ମୁମ୍ବାଇରେ ଭୟାବହ ରୂପ ନେଉଛି କରୋନା, ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୪ ପୋଲିସକର୍ମୀ

Published By : Prameya-News7 Bureau | June 13, 2020 IST

ମୁମ୍ବାଇ ୧୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି। ଏଥିରେ ପୋଲିସକର୍ମୀ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ପରିଣାମସ୍ଵରୂପ ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୪ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଅଦ୍ୟାବଧି ମୁମ୍ବାଇରେ କରୋନା କାରଣରୁ ୨୬ ଜଣ ପୋଲିସକର୍ମୀ ପ୍ରାଣ  ହରାଇ ସାରିଲେଣି। ରାଜ୍ୟର ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି, ଏ ପର୍ଯ୍ୟନ୍ତ ୧୨୩୩ ପୋଲିସ କର୍ମୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ଶନିବାର ୪ ପୋଲିସକର୍ମୀଙ୍କ ମୃତ୍ୟୁ ସଭିଙ୍କ ଚିନ୍ତା ବଢାଇ ଦେଇଛି। ମୃତକ ପୋଲିସ କର୍ମୀ ମୁମ୍ବାଇର ଭାକୋଲ, ଦିଣ୍ଡୋଶି ଓ ବୋରିଭଲି ପୋଲିସ ଷ୍ଟେସନରେ ଡ୍ୟୁଟିରେ ଥିଲେ। କରୋନା କାରଣରୁ ଏ ପର୍ଯ୍ୟନ୍ତ ୨୬ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଆଜି ପ୍ରାଣ ହରାଇଥିବା ପୋଲିସ କର୍ମୀଙ୍କ ନାମ କନଷ୍ଟେବଲ ସନ୍ଦେଶ କିଣି(ବୋରିଭଲି ପୋଲିସ ଷ୍ଟେସନ), ହାବିଲଦାର ହେମନ୍ତ କୁମ୍ଭାର(ଦିଣ୍ଡୋଶି ପୋଲିସ ଷ୍ଟେସନ), ହାବିଲଦାର ଅନିଲ କାମ୍ବଲେ(ଭାକୋଲା ପୋଲିସ ଷ୍ଟେସନ) ଓ ଏଏସଆଇ ଦୀପକ ଲୋଲେ(ସରଂକ୍ଷଣ ବିଭାଗ)।

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ମୁମ୍ବା ପୋଲିସର ୧୨୩୩ ଯବାନ ଅଦ୍ୟାବଧି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରୁ ୩୩୪ ଜଣ ପୁଣି ଥରେ ଡ୍ୟୁଟିରେ ଯୋଗ ଦେଇସାରିଛନ୍ତି। ସେ ନିଜର କର୍ତ୍ତବ୍ୟ ପାଳନ ଲାଗି ଜୀବନକୁ ବିପଦରେ ପକାଇଥିବା ପୋଲିସକର୍ମୀଙ୍କ ଉପରେ ଗର୍ବିତ ବୋଲି ଦେଶମୁଖ କହିଛନ୍ତି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ କରୋନାର ୩୪୨୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୫୬୮ରେ ପହଞ୍ଚିଛି। ସେହି ପରି ମୃତକଙ୍କ ସଂଖ୍ୟା ୩୮୩୦ ହୋଇଛି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୩୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୬୯ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରେ କରୋନା ସଂକ୍ରମିତ ସଂଖ୍ୟା ୫୬,୮୩୧ ରହିଥିବା ବେଳେ ୨୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଅଦ୍ୟାବଧି ୪୯,୩୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.