ଡରାଉଛି କରୋନାର ନୂଆ ଷ୍ଟ୍ରେନ୍ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି, ଜାନୁୟାରୀ ୫ ଯାଏଁ ଭାରତ-ବ୍ରିଟେନ୍ ବିମାନ ଚଳାଚଳ ବନ୍ଦ

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୦୨/୦୧ : ଭାରତରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ବ୍ରିଟେନ୍‌ରୁ ଗୁଜୁରାଟ ଫେରିଥିବା ୪ ଜଣ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି ୪ ଜଣଙ୍କ ନମୂନା ପୁଣେ ସ୍ଥିତ ଭାଇରୋଲୋଜି ଲାବ୍‌କୁ ପଠାଯାଇଥିଲା । ତେବେ ବର୍ତ୍ତମାନ ମଧ୍ୟ ୧୫ ଜଣଙ୍କ ନମୂନା ଫଳାଫଳ ଆସିବାକୁ ବାକିଅଛି ।

ଗୁଜରାଟର ସ୍ବାସ୍ଥ୍ୟ ସଚିବ ଜୟନ୍ତି ରବି କହିଛନ୍ତି ଯେ, ଯେଉଁମାନେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହା ସହ ଯେଉଁ ଯାତ୍ରୀମାନେ ସେମାନଙ୍କ ସହ ବିମାନରେ ବ୍ରିଟେନରୁ ଭାରତ ଆସିଥିଲେ, ସେମାନଙ୍କର ମଧ୍ୟ କଣ୍ଟାକ୍ଟ୍ ଟ୍ରେସିଂ ଜାରି ରହିଛି ।

ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ NCDC ଦିଲ୍ଲୀରୁ ୮ ଜଣ, ବେଙ୍ଗାଲୁରୁରୁ ୧୦ ଜଣ, ପୁଣେରୁ ୯ ଜଣ, IGIB ଦିଲ୍ଲୀରୁ ୨ ଜଣ, ହାଇଦରାବାଦରୁ ୩ ଜଣ ଏବଂ NIBMG କଲ୍ୟାଣୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭାରତରୁ ବ୍ରିଟେନକୁ ବିମାନ ସେବା ଆସନ୍ତର ଜାନୁୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି । ଏହା ସହ ବ୍ରିଟେନ୍‌ରୁ ଭାରତକୁ ବିମାନ ସେବା ୮ ଜାନୁୟାରୀରୁ ଆରମ୍ଭ ହେବ । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ପ୍ରତି ସପ୍ତାହ​‌ରେ ମାତ୍ର ୩୦ ଟି ବିମାନକୁ ଯିବାଆସିବା ପାଇଁ ଅନୁମତି ମିଳିବ । କରୋନାର ନୂଆ ଷ୍ଟ୍ରେନ୍‌କୁ ଆଖି ଆଗରେ ରଖି ୨୩ ଜାନୁୟାରୀ ଯାଏଁ ଏହି ନିୟମ ଲାଗୁହେବ । ଏହା ପରେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.