ଅଣ୍ଡାରୁ ହତ୍ୟା : ଛୁଆ ଅଣ୍ଡା ଫଟାଇଦେଲା, ମା’ ଛୁଆର ମୁଣ୍ଡ ଫଟାଇଦେଲା, ପଡୋଶୀ ଛାତରୁ ଶିଶୁର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 12, 2020 IST

ଲକ୍ଷ୍ନୌ ୧୨।୬: ଉତ୍ତରପ୍ରଦେଶର କୌଶମ୍ବି ଜିଲ୍ଲାର କୋଖରାଜ ପୋଲିସ ଷ୍ଟେସନ ଅଞ୍ଚଳରେ ସପ୍ତାହେ ପୂର୍ବରୁ ପଡୋଶୀ ଘର ଛାତରୁ ୪ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ମିଳିଥିଲା । ଏବେ ପୋଲିସ ଶିଶୁ ହତ୍ୟାକାଣ୍ଡ ରହସ୍ୟରୁ ପରଦା ଉଠାଇଛି। ନିରୀହ ଶିଶୁଟିକୁ ତାଙ୍କ ମା’ ହତ୍ୟା କରିଥିବା ଜଣାପଡିଛି । ନିରୀହ ଶିଶୁଟି ହାତରୁ କିଛି ଅଣ୍ଡା ପଡି ଫାଟି ଯାଇଥିବାରୁ ଏହି ହତ୍ୟାକାଣ୍ଡଟି ଘଟିଛି ।

ଅଣ୍ଡା ଫାଟିଯିବା ଯୋଗୁଁ ମା’ ଏତେ ରାଗି ଯାଇଥିଲେ ଯେ ସେ କାନ୍ଥରେ ଶିଶୁଟିର ମୁଣ୍ଡକୁ ପିଟିଦେଇଥିଲେ । ଯାହାଦ୍ବାରା ତାଙ୍କର ମୃତ୍ୟୁ ଘଟିଥିଲା ​​। ଅପରାଧ ଲୁଚାଇବା ପାଇଁ ହତ୍ୟାକାରୀ ପଡୋଶୀଙ୍କ ଛାତ ଉପରେ ଝିଅର ମୃତଦେହ ଲୁଚାଇ ରଖିଥିଲେ । ନାବାଳିକା ନିଖୋଜ ନେଇ ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ପଡୋଶୀଙ୍କ ଛାତ ଉପରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହାପରେ ଏହି ଘରର ଲୋକଙ୍କୁ (ସ୍ବାମୀ-ସ୍ତ୍ରୀ ଏବଂ ସେମାନଙ୍କ ପୁଅ) ପୋଲିସ ଗିରଫ କରିଥିଲା ।

ଏହାପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ହତ୍ୟାକାରୀ ମା’କୁ ଜେଲ୍ ପଠାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି । ସେ କହିଛନ୍ତି ଯେ, କୋଖରାଜ ପୋଲିସ ଷ୍ଟେସନର ଇଚୌଲି ଗାଁର ବାସିନ୍ଦା ରାମ ସିଂଙ୍କ ୪ ବର୍ଷର ଝିଅ ପାୟଲ ସନ୍ଦେହଜନକ ପରିସ୍ଥିତିରେ ଜୁନ୍ ୩ ତାରିଖ ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲେ । ପରଦିନ ସମ୍ପର୍କୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ନାବାଳିକାଙ୍କୁ ଖୋଜିବା ଆରମ୍ଭ କରିଥିଲା । ଗାଁରେ ଝିଅକୁ ଖୋଜୁଥିବା ବେଳେ ରାମସିଂହଙ୍କ ଘର ନିକଟରେ ରହୁଥିବା ଦୀନେଶଙ୍କ ଘର ଛାତରୁ ଝିଅର ମୃତଦେହ ମିଳିଥିଲା ।

ଝିଅର ମୃତଦେହ ମିଳିବା ପରେ ପୋଲିସ ଦୀନେଶ, ତାଙ୍କର ସ୍ତ୍ରୀ ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଥିଲା । ପୋଲିସ ପଚରାଉଚରା ବେଳେ ଦୀନେଶ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଫଳରେ ତଦନ୍ତ ବେଳେ ପୋଲିସର ସନ୍ଦେହ ଝିଅର ମାଙ୍କ ଉପରକୁ ଯାଇଥିଲା । ପଚରାଉଚରା ବେଳେ ଝିଅର ମା’ ରେଖା ତାଙ୍କ ଦୋଷ ସ୍ବୀକାର କରିଥିଲେ ।

ରେଖା କହିଥିଲେ ଯେ, ପାୟଲ କିଛି ଅଣ୍ଡା ଫଠାଇ ଦେଇଥିଲେ । ଫଳରେ ସେ ରାଗିଯାଇ କାନ୍ଥରେ ତାଙ୍କ ମୁଣ୍ଡକୁ ପିଟିଦେଇଥିଲେ । ସେହି ସମୟରେ ଝିଅ ପାୟଲଙ୍କର ମୃତ୍ୟୁ ହୋଇଥିଲା । ପଡୋଶୀଙ୍କ ଛାତ ଉପରେ ମୃତଦେହ ଲୁଚାଇ ଝିଅ ନିଖୋଜ ହେବା ଅଭିଯୋଗ କରିଥିଲେ । ତାପରେ ଦିନ ପୋଲିସ ଝିଅର ମୃତଦେହ ପାଇଥିଲା । ରେଖା ନିଜ ଦୋଷ ସ୍ବୀକାର କରିବା ପରେ ଦୀନେଶ, ତାଙ୍କ ପତ୍ନୀ ଏବଂ ତାଙ୍କ ପୁଅଙ୍କୁ ଛାଡି ଦିଆଯାଇଥିଲା । ରେଖାକୁ ଗିରଫ କରି ପୋଲିସ କୋର୍ଟରେ ହାଜର ପରେ ଜେଲ୍ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.