Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢୁଛି ଅନଲାଇନ ସପିଙ୍ଗରେ ଠକେଇ : ଜିନ ସାର୍ଟ ଅର୍ଡର ଦେଇ ଗ୍ରାହକ ପାଇଲେ ପୁରୁଣା ଜାମା, ଥାନାରେ ଅଭିଯୋଗ

ସମ୍ବଲପୁରରୁ (ନୀଳାଚଳ ମହାପାତ୍ର)୧୫|୫: ଅନ୍‌ ଲାଇନ୍‌ରେ ସପିଂ କ କରିବା ଏବେ ଏକ ଫ୍ୟାସନ୍‌ରେ ପରିଣତ ହୋଇଗଲାଣି। ମୁଖ୍ୟତଃ ଆଣ୍ଡରଏଡ୍‌ ମୋବାଇଲ୍‌ ଆସିବା ପରେ, ଏହି ସପିଂ ଏବେ ଏତେ ବଢିଗଲାଣି ଯେ, ଅନେକ ଫ୍ରଡ୍‌ କମ୍ପାନୀ ମୋବାଇଲ୍‌ର ସୋସିଆଲ୍‌ ସାଇଟ୍‌ରେ ନିଜର ବିଜ୍ଞାପନ ଦେଇ, ଗ୍ରାହକଙ୍କୁ ପ୍ରଲୋଭିତ କରିବା ସହ, ଠକେଇ କରୁଛନ୍ତି। ଯେମିତିକି ୨୫ହଜାର ଟଙ୍କାର ମୋବାଇଲ୍‌ ୧୧ହଜାର ଟଙ୍କାରେ ଅଫର୍‌ ମାତ୍ର ୩ଘଣ୍ଟା ପାଇଁ, ତିନୋଟି ଜିନ୍‌ ଫ୍ୟାସନ୍‌ ସାର୍ଟ ମାତ୍ର ୭୯୯ଟଙ୍କାରେ ଅଫର୍‌। ହେଲେ ଏହି ଅଫର୍‌ ଗ୍ରହଣ କରି, ଗ୍ରାହକ ମାନେ ଅର୍ଡର କଲେ, ନୂଆ ଦାମୀ ମୋବାଇଲ୍‌ ବଦଳରେ ମିଳୁଛି, ପୁରୁଣା ଭଙ୍ଗା ମୋବାଇଲ୍‌, ଜିନ୍‌ ସାର୍ଟ ବଦଳରେ ମିଳୁଛି ପୁରୁଣା ସାର୍ଟ ତାହା ପୁଣି ଅଫର୍‌ରେ ଦିଆଯାଇଥିବା ସାର୍ଟରୁ ବହୁ ଛୋଟ। ଏଭଳି ଠକେଇର ଶିକାର ହୋଇଥିବା କିଛି ଗ୍ରାହକ, ପୋଲିସ୍‌ରେ ଲିଖିତ ଏତଲା ଦେବାପରେ, ଏବେ ନାମୀ ଅନ୍‌ଲାଇନ୍‌ କମ୍ପାନୀ ନାମରେ ଠକେଇ କରୁଥିବା ଅଭିଯୁକ୍ତଙ୍କୁ ଧରିଛି ପୋଲିସ୍‌ ଆଉ, ପୁରା ନେଟୱାର୍କକୁ ଧରିବାକୁ ବିଛାଇଛି ଜାଲ ।

ଏବେ ଫ୍ୟାସନ୍‌ ସାମଗ୍ରୀ ହେଉ କି, ଗ୍ରୋସରୀ, ମୋବାଇଲ୍‌, ଗହଣା, ସାର୍ଟପ୍ୟାଣ୍ଟ, ଯୁବପିଢୀଙ୍କ ପ୍ରଥମ ପସନ୍ଦ ଅନ୍‌ଲାଇନ୍‌ରେ ସପିଂ କରିବା। ଏହି ଟ୍ରେଣ୍ଡ ଏବେ ଏତେ ମାତ୍ରାରେ ବ୍ୟାପକ ହୋଇଗଲାଣି ଯେ, ପ୍ରତିଦିନ କିଛି ନୂଆ କମ୍ପାନୀ ମୋବାଇଲ୍‌ର ସୋସିଆଲ୍‌ ସାଇଟ୍‌ରେ ସେମାନଙ୍କ ବିଜ୍ଞାପନ ଦେଉଛନ୍ତି।  ବିଜ୍ଞାପନ ସହ, ବ୍ୟାପକ ଅଫର୍‌ ମଧ୍ୟ ଏହି କମ୍ପାନୀ ଗୁଡିକ ପ୍ରଦାନ କରୁଛନ୍ତି। ଲୋକଙ୍କ ବ୍ୟଗ୍ରତା ଦେଖି କମ୍ପାନୀ ମଧ୍ୟ ମୂଳ ଦାମରୁ ୪୦ପ୍ରତିଶତରୁ ୮୫ପ୍ରତିଶତ ପର୍ଯ୍ୟନ୍ତ କମ୍‌ ମୂଲ୍ୟରେ ଅଫର୍‌ ପ୍ରଦାନ କରୁଛନ୍ତି। ତାହା ପୁଣି କିଛି ସମୟ ମଧ୍ୟରେ ଆପଣ ଅର୍ଡର ନକଲେ ତାହା ଶେଷ ହୋଇଯିବାର ଡେଡ୍‌ଲାଇନ୍‌ ଦେଖାଇ ଏହି କମ୍ପାନୀ ଗୁଡିକ୍‌ ସାମଗ୍ରୀ ବୁକ୍‌ କରିଦେଇଥାନ୍ତି।

 ହେଲେ ଗ୍ରାହକ କ୍ୟାସ୍‌ ଅନ୍‌ ଡେଲିଭରୀ ଦେଇ ସାମଗ୍ରୀ ରିସିଭ୍‌ କରିବା ବେଳେ, ପ୍ୟାକେଟ୍‌ ଭିତରେ ଇଟା,ପଥର,ପୁରୁଣା ସାମଗ୍ରୀ ପାଉଥିବା ଦେଖିବାକୁ ମିଳିଛି। ଏପରିକି ଆମାଜନ୍‌, ଫ୍ଲିପ୍‌କାର୍ଟ, ସ୍ନାପ୍‌ଡିଲ୍‌ ଭଳି ନାମୀ ଅନ୍‌ଲାଇନ୍‌ କମ୍ପାନୀ ଦ୍ବାରା ମଧ୍ୟ ଏଭଳି ଠକେଇ କରାଯାଉଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ସାର୍ଟକାର୍ଡ ଡଟ୍‌ ଇନ୍‌ ନାମକ କମ୍ପାନୀ, ଖୁବ୍‌ କମ ମୂଲ୍ୟରେ ଜିନ୍‌ସାର୍ଟ ପ୍ୟାଣ୍ଟ ଦେବା ଅଫର୍‌ ଦେଇ, ପୁରୁଣା ସାର୍ଟ, ଛୋଟ ସାଇଜ୍‌ ସାର୍ଟ ସହ ଅତି କମ୍‌ମୂଲ୍ୟର ପ୍ୟାକେଟ୍‌ କରି ଗ୍ରାହକଙ୍କ ପାଖକୁ ପଠାଇଥିବା ସମ୍ବଲପୁର ଅଇଁଠାପାଲ୍ଲୀଥାନା,ଟାଉନ୍‌ଥାନା ଓ ଧନୁପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ହେଲେ ଗ୍ରାହକଙ୍କ କହିବା ହେଲା, ଏହି ଅନ୍‌ଲାଇନ୍‌ କମ୍ପାନୀ ଗୁଡିକର ବ୍ୟବସାୟ,କମ୍ପାନୀର ଡିଟେଲ୍‌ସ ଜାଣିବା ସହ, ଠକେଇ ହେଲେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯିବା ସହ ଜେଲ୍‌ କିମ୍ବା ଜୋରିମାନା ବ୍ୟବସ୍ଥା କରାଗଲେ,ଗ୍ରାହକ ଉପଯୁକ୍ତ ସେବା ପାଇପାରନ୍ତେ…………..

ଆମାଜନ୍‌ କମ୍ପାନୀରୁ ଅନେକ ଗ୍ରାହକ ଦାମୀ ମୋବାଇଲ୍‌ ଅର୍ଡର କରିଥିବା ବେଳେ, ସେମାନଙ୍କ ପାଖକୁ ଇଟା,ମୋବାଇଲ୍‌ କଭର ଓ ପୁରୁଣା ଖରାପ ହୋଇଯାଇଥିବା ମୋବାଇଲ୍‌ ପହଞ୍ଚିଥିବା ଅଇଁଠାପାଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି,ଏହାର ତଦନ୍ତ କରିଥିଲା। ତଦନ୍ତ ସମୟରେ ପୋଲିସ୍‌ ଜାଣିବାକୁ ପାଇଥିଲା ଯେ, କମ୍ପାନୀ ଠିକ୍‌ ମୋବାଇଲ୍‌ ଗ୍ରାହକଙ୍କ ପାଖକୁ ପଠାଇଥିଲା। ହେଲେ ଡେଲିଭରୀ ଭ୍ୟାନ୍‌ର ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି, ଡେଲିଭରୀ ବୟ ପର୍ଯ୍ୟନ୍ତ ପ୍ରତ୍ୟକ ସ୍ତରରେ, ସାମଗ୍ରୀ ବଦଳାଇ ଦିଆଯାଉଛି।

ପୋଲିସ୍ ଏ ସଂପର୍କରେ ଅନ୍‌ଲାଇନ୍‌ କମ୍ପାନୀର ଡେଲିଭରୀ ଭ୍ୟାନ୍‌ର ଡ୍ରାଇଭର,ବୟକୁ ଗିରଫ କରିବା ସହ,ବହୁ ନାମୀଦାମୀ ମୋବାଇଲ୍‌ ସେଟ୍‌ ଅନୁଗୁଳର ଏକ ମୋବାଇଲ୍‌ ଦୋକାନରୁ ଜବତ କରିଛି। ଏବେ ମଧ୍ୟ ସମ୍ବଲପୁର ସହରର ୪ଟି ଥାନାରେ ୫୦ରୁ ଅଧିକ ଏଭଳି ମାମଲା ପଡିରହିଛି। ପୋଲିସ୍‌ ଗୋଟିଏ ପରେ ଗୋଟିଏ ମାମଲାର ତଦନ୍ତ କରି, ଅନ୍‌ ଲାଇନ୍‌ ସପିଂରେ ହେଉଥିବା ଠକେଇର ପର୍ଦ୍ଦାଫାଶ କରିବା ଆରମ୍ଭ କରିଛି ବୋଲି, ସଦର ଏସ୍‌ଡିପିଓ କହିଛନ୍ତି…………….

ଅନ୍‌ଲାଇନ୍‌ରେ ସପିଂ ଯେତିକି ବୃଦ୍ଧି ପାଉଛି, ସେତିକି ଠକେଇ ଅଭିଯୋଗ ବଢିବାରେ ଲାଗିଛି। କିଛି ଗ୍ରାହକ ଠକେଇର ଶିକାର ହେଲେ ମଧ୍ୟ, ଚୁପ୍‌ଚାପ ରହିଯାଉଥିବା ବେଳେ, ଅନେକ ସଚେତନ ଗ୍ରାହକ ଏ ନେଇ ପୋଲିସ୍‌ ଓ ଗ୍ରାହକ ସୁରକ୍ଷା କୋର୍ଟର ଦ୍ବାରସ୍ଥ ହେଉଛନ୍ତି। ହେଲେ ଏହି ଠକ କମ୍ପାନୀ ଓ ତାର କର୍ମଚାରୀଙ୍କ ବିରୋଧରେ, ଆଖଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ଆସନ୍ତାଦିନରେ ଏଭଳି ଠକେଇ କମ୍‌ ହୋଇପାରନ୍ତା

152 Views

   ସମ୍ବନ୍ଧିତ ଖବର