ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଫ୍ରାନ୍ସ, ଇମ୍ରାନଙ୍କ ଅନୁରୋଧକୁ ପ୍ରତ୍ୟାଖାନ କଲେ ମାକ୍ରୋନ୍‌

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧: ପାକିସ୍ତାନ ସରକାରଙ୍କୁ ଜୋରଦାର ଝଟ୍‌କା ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍‌। ପ୍ରଥମ ଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଛି ଫ୍ରାନ୍ସ। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ ପାକିସ୍ତାନ ମିରାଜ୍‌ ଫାଇଟର ଜେଟ୍‌., ଏୟାର ଡିଫେନ୍ସ ସିଷ୍ଟମ ଓ ୯୦ବି କ୍ଲାସ୍‌ ବୁଡ଼ାଜାହଜକୁ ଅପଗ୍ରେଡ୍‌ କରିବା ପାଇଁ ଅପିଲ କରିଥିଲା। କିନ୍ତୁ ଏହାକୁ ଫ୍ରାନ୍ସ ମନା କରିଦେଇଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ ପାକିସ୍ତାନୀ ଟେକନିସିଆନଙ୍କୁ ଯୁଦ୍ଧ ଜାହଜ ନିର୍ମାଣ ପଦ୍ଧତି ନ ଶିଖାଇବା ପାଇଁ କତରକୁ କହିଛନ୍ତି ଫ୍ରାନ୍ସ ସରକାର। କାରଣ ସେମାନେ ଏ ସମ୍ବନ୍ଧୀୟ ଡାଟା ପାକିସ୍ତାନଙ୍କୁ ସେୟାର କରିଦେବେ। ଏହି ସବୁ ଜାହଜ ଭାରତୀୟ ଡିଫେନ୍ସ ସିଷ୍ଟମର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ପୂର୍ବରୁ ଚୀନ ସହ ପାକିସ୍ତାନ ଗୁରୁତ୍ବପୂର୍ଣ୍ଣ ଡାଟା ସେୟାର କରୁଥିବା ନଜିର ରହିଛି।

ସେପ୍ଟେମ୍ବର ମାସରେ ପାକିସ୍ତାନ ବଂଶୋଦ୍ଭବ ୧୮ ବର୍ଷୀୟ ଯୁବକ ଅଲି ହସନ ଶାର୍ଲି ହେବ୍ଦୋ ପତ୍ରିକା କାର୍ଯ୍ୟାଳୟ ବାହାରେ ଦୁଇ ଜଣ ଲୋକଙ୍କୁ ଆକ୍ରମଣ କରିଥିଲା। ତା ବାପା ଏହାକୁ ଠିକ୍‌ ବୋଲି କହିଥିଲେ। ଶାର୍ଲି ହେବ୍ଦୋ ମ୍ୟାଗାଜିନ୍‌ ପ୍ରୋଫେଟ୍‌ ମହମ୍ମଦଙ୍କ ଏକ କାର୍ଟୁନ ଛାପିଥିଲା। ତେବେ ଏହା ପରେ ପାକିସ୍ତାନ ଫ୍ରାନ୍ସ ବିରୋଧରେ ବିଷ ଓଗାଳିଥିଲା। ଏହାକୁ ନେଇ ପ୍ରଥମ ଥର ପାକିସ୍ତାନର ଅନୁରୋଧକୁ ରୋକଠୋକ୍‌ ପ୍ରତ୍ୟାଖାନ୍‌ କରିଛି ଫ୍ରାନ୍ସ।

ଏହା ପୂର୍ବରୁ ୨୯ ଅକ୍ଟୋବରରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା  ଫ୍ରାନ୍ସ ଗସ୍ତରୁ ଫେରିବା ପରେ ସେଠାକର ସରକାରଙ୍କ ନିଷ୍ପତ୍ତିକୁ ନେଇ ସୂଚନା ଦେଇଥିଲେ। ଶୃଙ୍ଗଲାଙ୍କ କହିବା ଅନୁଯାୟୀ ଫ୍ରାନ୍ସ ରାଷ୍ଟ୍ରପତି ଆଶ୍ବସ୍ତ କରିଥିଲେ କି କୌଣସି ପ୍ରକାର ଭାରତୀୟ ସୁରକ୍ଷା ପ୍ରତି ବିପଦ ଆସିବାକୁ ଦିଆଯିବ ନାହିଁ। ରାଫେଲ୍‌ ସମ୍ବନ୍ଧୀୟ କୌଣସି ତଥ୍ୟ ପାକିସ୍ତାନକୁ ଦିଆଯିବ ନାହିଁ। ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣକୁ ଭାରତ ଖୁବ ନିନ୍ଦା କରିଥିଲା। ଏପରିକି ଫ୍ରାନ୍ସ ସରକାରଙ୍କ ସପକ୍ଷରେ ଭାରତ ସରକାର ବାହାରିଥିଲେ। ଯାହାକି ଫ୍ରାନ୍ସ ଓ ଭାରତ ସମ୍ପର୍କକୁ ଖୁବ୍‌ ଦୃଢ଼ କରିଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.