FREE FIRE ନିଶାରେ ମା’କୁ କାଙ୍ଗାଳ କଲା ପୁଅ, ଯୁଦ୍ଧାସ୍ତ୍ର କିଣିବା ପାଇଁ ଖର୍ଚ୍ଚ କଲା ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

Published By : Prameya-News7 Bureau | June 28, 2021 IST

ରାଇପୁର ୨୮/୬: ଅନଲାଇନ୍‌ ଗେମିଂ ପିଲାଙ୍କ ସହିତ ସେମାନଙ୍କ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି। ଜଣେ ମହିଳାଙ୍କ ଆକାଉଣ୍ଟରୁ ୩.୨୨ ଲକ୍ଷ ଟଙ୍କା ଗାଏବ ହୋଇଯିବା ପରେ ସେ ଥାନାରେ ଏତଲା ଦେଇଥିଲେ। ସେ ଭାବିଥିଲେ ଅନଲାଇନ୍‌ ଠକେଇରେ ଶିକାର ହୋଇଛନ୍ତି । କିନ୍ତୁ ପୋଲିସର ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା ତାହା ଜାଣିବା ପରେ ମହିଳାଙ୍କ ପାଦ ତଳୁ ମାଟି ଖସିଗଲା ।

କାରଣ ଏତେ ଗୁଡ଼ାଏ ଟଙ୍କା ତାଙ୍କ ପୁଅ ଯୁଦ୍ଧାସ୍ତ୍ର କିଣିବାକୁ ଖର୍ଚ୍ଚ କରିଥିଲା। ଇଏ କୌଣସି ସତ ସତିକା ଯୁଦ୍ଧାସ୍ତ୍ର ନୁହେଁ ବରଂ ଅନଲାଇନ୍‌ ଗେମ୍‌ରେ ଲାଗୁଥିବା ମିଛ ଅସ୍ତ୍ର । ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା, ସମ୍ପୃକ୍ତ ମହିଳାଙ୍କ ୧୨ ବର୍ଷର ପୁଅ ଗେମ୍‌ ଲେଭଲ୍‌ ଅପଗ୍ରେଡ୍‌  କରିବାକୁ ଯାଇଁ ଏଥିରେ ଦରକାର ପଡ଼ୁଥିବା ଅସ୍ତ୍ର କଣିଥିଲା। ଯେଉଁଥିପାଇଁ ଏତେ ଗୁଡାଏ ଟଙ୍କା ଖର୍ଚ୍ଚ ହୋଇଛି। ମାମଲଟି ଛତିଶଗଡ଼ର ପଙ୍ଖାଜୁର ଥାନା ଅନ୍ତର୍ଗତ କାଙ୍କେରରୁ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ପିଭି-୧୨ ମିଡିଲ୍‌ ସ୍କୁଲ୍‌ର ଶିକ୍ଷୟିତ୍ରୀ ଶୁଭ୍ରା ପାଲ୍‌ଙ୍କ ଆକାଉଣ୍ଟରୁ ୮ ମାର୍ଚ୍ଚରୁ ୧୦ ଜୁନ୍‌ ମଧ୍ୟରେ ୨୭୮ ଥର ଟ୍ରାଞ୍ଜାକ୍ସନ ହୋଇଛି। ଏହି ସମୟରେ ବ୍ୟାଙ୍କ ଆକାଉଣ୍ଟରୁ ୩.୨୨ ଲକ୍ଷ ଟଙ୍କା ଯାଇଛି । ଏହାକୁ ନେଇ ସେ ୧୧ ଜୁନ୍‌ରେ ଥାନାରେ ଏତଲା ଦେଇଥିଲେ। କିନ୍ତୁ ଖାସ କଥା ହେଉଛି ଟଙ୍କା ଉଠାଣ ପାଇଁ ତାଙ୍କ ଫୋନ୍‌କୁ ଗୋଟିଏ ଥର ବି ଓଟିପି ଆସିନଥିଲା। ତେବେ ଅନଲାଇନ୍‌ ଠକେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ବ୍ୟାଙ୍କରୁ ଜଣାପଡ଼ିଲା ଆକାଉଣ୍ଟ ସହ ସଂଯୋଗ ଥିବା ମୋବାଇଲ୍‌ ନମ୍ବରରୁ ଟ୍ରାଞ୍ଜାକ୍ସନ ହୋଇଛି। ଅନଲାଇନ୍‌ ଗେମ୍‌ର ଅପଗ୍ରେଡ୍‌ ପାଇଁ ଏହି ଅର୍ଥ ବ୍ୟବହାର କରାଯାଇଥିବା ଜାଣିବାକୁ ପାଇଥିଲା ପୋଲିସ। ଏହି ମୋବାଇଲ୍‌ରେ ମହିଳାଙ୍କ ପୁଅ ‘ଫ୍ରି ଫାୟାର’ ଗେମ୍‌ ଖେଳୁଥିଲା। ମହିଳାଙ୍କ ପୁଅକୁ ପଚରା ଉଚରା କରିବା ପରେ ସେ ସବୁ ସତ ଓଗାଳିଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.