ଯ୍ୟ କରୁଛି ବୋଲି ଶ୍ରୀ ସେନ୍ଗୁପ୍ତ କହିଛନ୍ତି । ଅପରେସନ ସ୍ମାଇଲ୍ ବେଙ୍ଗାଲୁରୁ ସ୍ଥିତ ଇଙ୍ଗା ହେଲ୍ଥ ପାଉଣ୍ଡେସନ୍ର ସହଭାଗିତାରେ ଭାରତରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କର ଚିକିତ୍ସା ପାଇଁ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.