ଚତୁର୍ଥ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୪/୧, ପୁଣି ନିରାଶ କଲେ ଶୁଭମାନ ଗିଲ୍
4/03/2021 at 5:15 PM

ଅହମ୍ମଦାବାଦ ୦୪/୦୩ : ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନରେ ଇଂଲଣ୍ଡ ୨୦୫ ରନ୍ କରି ଅଲଆଉଟ ହେବା ପରେ ଭାରତ ୧୨ ଓଭରରେ ଗୋଟିଏ ଓ୍ବିକେଟ୍ ହରାଇ ୨୪ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଶୁଭମାନ ଗିଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି । ରୋହିତ ଶର୍ମା ୩୪ ବଲ ଖେଳି ଗୋଟିଏ ଚୌକା ସହାୟତାରେ ୮ ରନ ଏବଂ ଚେତେଶ୍ବର ପୁଜାରା ୩୬ ବଲ ଖେଳି ଗୋଟିଏ ଚୌକା ସହାୟତାରେ ୧୫ ରନ୍ କରି ଅପରାଜିତ ଅଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ପ୍ରଥମ ସେସନ୍ରେ ହିଁ ୩ଟି ଓ୍ବିକେଟ୍ ହରାଇଦେଇଥିଲା । ଦଳ ୭୫.୫ ଓଭର ଖେଳି ମାତ୍ର ୨୦୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ମୋଟେରାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ଧରାଶୟୀ ହୋଇଛି ଟିମ୍ ଇଂଲଣ୍ଡ । ପ୍ରଥମ ଦିନରେ ପୁଣି କମାଲ କରିଛନ୍ତି ଅଶ୍ବିନ-ଅକ୍ଷର ଯୋଡି । ଭାରତୀୟ ବୋଲରମାନଙ୍କ ଘାତକ ବୋଲିଂକୁ ସାମ୍ନା କରିବାକୁ ସକ୍ଷମ ହୋଇପାରିନାହାନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ।

ଭ୍ରମଣକାରୀ ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ତଥା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ୫୫ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ ମୋଟ ୨୬ ଓଭର ବୋଲିଂ କରି ୬୮ ରନ୍ ଦେଇ ୪ଟି ଓ୍ବିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୧୯.୫ ଓଭର ବୋଲିଂ କରି ୪୭ ରନ୍ ବ୍ୟୟକରି ୩ ଟି ଓ୍ବିକେଟ୍ ନେଇଛନ୍ତି । ସେହିପରି ମହମ୍ମଦ ସିରାଜ ୨ଟି ଏବଂ ଓ୍ବାଶିଂଟନ୍ ସୁନ୍ଦର ଗୋଟିଏ ଓ୍ବିକେଟ୍ ନେଇଛନ୍ତି ।

ଇଂଲଣ୍ଡ ପକ୍ଷରୁ ଓପନର ଜ୍ୟାକ୍ କ୍ରୋଲୀ ୯ ରନ୍, ଡୋମିନିକ୍ ଶିବଲୀ ୨ ରନ୍, ଜୋନି ବୟାରିଷ୍ଟୋ ୨୮ ରନ୍, ଅଧିନାୟକ ଜୋ ରୁଟ୍ ୫ ରନ୍, ବେନ୍ ଷ୍ଟୋକସ୍ ୫୫ରନ୍ ଏବଂ ଓଲି ପୋପ୍ ୨୯ ରନ୍ କରି ଆଉଟ ହୋଇଛନ୍ତି । ସେହିଭଳି ଡେନ୍ ଲୋରିନ୍ସ୍ ୪୬, ବେନ୍ ଫୋକ୍ସ୍ ୧, ଡୋମ୍ ବେସ୍ ୩, ଜ୍ୟାକ୍ ଲିଚ୍ ୭ ଏବଂ ଜେମ୍ସ ଆଣ୍ଡରସନ୍ ୧୦ ରନ୍ କରି ଆଉଟ୍ ହୋଇଛନ୍ତି ।