ମା' ଚାଲିଗଲେ ଆରପାରିକୁ, ବାପାଙ୍କର ଖୋଜଖବର ନାହିଁ : ପେଟ ଚାଖଣ୍ଡକ ପାଇଁ ବାର ଦୁଆର ବୁଲୁଛନ୍ତି ୪ ପିଲା

Published By : Prameya-News7 Bureau | June 15, 2021 IST

ମାଲକାନଗିରି ୧୫।୬: ଚାରି ଜଣ ଅନାଥ ଭାଇ ଭଉଣୀ । ଦୁନିଆକୁ ଭଲ ଭାବେ ଜାଣିବା ପୂର୍ବରୁ ଦଇବ ସେମାନଙ୍କ ପାଖରୁ ଛଡାଇ ନେଲା ସବୁ କିଛି । ମାଲକାନଗିରି ଜିଲ୍ଲା ଭେଜାଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଲାପାଲି ଗ୍ରାମର ଏହି ୪ ଜଣ ଅନାଥ ଭାଇ ଭଉଣୀ ହେଉଛନ୍ତି ଭିମା, ମୀନତି, ଶିବ ଓ ସବିତା ପୁଲା । ଗତ ୪ ବର୍ଷ ତଳେ ସାପ କାମୁଡାରେ ଏମାନଙ୍କ ମା' ଆରପାରିକୁ ଚାଲିଯାଇଥିବା ବେଳେ ୩ ବର୍ଷ ତଳେ ବାପା ମାନସିକ ବିକାରଗସ୍ତ ହୋଇ ଘର ଛାଡି କୁଆଡେ ଚାଲିଗଲେ ଯେ ତାହାର କୌଣସି ଖୋଜ ଖବର ନାହିଁ । କିଛି ଦିନ ବଡବାପା ଓ ମାମୁଁ ଘରେ ବିତାଇବା ପରେ ଏକ ଆଶ୍ରମ ବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ ଏମାନେ । ହେଲେ ଗତ ୧ ବର୍ଷ ଧରି ଲକ୍ ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ରହିଥିବା ବେଳେ ଏମାନଙ୍କର ପାଠପଢା ଠପ୍ ହୋଇଯାଇଛି । ସରକାରଙ୍କ ତରଫରୁ ସେମାନଙ୍କୁ ମିଳୁଛି ମାସକୁ ମାତ୍ର ୨୦ କେଜି ଚାଉଳ ଯାହା ୧୦ ଦିନରେ ଶେଷ ହୋଇ ଯାଉଛି । ଆଉ ତାପରେ ପେଟ ପାଇଁ ବାର ଦୁଆର ଘୁରି ବୁଲୁଛନ୍ତି ଏହି ଅନାଥ ୪ ଭାଇ ଭଉଣୀ ।

ଜଣେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଏହି ଏହି ଅନାଥ ୪ ଭାଇ ଭଉଣୀ ମାଲକାନଗିରି ଜିଲ୍ଲାପାଳଙ୍କୁ ଦେଖା କରିବା ଲାଗି ଆସିଥିଲେ ହେଲେ ରଜ ଛୁଟି ଯୋଗୁଁ ଜିଲ୍ଲାପାଳଙ୍କ ସହ ସିଧା ସଳଖ ଭେଟ ହୋଇପାରିନାହିଁ । ହେଲେ ତାଙ୍କ କାର୍ଯ୍ୟାଳୟରେ ଏକ ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ବହି, ଖାତା, କଲମ ଓ ପୋଷାକ ପାଇଁ ନିବେଦନ କରିଛନ୍ତି ଏମାନେ । ଯାହାର ନକଲ ସ୍ଥାନୀୟ ବିଡିଓ ଓ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ହେଲେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପେଟକୁ ଦୁଇ ମୁଠା ଆହାର ଯୋଗାଇବା ଲାଗି ୫ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ମାଲକାନଗିରି ଜିଲ୍ଲାର ଆଉ ଜଣେ ସମାଜସେବୀ ବିନୋଦ ଟାୱାରି ।

ଲୋକଙ୍କ ଅଳ୍ପ ବହୁତ ସାହାଯ୍ୟ ଏହି ୪ ଅନାଥ ପିଲାଙ୍କ ପାଇଁ କିଛି ଦିନ ଚାଲିଯିବ ସତ ହେଲେ ଆଗକୁ ଲମ୍ବା ରାସ୍ତା ରହିଥିବା ବେଳେ ସେମାନଙ୍କୁ ସରକାରୀ ସହାୟତାର ନିତାନ୍ତ ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.