ଅଚିହ୍ନା ରୋଗରେ ୧୪ ଜଣଙ୍କ ମୃତ୍ୟୁ, କରୋନା ଭୟରେ ଡାକ୍ତରଖାନା ଯିବା ବଦଳରେ ଗୁଣିଆଙ୍କ ଦ୍ଵାରସ୍ଥ

Published By : Prameya-News7 Bureau | September 11, 2020 IST

ମାଲକାନଗିରି ୧୧।୦୯: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଥିଲି ଅଞ୍ଚଳରେ ମାସକ ମଧ୍ୟରେ ଅଚିହ୍ନାରୋଗରେ ପ୍ରାୟ ୧୪ରୁ ଉର୍ଦ୍ଧ୍ଵ ଆଦିବାଦୀ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ସହରରେ କରୋନା ସଂକ୍ରମଣ ଭୟରେ ଗ୍ରାମବାସୀ ମାନେ ଡାକ୍ତରଖାନାକୁ ରୋଗୀଙ୍କୁ ଆଣିବା ବଦଳରେ ଗୁଣିଆ ଦିସାରୀଙ୍କ ଦ୍ଵାରସ୍ଥ ହୋଇ ଝଡାଫୁଙ୍କା କରୁଥିବା ଜଣା ପଡିଛି। ଇଣ୍ଟରନେଟ୍ ଅତ୍ୟାଧୁନିକ ଯୁଗରେ ଏବେ ବି ମଣିଷ କୁସଂସ୍କାର ଅନ୍ଧବିଶ୍ଵାସକୁ ଜାବୁଡି ଧରିଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଏହାର ପ୍ରଭାବ ଅଧିକ ପଡିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ଦୁର୍ଗମ ବାଲାମପାଲି ଗ୍ରାମରେ ଗତ କିଛି ଦିନ ତଳେ ଅଜଣାରୋଗରେ ଜଣଙ୍କ ମୃତ୍ୟୁ ହେବା ପରେ ସେହି ଗ୍ରାମରେ ଭୟର ବାତାବରଣ ଦେଖା ଦେଇଥିଲା।

ଗ୍ରାମବାସୀମାନେ ଡାକ୍ତରଖାନାକୁ ନଯାଇ ଗୁଣିଆ ଦିସାରୀମାନଙ୍କୁ ନେଇ ଗାଁ ମୁଣ୍ଡରେ ଥିବା ଏକ ଗଛମୂଳରେ ଡୁମାପୂଜା କରୁଥିବା ଜଣା ପଡିଛି। ଠିକ୍ ସେହି ପରି ମାଥିଲି ବ୍ଲକ ସ୍ଥିତ କମଲାପାଲି ପଞ୍ଚାୟତ ଦୁର୍ଗମ ସୋଡିଗୁଡା ଆଦିବାସୀ ଗ୍ରାମରେ ଗତ ମାସକ ମଧ୍ୟରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାର ଗ୍ରାମବାସୀମାନେ କୁହନ୍ତି। ସମଗ୍ର ଜିଲ୍ଲାରେ କରୋନା ମାହାମାରୀ ବ୍ୟାପିଥିବା ଓ ବିଶେଷ କରି ସହରରେ ଅଧିକ ମାତ୍ରାରେ ଏହା ଦେଖା ଦେଇ ଥିବାରୁ କରୋନା ଭୟରେ ଗ୍ରାମବାସୀମାନେ ରୋଗୀଙ୍କୁ ଡାକ୍ତରଖାନାକୁ ନନେଇ ଗାଁରେ ଗୁଣିଆ, ଦିସାରୀଙ୍କ ନିକଟରେ ଝଡାଫୁଙ୍କା କରୁଥିବା ଜଣା ପଡିଛି।

ବିଶେଷ କରି ଏହି ଅଚିହ୍ନା ରୋଗ ଦୁର୍ଗମ ସୋଡିଗୁଡା ଆଦିବାସୀ ଗ୍ରାମରେ ଦେଖା ଦେଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ମୃତ ବ୍ୟକ୍ତିମାନଙ୍କର ଗୋଡହାତ ଫୁଲିଯିବା ସହିତ ବାନ୍ତି ହେବା ଏବଂ ସେମାନେ ଦୁର୍ବଳ ହୋଇ ଚାରିରୁ ପାଞ୍ଚ ଦିନ ବିଛଣାରେ ପଡି ରହିବା ପରେ ସେମାନଙ୍କର ମୃତ୍ୟୁ ଘଟୁଛି।

ଗତ ୩୦ ଦିନ ମଧ୍ୟରେ ଗ୍ରାମର ଲର୍ମାକବାସୀ, ମଙ୍ଗଳମାଡାକମି, ବାମନମାଡି, ଆଡମାସୋଡି, କସାମାରି, ସନମତିମାଢି, ପଦ୍ମା ମାଢିଙ୍କ ସହିତ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ମାସକ ମଧ୍ୟରେ ଲଗାତାର ଭାବେ ଲୋକମାନଙ୍କର ମୃତ୍ୟୁ ହେବା ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ଡଙ୍ଗର ଦେବୀଙ୍କ ନିକଟରେ ପୂଜାପାଠ କରି ପଣା ଦେବା ସହ ଡୁମା ନିକଟରେ କୁକୁଡା, ଅଣ୍ଡା ପୂଜା କରୁଥିବା ଦେଖିବାକୁ ମିଳିଛି।

ଏ ସଂପର୍କରେ ମାଥିଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଏକେ ସ୍ଵାଇଁ କହିଛନ୍ତି ସେ ଗ୍ରାମକୁ ଡାକ୍ତରୀଦଳ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। ଏବେ ଗ୍ରାମର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରାଥମିକ ପରୀକ୍ଷାରୁ ଯାହା ଜଣା ପଡିଛି ଏହା କିଡନୀଜନିତ ରୋଗ ହୋଇଥାଇପାରେ। ତଥାପି ଗ୍ରାମର କିଛି ଲୋକଙ୍କଠାରୁ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଗ୍ରାମବାସୀମାନଙ୍କୁ ସ୍ଵାସ୍ଥ୍ୟକର୍ମୀମାନେ ଡାକ୍ତରଖାନାକୁ ଆସି  ଚିକିତ୍ସା ହେବା ପାଇଁ ପରାମର୍ଶ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.