ଚତୁର୍ଥ କରୋନା ଆକ୍ରାନ୍ତ SCBରେ ଭର୍ତ୍ତି, କ୍ୱାରେଣ୍ଟାଇନ୍‌ରେ ପରିବାର : ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଲକ୍‌ଡାଉନ୍‌ କଡାକଡ଼ି

Published By : Prameya-News7 Bureau | April 01, 2020 IST

ଭଦ୍ରକ ୦୧।୦୪:  ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଭଦ୍ରକ ପୁରୁଣା ବଜାର ଅଂଚଳର ବୋଲି ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ଚେକିଂକୁ ଜୋରଦାର କରାଯାଇଛି । ପୁରୁଣାବଜାର ଅଂଚଳର କେବଳ ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ମାଇକ ଯୋଗେ ପ୍ରଚାର କରାଯାଇଛି ।

ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରାଂଟାଇନରେ ରଖାଯାଇଛି । ଯୁବକ ଜଣଙ୍କ ଦୁବାଇରୁ ଫେରିବା ପରେ ୧୪ ଦିନ ଧରି ଭଦ୍ରକରେ ରହିଥିଲେ । ଗତ ୩୦ତାରିଖରେ ଭଦ୍ରକ ମେଡିକାଲରେ ନାମ ପଞ୍ଜିକରଣ କରିଥିଲେ । ଗତକାଲି ଏମ୍ସରେ ତାଙ୍କ ରକ୍ତ ନମୁନାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଦୁବାଇରୁ ଫେରିବା ପରେ ଆକ୍ରାନ୍ତ ଯୁବକ କେଉଁଠିକୁ ଯାଇଥିଲେ, କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଠାବ କରିବା ପ୍ରଶାସନ ପାଇଁ ବଡ ଚାଲେଞ୍ଜ ହେବ ।

କରୋନାର ଲକ୍ଷଣ ଦେଖାଯାଉ ନଥିଲେ ମଧ୍ୟ ବାହାରୁ ଫେରିଥିବା ବ୍ୟକ୍ତି ହୋମ୍ କ୍ବାରେଣ୍ଟାଇନରେ ରହିବା ଆବଶ୍ୟକ । ଚତୁର୍ଥ କରୋନା ରୋଗୀଙ୍କ କ୍ଷେତ୍ରରେ କୌଣସି ପ୍ରକାର ଲକ୍ଷଣ ଦେଖା ଯାଇନଥିବାରୁ ଏଭଳି ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଦୁଇ ସପ୍ତାହର କ୍ବାରେଣ୍ଟାଇନ ସରିବା ପରେ ମଧ୍ୟ ଶେଷ ଦୁଇ ସପ୍ତାହ ନିଜ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତେଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.